ନ୍ୟୁଜ୍ ଚ୍ୟାନେଲ୍‌ ଉତ୍ତେଜନାମୂଳକ ବିତର୍କ କରାଇ ମାନସିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି, ସଂସଦରେ ବର୍ଷିଲେ ଆପ୍ ସାଂସଦ ରାଘବ ଚଡ୍ଡା

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଗୁରୁବାର ସଂସଦରେ ନ୍ୟୁଜ୍ ଚ୍ୟାନେଲ୍‌ ଉପରେ ଉତ୍ତେଜନାମୂଳକ ବିତର୍କ ପ୍ରସଙ୍ଗ ଉଠାଇଛନ୍ତି। ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଉତ୍ତେଜନାମୂଳକ ବିତର୍କ କରାଉଥିବା ଚ୍ୟାନେଲଗୁଡିକ ବିରୋଧରେ କେନ୍ଦ୍ର ସରକାର କଣ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଏହି ପ୍ରସଙ୍ଗରେ ରାଘବ ନ୍ୟୁଜ୍ ଚ୍ୟାନେଲଗୁଡିକ ଉପରେ ଖୁବ୍ ବର୍ଷିଛନ୍ତି।

ସେ କହିଛନ୍ତି, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ନିଜେ ଜଣେ ସାମ୍ବାଦିକ ଥିଲେ ଏବଂ ଖବରର ମହତ୍ଵକୁ ବେଶ ଭଲ ଭାବେ ଜାଣନ୍ତି। ଦେଶରେ ସମାଚାରରେ ଧ୍ଵନି ପ୍ରଦୂଷଣ ବଢିବାରେ ଲାଗିଛି। ଅଧିକାଂଶ ଚ୍ୟାନେଲ ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଉତ୍ତେଜନାମୂଳକ ବିତର୍କ କରୁଛନ୍ତି ଏବଂ ମାନସିକ ପ୍ରଦୂଷଣ ପ୍ରସାର କରୁଛନ୍ତି। ଚଡ୍ଡା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ମାନସିକ ପ୍ରଦୂଷଣ ପ୍ରସାର କରୁଥିବା ନ୍ୟୁଜ୍ ଚ୍ୟାନେଲ ଏବଂ ଉପସ୍ଥାପକଙ୍କ ବିରୋଧରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କି ? ଯଦି ହଁ ତେବେ କଣ କାର୍ଯ୍ୟାନୁଷ୍ଠାନ କରୁଛନ୍ତି।

ଚଡ୍ଡା ଏହା ମଧ୍ୟ ପ୍ରଶ୍ନ କରିଛନ୍ତି କଣ ସରକାର ଏହି ଉତ୍ତେଜନାସୃଷ୍ଟିକାରୀ ଚ୍ୟାନେଲ ବିରୋଧରେ କିମ୍ବା ସେମାନଙ୍କ ମାଲିକଙ୍କୁ ନେଇ କୌଣସି ନୀତି ଆଣୁଛନ୍ତି କି ? ଚଡ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏଥିପାଇଁ ତ୍ରିସ୍ତରୀୟ ଅଭିଯୋଗ ନିବାରଣ ପ୍ରଣାଳୀ ରହିଛି। ଯଦି କେହି ଅଭିଯୋଗ କରୁଛି ତାର ନିବାରଣ କରାଯାଉଛି। ବର୍ତ୍ତମାନ ଏମିତି କୌଣସି ଅଭିଯୋଗ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.