‘ସରକାରୀ ଲାଭ ପାଇବା ପାଇଁ ଲୋକେ ଆକାଉଣ୍ଟ ଖୋଲିଥାନ୍ତି, ଟଙ୍କା ଉଠାଇବା ପରେ ଭୁଲିଯାଆନ୍ତି’ : ଏସବିଆଇ ମୁଖ୍ୟଙ୍କ ବଡ଼ ବିବୃତ୍ତି

Published By : Prameya-News7 Bureau | December 04, 2024 IST

ନୂଆଦିଲ୍ଲୀ: ଅନେକ ସମୟରେ ଲୋକେ ସରକାରୀ ଲାଭ ପାଇବା ପାଇଁ ଆକାଉଣ୍ଟ ଖୋଲିଥାନ୍ତି। ଆଉ ଟଙ୍କା ଉଠାଇବା ପରେ ଆକାଉଣ୍ଟ ବିଷୟରେ ଭୁଲିଯାଇଥାନ୍ତି। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇର ଅଧ୍ୟକ୍ଷ ସି. ଏସ ସେଟ୍ଟୀ କିଛି ଏଭଳି ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଏହି ଆକାଉଣ୍ଟଧାରୀ ସୀମିତ ସଂଖ୍ୟାରେ ନେଣଦେଣ କରିଥାନ୍ତି। ବ୍ୟାଙ୍କରେ ଟଙ୍କା ଜମା ହେବା ପରେ ଅଧିକାଂଶ କେବଳ ଦୁଇ ତିନି ଥର ସେଥିରୁ ଟଙ୍କା କାଢ଼ିଥାନ୍ତି। ଆଉ କିଛି ଦିନ ପରେ ସେହି ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ। 

ପ୍ରକୃତରେ ନିକଟରେ ଆରବିଆଇ, ବ୍ୟାଙ୍କମାନଙ୍କୁ ନିଷ୍କ୍ରିୟ ତଥା ଫ୍ରିଜ ହୋଇଥିବା ଆକାଉଣ୍ଟର ସମାଧାନ ଉପରେ ରିପୋର୍ଟ ଦେବାକୁ କହିଥିଲା। ଏହାର କିଛି ଦିନ ପରେ ଏସବିଆଇ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି । ଅବଶ୍ୟ ଏସବିଆଇରେ କେତେ ସଂଖ୍ୟାରେ ନଷ୍କ୍ରିୟ ଆକାଉଣ୍ଟ ରହିଛି ସେନେଇ ସଠିକ ସୂଚନା ମିଳିପାରିନାହିଁ। ସେ ଆହୁରି କହିଛନ୍ତି ଅଣ ଆର୍ଥିକ ନେଣ ଦେଣ ଦ୍ବାରା ମଧ୍ୟ ଏହି ଆକାଉଣ୍ଟକୁ ସକ୍ରିୟ କରାଯାଇପାରିବ। 

ଏସବିଆଇ ଚେୟାରମ୍ୟାନ କହିଛନ୍ତି ବର୍ତ୍ତମାନର ନିୟମ ଅନୁସାରେ ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ କାରବାର କରିବାକୁ ପଡ଼ିଥାଏ। ନହେଲେ ଆକାଉଣ୍ଟ ନିଷ୍କ୍ରିୟ ହାଇଯାଏ। କୌଣସି ଆକାଉଣ୍ଟକୁ ସକ୍ରିୟ ରଖିବା ପାଇଁ ଥିବା ଚାଲେଞ୍ଜର ସମାଧାନ କିପରି ସେନେଇ ଆରବିଆଇକୁ ଚିଠି ଲେଖାଯାଇଛି । ନିୟମରେ କିଛି ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି। ଖାତାକୁ ସକ୍ରିୟ ଘୋଷିତ କରିବା ପାଇଁ ଆକାଉଣ୍ଟରେ ଥିବା ଅନ୍ତିମ ଟଙ୍କାର ଯାଞ୍ଚ କରିବା ଏବଂ ଅଣ ଆର୍ଥିକ ନେଣ ଦେଣ ଉପରେ ମଧ୍ୟ ବିଚାର କରିବାକୁ ଅନୁରୋଧ କରିଛି। ଯାହାଦ୍ବାରା ଆକାଉଣ୍ଟ ଆକ୍ଟିଭ ହୋଇ ରହିପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.