ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ହେବ ନିର୍ବାଚନ। ମଇଦାନରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ କେରଳର କଂଗ୍ରେସ ସାଂସଦ ଶଶି ଥରୁର। ଦୁଇ ପ୍ରାର୍ଥୀ ନିଜ ନିଜର ପ୍ରଚାରରେ ଜୁଟି ଯାଇଛନ୍ତି। ଏହା ମଧ୍ୟରେ ଶଶି ଥରୁର କହିଛନ୍ତି, କଂଗ୍ରେସର କିଛି ନେତା ତାଙ୍କୁ ନିର୍ବାଚନ ଲଢିବାରେ ରୋକିବାକୁ ଚାହାନ୍ତି। ଏ ନେଇ ନେତାମାନେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ ହେଁ ରାହୁଲ ସେମାନଙ୍କ କଥା ମାନିନଥିଲେ।
ଶଶି ଥରୁରଙ୍କ ଅନୁଯାୟୀ, ଦଳର କିଛି ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ମୋତେ ନିର୍ବାଚନରୁ ହଟାଇବାକୁ ଦାବି କରିଛନ୍ତି। ଖୋଦ୍ ଏହି କଥା ରାହୁଲ ତାଙ୍କୁ କହିଥିବା ଥରୁର କହିଛନ୍ତି। ଥରୁରଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ କୁହନ୍ତୁ ବୋଲି ନେତାମାନେ ରାହୁଲଙ୍କୁ କହିଥିଲେ। ହେଲେ ରାହୁଲ ଏମିତି କରିବାକୁ ମନା କରି ଦେଇଥିଲେ। ରାହୁଲ ଚାହାନ୍ତି ମୁଁ ନିର୍ବାଚନ ଲଢେ। ତାଙ୍କ ମତରେ ଏମିତିରେ ପାର୍ଟିକୁ ଫାଇଦା ମିଳିବ। ଥରୁର କହିଛନ୍ତି, ପାର୍ଟିର ଯେଉଁ କର୍ମକର୍ତ୍ତା ମଜବୁତ ସେମାନେ ନିଜ ପସନ୍ଦ ପାଇଁ ଭୋଟ୍ କରିବେ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମଇଦାନରେ ମୁହାଁମୁହିଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର। ନିକଟରେ ଥରୁର କହିଛନ୍ତି, ସେ ଏହି ପଦ ପାଇଁ ଖଡଗେଙ୍କ ସହିତ ବିତର୍କ କରିବାକୁ ପ୍ରସ୍ତୁତ। କାରଣ ଏମିତି ହେଲେ ପାର୍ଟି ପ୍ରତି ଲୋକଙ୍କ ରୁଚି ବଢିବ। ନିକଟରେ ବ୍ରିଟେନ୍ର କଞ୍ଜରଭେଟିଭ୍ ପାର୍ଟିର ନେତୃତ୍ଵକୁ ନେଇ ଯେମିତି ମାହୋଲ ହୋଇଥିଲା, ସେମିତି କଂଗ୍ରେସ ପାର୍ଟିରେ ହେବା ଉଚିତ୍ ବୋଲି ଥରୁର କହିଥିଲେ।
ସେ ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଏହା ମଧ୍ୟ କହିଥିଲେ ଯେ, ଆମେ ଶତ୍ରୁ କିମ୍ବା ପ୍ରତିଦ୍ଵନ୍ଦ୍ଵୀ ନୁହନ୍ତି। ଆମେ ସହଯୋଗୀ ଅଟୁ ଏବଂ ପାର୍ଟିକୁ ଆଗକୁ ବଢାଇବାକୁ ଉଦ୍ୟମ ଚଳାଇଛୁ। ଖଡଗେ ଆମ ପାର୍ଟିର ଭୀଷ୍ମ ପିତାମହ। ପାର୍ଟି କର୍ମକର୍ତ୍ତା ସ୍ଥିର କରନ୍ତୁ ଯେ, ପାର୍ଟି କେମିତି ଆଗକୁ ବଢିବ।