ଏବେ Toll gateରେ ସେନାକୁ ମିଳିବ ସମ୍ମାନ, ସର୍କୁଲାର ଜାରି କରିଛନ୍ତି NHAI
9/02/2020 at 9:09 PM

ନୂଆଦିଲ୍ଲୀ,୯।୨: ଦେଶପାଇଁ ସହିଦ ହେବାକୁ ପଛଘୁଞ୍ଚା ଦେଉନଥିବା ଯବାନଙ୍କୁ ଏବେ ନୂତନ ପ୍ରୋଟୋକଲ ମିଳିବ। ନ୍ୟାଶନାଲ ହାଇଓ୍ୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଦେଶର ସବୁ ଟୋଲ ପ୍ଲାଜାର ମୁଖ୍ୟଙ୍କୁ ସର୍କୁଲାର ଜାରୀ କରି ଏହି ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆର୍ମୀ ଅଫିସର ଅଥବା ଯବାନମାନେ ଯିବା ବେଳେ ସେମାନଙ୍କ ସମ୍ମାନରେ ସାଲ୍ୟୁଟ୍ କରାଯିବ ବୋଲି କୁହାଯାଇଛି।

ଏପର୍ଯ୍ୟନ୍ତ ଟୋଲ ପ୍ଲାଜା ଦେଇ ଯାଉଥିବା ସେନାଧିକାରୀ ଅଥବା ଯବାନଙ୍କୁ ସମ୍ମାନ କରାଯାଉ ନଥିଲା। ବେଳେବେଳେ ସୈନିକଙ୍କ ପ୍ରତି ଦୁର୍ବ୍ୟବହାରର ଅଭିଯୋଗ ବି ମିଳୁଥିଲା। ଫାଷ୍ଟଟ୍ୟାଗ୍ ଆରମ୍ଭ ହେବା ପରେ ଏହି ସମସ୍ୟା ଅଧିକ ହୋଇଥିଲା। ତେବେ ଇତି ମଧ୍ୟରେ ଏନଏଚଏଆଇ ଏହି ସର୍କୁଲାର ଜାରି କରିଛନ୍ତି ।

ଏହି ସର୍କୁଲାର ସହ ଶନିବାରଠାରୁ ଦେଶରେ ଏହି ପରମ୍ପରା ଆରମ୍ଭ ହୋଇଯାଇଛି। ସିବାୟା ଟୋଲ ଗେଟରେ ପ୍ରଥମେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ସେନା ଯବାନମାନେ ଯିବା ସମୟରେ ଟୋଲ କର୍ମଚାରୀମାନେ ସେମାନଙ୍କୁ ସାଲ୍ୟୁଟ୍ କରୁଥିବା ଦେଖାଯାଇଥିଲା। ଗାଡିରେ ଥିବା ଯବାନ ଓ ଅଫିସର ମଧ୍ୟ ସେମାନଙ୍କ ସାଲ୍ୟୁଟର ଜବାବ ଦେଇଥିଲେ।