ବୋହୁକୁ ନେଇ ଶ୍ୱଶୁର ଫେରାର୍; ଆତ୍ମହତ୍ୟା କଲା ପୁଅ

Published By : Prameya-News7 Bureau | December 08, 2022 IST

ଦେବଗଡ଼ ୦୮/୧୨: ସମାଜରେ ବାପ-ପୁଅ ଓ ଶ୍ୱଶୁର-ବୋହୁର ସମ୍ପର୍କ ଅତି ପବିତ୍ର ସମ୍ପର୍କ। ମାତ୍ର ଶ୍ୱଶୁର ଓ ବୋହୁ ନୈତିକତା ହରାଇ ସାମାଜିକ ଚାଲିଚଳଣରୁ ବାହାରକୁ ଯାଇ ଖରାପ ସମ୍ପର୍କରେ ବାନ୍ଧି ହେଲେ ଏହାର କୁପ୍ରଭାବ ସମାଜ ଉପରେ ପଡିଥାଏ। ଆଉ ଏଭଳି ଏକ ଖରାପ ସମ୍ପର୍କକୁ ନେଇ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଶ୍ୱଶୁର ନିଜ ବୋହୁକୁ ପ୍ରେମ ଜାଲରେ ଫସାଇ ଭୁଲାଇ ନେଇ ଚାଲିଗଲା । ଆଉ ସ୍ତ୍ରୀ ଓ ଛୋଟ ଝିଅକୁ ଝୁରି ଝୁରି ଶେଷରେ ପୁଅ ବିଷଖାଇ ଆତ୍ମହତ୍ୟା କଲା । ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ସଞ୍ଜୟ ମୁଣ୍ଡା ନାମକ ଜଣେ ୨୫ ବର୍ଷ ବୟସ୍କ ବିବାହିତ ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ତାଙ୍କ ବାପାଙ୍କ ସହ ବୋହୁର ଖରାପ ସମ୍ପର୍କକୁ ଦାୟୀ କରିଛନ୍ତି । ସଞ୍ଜୟ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ କନ୍ୟା ସହ ଖୁସିରେ ରହୁଥିଲେ । ବର୍ଷକ ତଳେ ସଞ୍ଜୟଙ୍କ ମାଆ କାନ୍ଦରୀ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ମାଆଙ୍କର ମୃତ୍ୟୁ ପରେ ବାପା ବନମାଳୀ ମୁଣ୍ଡା ପୁଅ ସଞ୍ଜୟ ସହ ଏକାଠି ରହୁଥିଲେ ।

ଇତିମଧ୍ୟରେ ବନମାଳୀ ଓ ସଞ୍ଜୟଙ୍କ ସ୍ତ୍ରୀ ପେଚ ମୁଣ୍ଡା ମଧ୍ୟରେ ଖରାପ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ତିନି ମାସ ହେବ ଶ୍ୱଶୁର ବନମାଳୀ ବୋହୁ ପେଚ ଓ ତିନି ବର୍ଷର ଛୋଟ ଶିଶୁ କନ୍ୟାକୁ ନେଇ ଘରୁ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ନ ମିଳିବାରୁ ସଞ୍ଜୟ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ତ୍ରୀ ଓ ଛୋଟ ଝିଅ ପଳାଇ ଯିବାପରେ ସଞ୍ଜୟ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ।

ସୋମବାର ୫ ତାରିଖ ଦିନ ଘରୁ ନିତ୍ୟକର୍ମ ପାଇଁ ଯାଇ ଆଉ ସଞ୍ଜୟ ଘରକୁ ଫେରିନଥିଲେ। ତିନିଦିନ ପରେ ତାଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରେ ବୈଦ କଟା ପାଖରେ ଏକ ଗାତରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତଦେହ ନିକଟରୁ ଏକ ଖୋଲା ବିଷ ଶିଶି ମିଳିଥିବା ବେଳେ ସେ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଶ୍ୱଶୁର ଓ ବୋହୁର ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ । ବାପା-ପୁଅ ଓ ଶଶୁର-ବୋହୁ ଭଳି ପବିତ୍ର ସମ୍ପର୍କକୁ ଶ୍ୱଶୁର ବନମାଳୀ ନଷ୍ଟ କରିବା ପରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ସଞ୍ଜୟଙ୍କ ମୃତ୍ୟୁପରେ ବାରକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ପରିବାର ଲୋକେ ଲୋକଲଜ୍ୟା ଭୟରେ ଗାଁକୁ ମୃତଦେହ ନନେଇ ଦେବଗଡ ସହରରେ ଥିବା ସ୍ବର୍ଗଦ୍ବାରରେ ସତ୍କାର କରିଛନ୍ତି । ସତ୍କାରରେ ସ୍ଥାନୀୟ କିଛି ଯୁବ ସମାଜସେବୀ ସେମାନଙ୍କୁ ସାହାଯ୍ୟ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.