କାହା ପାଖରେ ଖର୍ଚ୍ଚ କରିବାକୁ ପଇସା ନାହିଁ ତ କିଏ ବେଘର! ପ୍ରଥମ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନରେ ଏମାନେ ହୋଇଛନ୍ତି ପ୍ରାର୍ଥୀ

Published By : Prameya-News7 Bureau | November 29, 2022 IST

ଗାନ୍ଧିନଗର ୨୯।୧୧: ପ୍ରଥମ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ଡିସେମ୍ବର ୧ ତାରିଖ ଦିନ ୧୯ ଜିଲ୍ଲାର ୮୯ ଆସନରେ ମତଦାନ ହେବ। ଏହି ୮୯ ବିଧାନସଭା ଆସନ ଲାଗି ମୋଟ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ନିର୍ଦ୍ଦଳୀୟଙ୍କ ସମେତ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀମାନେ ମଧ୍ୟ ଅଛନ୍ତି।

ସୁରଟର ଲିମ୍ବାୟତ ଆସନରେ ସର୍ବାଧିକ ୪୪ ଜଣ ପ୍ରାର୍ଥୀ ହୋଇଛନ୍ତି।  ଏହା ପଛକୁ ମୋରବି ବିଧାନସଭା ଆସନରେ ୧୭ ଜଣ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୭୮୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ପ୍ରତିଶତ ଅର୍ଥାତ ୧୬୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟିର ସର୍ବାଧିକ ୩୬ ଜଣ ଦାଗି ପ୍ରାର୍ଥୀ ଅଛନ୍ତି। ସେହିପରି ୨୧୧ ଜଣ କୋଟିପତି ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ସମ୍ପତ୍ତିର ପରିମାଣ ୨.୮୮ କୋଟିରୁ ବି ଅଧିକ।

ଏଥିରେ ଏପରି ଲୋକେ ବି ପ୍ରାର୍ଥୀପତ୍ର ଦାଖଲ କରି ପ୍ରାର୍ଥୀ ହୋଇଛନ୍ତି ଯେଉଁମାନେ ନିତ୍ୟାନ୍ତ ଗରିବ। ଏଥିରେ କେହି ପ୍ରାର୍ଥୀଙ୍କ ରହିବାକୁ ନିଜର ଘରଟିଏ ବି ନଥିବା ବେଳେ କାହାର ନିର୍ବାଚନରେ ପୋଷ୍ଟର ଛାପିବାକୁ ପଇସା ନାହିଁ। ଏପରି ଜଣେ ପ୍ରାର୍ଥୀ ହୋଇଛନ୍ତି ଯିଏ ତାଙ୍କର ଶୂନ୍ୟ ଆସେଟ୍‌ ଦେଖାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏପରି ପ୍ରାର୍ଥୀଙ୍କ ସମ୍ପର୍କରେ।

{"id":715059,"width":839,"height":471,"sizeSlug":"full","linkDestination":"none"}

ଇଏ ହେଉଛନ୍ତି ସବୁଠୁ ଗରିବ ପ୍ରାର୍ଥୀ
ପଶ୍ଚିମ ରାଜକୋଟର ନିର୍ଦ୍ଦଳୀୟ ପ୍ରାର୍ଥୀ ଭୂପେନ୍ଦ୍ର ଭାବନଭାଇ ପଟୋଲିଆ ପ୍ରଥମ ପର୍ଯ୍ୟାୟ ଭୋଟରେ ସବୁଠୁ ଗରିବ ପ୍ରାର୍ଥୀ। ସେ ତାଙ୍କ ନିର୍ବାଚନ ପ୍ରାର୍ଥୀ ପତ୍ର ସହ ଦାଖଲ କରିଥିବା ସମ୍ପତ୍ତି ସୂଚୀରେ ଶୂନ୍ୟ ଆସେଟ୍ ଥିବା ଉଲ୍ଲେଖ କରିଛନ୍ତି। ଭୂପେନ୍ଦ୍ରଙ୍କର ନା ତ ଚଳନ୍ତି ସମ୍ପତ୍ତି ଅଛି ନା ଅଚଳ। ଅର୍ଥାତ ମୁଣ୍ଡ ଗୁଞ୍ଜିବାକୁ ତାଙ୍କର ଆଶ୍ରାଟିଏ ବି ନାହିଁ। ଏପରିକି ନିର୍ବାଚନରେ ପାମ୍ପଲେଟ୍ ଓ ପୋଷ୍ଟର ଛାପିବା ପାଇଁ ମଧ୍ୟ ତାଙ୍କ ନିକଟରେ ପଇସାଟିଏ ନାହିଁ।

ଗରିବ ପ୍ରାର୍ଥୀଙ୍କ ମଧ୍ୟରେ ରାକେଶ ଭାଇ ସୁରେଶ ଭାଇ ଗାମିତ ମଧ୍ୟ ଅଛନ୍ତି
ବହୁଜନ ସମାଜପାର୍ଟି ଟିକେଟ୍‌ରେ ତାପିର ବ୍ୟାରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ରାକେଶ ଭାଇ ସୁରେଶ ଭାଇ ଗାମିତ ମଧ୍ୟ ଜଣେ ଗରିବ ପ୍ରାର୍ଥୀ। ସେ ପ୍ରାର୍ଥୀ ପତ୍ରରେ ତାଙ୍କ ପାଖରେ ମୋଟ ୧ ହଜାର ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଛନ୍ତି। ତାଙ୍କ ନିଜର ଘର ନଥିବା ବେଳେ ବୁଲାବୁଲି କରିବାକୁ ଗାଡି କି ସାଇକେଲ ବି ନାହିଁ।

ଜୟାବେନ ମେହୁଲ ଭାଇ ବୋରିଚା
ଭାବାନଗର ପଶ୍ଚିମ ଆସନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଜୟାବେନ ମେହୁଲ ଭାଇ ବୋରିଚା ମଧ୍ୟ ଜଣେ ଗରିବ ପ୍ରାର୍ଥୀ। ତାଙ୍କ ପାଖରେ ମୋଟ ୩ ହଜାର ଟଙ୍କାର ନଗଦ ସମ୍ପତ୍ତି ଅଛି, ଏହା ବି ତାଙ୍କର ଚଳନ୍ତି ସମ୍ପତ୍ତି। ଅଚଳନ୍ତି ସମ୍ପତ୍ତି କହିଲେ ତାଙ୍କର କିଛି ନାହିଁ କି ନିର୍ବାଚନ ପ୍ରଚାର ଲାଗି ଆର୍ଥିକ ସମ୍ବଳ ମଧ୍ୟ ନାହିଁ।

ସମୀର ଫକରୁଦ୍ଦିନ ଶେଖ
ଏହି ଭଳି ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ସମୀର ଫକରୁଦ୍ଦିନ ଶେଖ। ସେ ସୁରଟ ପୂର୍ବ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଚଳନ୍ତି ସମ୍ପତ୍ତି ଭାବେ ତାଙ୍କ ପାଖରେ ମୋଟ ୬ ହଜାର ୫୦୦ ଟଙ୍କା ଅଛି। ଅଚଳନ୍ତି ସମ୍ପତ୍ତିରେ ତାଙ୍କର ନା ଘର ଅଛି, ନା ଫ୍ଲାଟ ଏପରିକି ଚାଷ ଜମି ମଧ୍ୟ ନାହିଁ। ତେବେ ସେ ତାଙ୍କ ଲୋକପ୍ରୀୟତା ଯୋଗୁ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶାବାନ୍ଧିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.