ଆମେରିକା-କାନାଡ଼ା ଯିବା ଆଶାରେ ଭାରତ ବିମାନ ଛାଡି ଦେଉଛନ୍ତି ଅନେକ ଆଫଗାନ ହିନ୍ଦୁ ଓ ଶିଖ୍

Published By : Prameya-News7 Bureau | August 25, 2021 IST

ନୂଆଦିଲ୍ଲୀ ୨୫/୦୮ : ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତ ସମେତ ଅନେକ ଦେଶ ସେଠାରୁ ନିଜ ନାଗରିକଙ୍କୁ ଉଦ୍ଧାର କରିଛନ୍ତି। ଭାରତ ସରକାର ଏବେ ସୁଦ୍ଧା ଶହ ଶହ ଲୋକଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିଛନ୍ତି। ଏମିତି ପରିସ୍ଥିତିରେ ଏମିତି କିଛି ଲୋକ ବି କାବୁଲରେ ଫସିଥିବା ନଜର ଆସୁଛନ୍ତି ଯେଉଁମାନେ ଭାରତ ଫେରିବାକୁ ଚାହୁଁ ନାହାନ୍ତି। ପ୍ରାୟ ୭୦-୮୦ ଜଣ ଭାରତ ଫେରିବାକୁ ଚାହୁଁ ନାହାନ୍ତି। ଆଫଗାନିସ୍ତାନରେ ଥିବା ଏହି ଶିଖ ଓ ହିନ୍ଦୁ ଆମେରିକା ଓ କାନାଡ଼ା ଯିବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ଭାରତରୁ ପଠାଯାଇଥିବା ବିମାନ ଛାଡି ଦେଉଛନ୍ତି। ଏହିଭଳି ପରିସ୍ଥିତିରେ ଭାରତ ସରକାରଙ୍କ ଚିନ୍ତା ବଢିପାରେ। ଏକ ରିପୋର୍ଟ ଅନୁଯାୟୀ ଭାରତରୁ ଯାଇଥିବା ବିମାନ ଖାଲି ଫେରି ଆସିଛି।

ଇଣ୍ଡିଆନ ୱାର୍ଲଡ ଫୋରମର ଅଧ୍ୟକ୍ଷ ପୁନିତ ସିଂହ ଟାଇମ୍ସ ଅଫ ଇଣ୍ଡିଆକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନର ଗୁରୁଦ୍ୱାରା କର୍ତେ ପରବାନରେ ଥିବା ୭୦ ରୁ ୮୦ ଆଫ୍ଗାନ ଶିଖ ଓ ହିନ୍ଦୁ ଭାରତ ଫେରିବାକୁ ଚାହୁଁ ନାହାନ୍ତି। ସେମାନେ କାନାଡ଼ା କିମ୍ବା ଆମେରିକା ଯିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଏମାନେ କେବଳ ଫ୍ଲାଇଟ ଛାଡୁ ନାହାନ୍ତି ବରଂ ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ବାଧା ମଧ୍ୟ ସୃଷ୍ଟି କରୁଛନ୍ତି।

ଏପଟେ ଗୁରୁଦ୍ୱାରାରେ ଉପସ୍ଥିତ ଶିଖ ନେତା ତରବିନ୍ଦର ସିଂହ ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି। ଭିଡିଓ ସନ୍ଦେଶରେ ସେ ଭାରତ ଆସିବାକୁ ଚାହୁଁ ନାହାନ୍ତି ବରଂ ଆମେରିକା କିମ୍ବା କାନାଡ଼ା ଯିବାକୁ ଚାହୁଁଛନ୍ତି ବୋଲି କହୁଥିବା ନଜର ଆସିଛନ୍ତି।

ଆଫଗାନିସ୍ତାନର ଏକ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ, 'ଆମେରିକା କିମ୍ବା କାନାଡ଼ା ଯିବାକୁ ବାଟ ଖୋଜିବାରେ ଭୁଲ କଣ ? ଆମେ ଜାଣିଚୁ ଯେଉଁମାନେ ଭାରତ ଯାଇଛନ୍ତି ସେମାନଙ୍କ ଅବସ୍ଥା କଣ ହୋଇଛି। ଭାରତରେ ଚାକିରୀ ନାହିଁ। ସେଥିପାଇଁ ସେମାନଙ୍କ ମଧ୍ୟରୁ ଅନେକ ଲୋକ ପୁଣି ଆଫଗାନିସ୍ତାନ ଫେରି ଆସିଥିଲେ କିମ୍ବା ଅନ୍ୟ ଦେଶକୁ ଚାଲି ଯାଇଥିଲେ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.