କେତେ ବେଳେ ସତ ତ କେତେବେଳେ ମିଛ ପ୍ରଶ୍ନପତ୍ର ଭାଇରାଲ୍, ଚିନ୍ତାରେ ପରୀକ୍ଷାର୍ଥୀ

Published By : Prameya-News7 Bureau | July 01, 2023 IST

ଭୁବନେଶ୍ଵର: ପରୀକ୍ଷା ପୂର୍ବରୁ ପୁଣି ପ୍ରଶ୍ନପତ୍ର ପ୍ରଘଟ । କେତେବେଳେ ସତ ସତିଆ ପ୍ରଶ୍ନପତ୍ର ପ୍ରଘଟ ତ ଆଉ କେତେବେଳେ  ପରୀକ୍ଷାର୍ଥୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରି ମିଛ ପ୍ରଶ୍ନପତ୍ର ପ୍ରଘଟ କରାଯାଇଛି। ଏଥର କିନ୍ତୁ ରାଜ୍ୟର ବିଭିନ୍ନ ଅ଼ଚଳରେ ମିଛ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଫଳରେ ପରୀକ୍ଷା ପୂର୍ବରୁ ଚିନ୍ତାରେ ପଡିଥିବା ପରୀକ୍ଷାର୍ଥୀ ମାନେ ପରୀକ୍ଷା ସରିବା ପରେ କିଛିଟା ଆଶ୍ବସ୍ତ ଥିଲେ ବି ଆଉ କିଛି ଆଶଙ୍କା ଭିତରେ ବି ରହିଛନ୍ତି । ମିଛ ପ୍ରଶ୍ନପତ୍ର ପ୍ରଘଟ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

{"id":811281,"sizeSlug":"full","linkDestination":"none"}

ଓଟିଇଟି ପରୀକ୍ଷା ପୂର୍ବରୁ ବାହାରେ ବୁଲିଲା ଫେକ୍ ପ୍ରଶ୍ନପତ୍ର । ଆଜି OTET ପରୀକ୍ଷାର ପ୍ରଥମ ଓ ଦ୍ବିତୀୟ ପେପର ସରିବା ପରେ ଗତକାଲି ଘୁରି ବୁଲୁଥିବା ପ୍ରଶ୍ନପତ୍ର ସହ ଏହାକୁ ମେଳାଯାଇଥିଲା । ତେବେ ଏହା ଫେକ୍ ବୋଲି ଜଣାପଡିଛି । ଗତବର୍ଷ ପରି ଏଥର ବି ଓଟିଇଟି ପରୀକ୍ଷା ପୂର୍ବରୁ ହାତଲେଖା ପ୍ରଶ୍ନ ପତ୍ର, ହାତଲେଖା ଉତ୍ତର ହୋଇଥିଲା ଭାଇରାଲ୍ । ସାରା ରାଜ୍ୟରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସହ ଉତ୍ତର ପେପର। କେଉଁଠି ହାତଲେଖା ତ ଆଉ କେଉଁଠି ପିଡିଏଫ୍ । ଏଭଳି ପ୍ରଶ୍ନ ପତ୍ର ଓ ଉତ୍ତର ବୁଲୁଥିବାରୁ ପରୀକ୍ଷାର୍ଥୀ ଏହାକୁ ପାଇବାକୁ ଚେଷ୍ଟା କରିଥିଲେ । ହଜାର ହଜାର ଟଙ୍କା ଦେଇ ଏହାକୁ କିଣିଥିଲେ । ଅନେକ ଦଲାଲ ଏହି ସୁଯୋଗରେ ଏହାକୁ ବିକ୍ରି କରି ଭଲ ରୋଜଗାର ବି କଲେ। 

{"id":811282,"sizeSlug":"full","linkDestination":"none"}

ତେବେ ଆଜି ଯେତେବେଳେ ପରୀକ୍ଷା ସରିଲା ଭାଇରାଲ୍ ପ୍ରଶ୍ନ ପତ୍ର ସହ ପରୀକ୍ଷା ପ୍ରଶ୍ନପତ୍ର ମିଶାଇବା ପରେ ଏହା ମେଳ ଖାଇନଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ କେହି ଦୁର୍ବୃତ୍ତ ମିଛ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଅର୍ଥ ରୋଜଗାର ପାଇଁ ଏପରି କରିଛି । ଚାକିରି ଖଣ୍ଡିଏ ପାଇଁ ଦିନ ରାତି ପରିଶ୍ରମ କରି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ସେମାନଙ୍କୁ ମାନସିକ ଚାପଗ୍ରସ୍ତ କରାଇ କିଛି କୁଚକ୍ରି ଗୋଷ୍ଠୀ ଅର୍ଥ ଆଦାୟ କରି ମାଲାମାଲ ହେଉଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

{"id":811283,"sizeSlug":"full","linkDestination":"none"}

ତେବେ ଏପରି ଫେକ୍ ପ୍ରଶ୍ନପତ୍ର ଓ ଉତ୍ତର ପ୍ରସ୍ତୁତ କରି ଲିକ୍ କରାଇଥିବା ବ୍ୟକ୍ତିମାନେ କିଏ ? ରାଜ୍ୟରେ କେଉଁ କେଉଁ ସ୍ଥାନରେ ଏପରି ପ୍ରଶ୍ନ ପତ୍ର ଭାଇରାଲ୍ କରାଯାଇ କେତେ ଅର୍ଥ ଆଦାୟ ହୋଇଛି ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ସାରା ରାଜ୍ୟରେ ଦାବି ଉଠିଛି । ସେପଟେ ଏଥିନେଇ ଏକ ସଂଗଠିତରାକେଟ୍ କାମ କରୁଥିବା ସଂଦେହ କରିଛନ୍ତି ଶିକ୍ଷାବିତ୍ । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଦୁର୍ବୃତ୍ତଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଗତବର୍ଷ OTET ପେପର ଭାଇରାଲ କରିବାରେ ସଫଳ ହୋଇଥିବା ଏଭଳି ରାକେଟକୁ ସରକାର ଏପର୍ଯ୍ୟନ୍ତ ଧରିପାରିନାହାନ୍ତି । ଏ ବର୍ଷ ପୁଣି ସେଭଳି କିଛି ରାକେଟ ସକ୍ରିୟ ହେବା, ପରୀକ୍ଷା ପରିଚଳାନ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ OTET ପରୀକ୍ଷା ଚଳିତ ବର୍ଷ ଓଡ଼ିଶାର ୩୮ଟି କେନ୍ଦ୍ରରେ ହୋଇଛି । ଆଜିର ପରୀକ୍ଷା ସୁରୁଖୁରରେ ହୋଇଥିଲେ ବି ଫେକ୍ ଭାଇରାଲ୍ ପ୍ରଶ୍ନପତ୍ରକୁ ନେଇ କିଛି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶଙ୍କା ଭରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.