ଆଜି ମହାଳୟା, ସୋମବତୀ ଅମାବାସ୍ୟା ଏବଂ ସୋମବାର : ଏକ ବିରଳ ସଂଯୋଗ : ଏମିତି କଲେ ମିଳିବ ଅଖଣ୍ଡ ସୌଭାଗ୍ୟ

Published By : Prameya-News7 Bureau | October 08, 2018 IST

ଅକ୍ଟୋବର ୮ ତାରିଖ ମଧ୍ୟାହ୍ନ ପରେ ଅମାବାସ୍ୟା ତିଥି ରହିଥିବାରୁ ଆଜିର ଦିନର ମହତ୍ତ୍ବ ବହୁଗୁଣିତ ହୋଇଛି । ପିତୃପକ୍ଷ ଏବଂ ମଧ୍ୟାହ୍ନ ପରେ ଅମାବାସ୍ୟା ତିଥି ହେତୁ ଆଜି ଦିନକୁ ସୋମବତୀ ଅମାବାସ୍ୟା ମଧ୍ୟ କୁହାଯାଏ । ପିତୃପକ୍ଷର ଶେଷ ଦିନ ଏବଂ ସୋମବତୀ ଅମାବାସ୍ୟା ଗୋଟିଏ ଦିନରେ ପଡୁଥିବାରୁ ଆଜିର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଛି । ଏହାକୁ ଗଜଯୋଗ ବୋଲି ମଧ୍ୟ କୁହାଯାଏ । ଆଜି ମଧ୍ୟାହ୍ନ ପରେ ଏବଂ ଆସନ୍ତାକାଲି ସର୍ବପିତୃ ଶ୍ରାଦ୍ଧ କରଣୀୟ । ତେବେ ଆସନ୍ତୁ ଜାଣିବା ଏହି ଦୁର୍ଲଭ ଯୋଗରେ କଣ କରିବା ଆବଶ୍ୟକ ଏବଂ କଣ କଲେ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ପିତୃ ତର୍ପଣ ଓ ଶ୍ରାଦ୍ଧ : ମହାଭାରତ ସମୟରୁ ପିତୃ ବିସର୍ଜନ ଏବଂ ସୋମବତୀ ଅମାବାସ୍ୟାର ମହତ୍ତ୍ବ ସଂପର୍କରେ କୁହାଯାଇଛି । ଏହିଦିନ ପିତୃ ପୁରୁଷଙ୍କ ପାଇଁ ଜଳ ତର୍ପଣ ଏବଂ ପିଣ୍ଡଦାନ କରିବାର ଆବଶ୍ୟକତା ରହିଛି । ଯେଉଁ ପିତୃପୁରୁଷଙ୍କ ମୃତ୍ୟୁ ତିଥି ସଂପର୍କରେ ଆମେ ଅଜ୍ଞ ବା ଯାହାଙ୍କ ମୃତ୍ୟୁ ଅକାଳରେ ହୋଇଛି, ସେମାନଙ୍କୁ ଆଜି ଶ୍ରାଦ୍ଧ ଓ ପିଣ୍ଡ ପ୍ରଦାନ କରିବା ବିଧି ରହିଛି । ମହିଳାଙ୍କ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ  : ସୋମବତୀ ଅମାବାସ୍ୟାରେ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି । ପୁରାଣ ଶାସ୍ତ୍ର ଅନୁସାରେ ଆଜି ମୌନ ବ୍ରତ ଧାରଣ କଲେ ଗୋଦାନ ଭଳି ପୂଣ୍ୟ ମିଳିଥାଏ । ସୋମବତୀ ଅମାବାସ୍ୟାରେ ମହିଳାମାନେ ଭଗବାନ ଶିବଙ୍କ ଉପାସନା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଗରିବଙ୍କୁ ସମ୍ମାନ ପ୍ରଦାନ : ସୋମବତୀ ଅମାବାସ୍ୟାରେ କେହି ଗରୀବ କିମ୍ବା ଭିକ୍ଷୁକ ଆପଣଙ୍କ ଘରକୁ ବା ଦ୍ବାରକୁ ଆସିଲେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ବିଶ୍ବାସ ରହିଛି ଯେ, ସୋମବତୀ ଅମାବାସ୍ୟାରେ ସନ୍ତାନମାନଙ୍କଠାରୁ ଖାଦ୍ୟ ଓ ଜଳ ଗ୍ରହଣ କରିବା ପାଇଁ ପିତୃପୁରୁଷମାନେ ଯେକୌଣସି ରୂପରେ ଆର୍ବିଭାବ ହୋଇପାରନ୍ତି । ଆଜି ଚାଉଳର ଅଟାରେ ପ୍ରସ୍ତୁତ ପିଣ୍ଡ ପ୍ରଦାନ କଲେ ପିତୃପୁରୁଷଙ୍କ ଆତ୍ମା ପ୍ରାପ୍ତ ହୋଇଥାଏ ଏବଂ ପିତୃପୁରଷ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଅଶ୍ବସ୍ଥ ବୃକ୍ଷ ପୂଜା : ବିଶ୍ବାସ କରାଯାଏ ଅଶ୍ବସ୍ଥ ବୃକ୍ଷର ମୂଳରେ ଭଗବାନ ବିଷ୍ଣୁ, ମଧ୍ୟଭାଗରେ ଭଗବାନ ଶିବ ଏବଂ ଅଗ୍ରଭାଗରେ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମା ବାସ କରିଥାନ୍ତି । ତେଣୁ ଆଜି ଅଶ୍ବସ୍ଥ ବୃକ୍ଷର ପୂଜାରେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ତୁଳସୀ ପରିକ୍ରମା : ସେମବତୀ ଅମାବାସ୍ୟାରେ ବ୍ରତୀ ମହିଳାମାନେ ତୁଳସୀ ଗଛକୁ ୧୦୮ଥର ପରିକ୍ରମା କରିବା ଉଚିତ୍ । ଏଭଳି କଲେ ଧନ, ଧାନ୍ୟ, ଗୋପ, ଲକ୍ଷ୍ମୀ ଏବଂ ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଚତୁର୍ବଗ ଫଳପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.