ସୂର୍ଯ୍ୟୋପରାଗ: ବିଶ୍ୱାସ, ବିଜ୍ଞାନ ଓ ସଚେତନତା

Published By : Prameya-News7 Bureau | December 25, 2019 IST

wp:list
/wp:list

ଡ. ଶୁଭେନ୍ଦୁ ପଟ୍ଟନାୟକ

ଡିସେମ୍ବର ୨୬ରେ ସଂଘଟିତ ହେବ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଅନନ୍ୟ ବଳୟ ସୂର୍ଯ୍ୟୋପରାଗ । ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ । ଆସନ୍ତୁ, ଏହାପଛରେ ଥିବା ବୈଜ୍ଞାନିକ କାରଣଗୁଡ଼ିକ ଜାଣିବା ଓ ସମାଜରେ ଭରି ରହିଥିବା ଅନ୍ଧବିଶ୍ୱାସଗୁଡ଼ିକ ଦୂର କରିବାରେ ସହାୟକ ହେବା ।

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା । ପ୍ରତ୍ୟେକ ବର୍ଷ ପରାଗ ଓ ଗ୍ରହଣ ଘଟିଥାଏ । ପୂର୍ବକାଳରେ ଲୋକମାନେ ଗ୍ରହଣ ବା ପରାଗ କାହିଁକି ଘଟୁଛି, ଦିନବେଳେ ହଠାତ୍‌ କୁଆଡ଼େ ସୂର୍ଯ୍ୟ ଲୁଚିଗଲା, ଦିନେ ଦିନେ ପୂର୍ଣ୍ଣଚନ୍ଦ୍ର କାହିଁକି ରକ୍ତବର୍ଣ୍ଣ ଧାରଣ କଲା ଆଦି ଅନେକ ଘଟଣାର ଠିକ୍‌ ଉତ୍ତର ନପାଇ ଏଗୁଡ଼ିକ କୌଣସି ଅଲୌକିକ ଘଟଣା ବୋଲି ଧରି ନେଉଥିଲେ । ଏଭଳି ଆକସ୍ମିକ ବା ଆଶାତୀତ ପରିବର୍ତ୍ତନ ଘଟିଲେ ମଣିଷ ମନରେ ଭୟ, ବିସ୍ମୟ ତଥା ଉତ୍କଣ୍ଠା ଆଦି ସୃଷ୍ଟିହେବା ସ୍ୱାଭାବିକ । ଏହି ଘଟଣାଗୁଡ଼ିକ ବିଷୟରେ ଉପଯୁକ୍ତ ଜ୍ଞାନ ନଥିବାରୁ ପୂର୍ବରୁ ମଣିଷ ଏହାକୁ ବୁଝିବା ପାଇଁ ଯେକୌଣସି ବ୍ୟାଖ୍ୟାକୁ ଗ୍ରହଣ କରିନେଉଥିଲା । ମନରେ ଉତ୍ପନ୍ନ ହେଉଥିବା ଏହି ଭୟ ଓ କାଳ୍ପନିକ ଆସନ୍ନ ବିପଦ ବା ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସେ ବିଭିନ୍ନ ରୀତିନୀତି ବିନା ଦ୍ୱିଧାରେ ମାନିନେଉଥିଲା । ଆମ ସମାଜରେ ଆବହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି । ଚନ୍ଦ୍ର-ସୂର୍ଯ୍ୟକୁ ରାହୁ ବା କେତୁ ନାମକ ରାକ୍ଷସ ଗିଳି ଦେଉଥିବା ପରି ଅନେକ ଲୋକକଥାମାନ ପ୍ରଚଳିତ ଅଛି । ଗ୍ରହଣ ସମୟରେ ଦେବନୀତିରେ ପରିବର୍ତ୍ତନ, ପାକ ନିଷେଧ, ଗର୍ଭବତୀ ମହିଳାଙ୍କ ଉପରେ କଟକଣା, ବିଶେଷକରି ଏହି ସମୟରେ କବାଟ ବନ୍ଦ କରି ଘରେ ରହିବା ଆଦି ଅନେକ ଅନ୍ଧବିଶ୍ୱାସ ଏବେବି ଆମ ସମାଜରେ ବହୁଳ ଭାବରେ ପ୍ରଚଳିତ ରହିଛି । କିନ୍ତୁ ଏବେ ଆମେ ବିଜ୍ଞାନରେ ଅନେକ ଅଗ୍ରଗତି କଲେଣି । ଏକଦା ଚନ୍ଦ୍ରକୁ ମାମୁଁ କହୁଥିବା ମଣିଷ, ମହାକାଶ ଯାନରେ ଯାଇ ସେଠାରେ ପାଦ ଥାପିଲାଣି । ବିଜ୍ଞାନ, ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହାର ଠିକ୍‌ ତଥ୍ୟ ଅନେକ ଦିନରୁ ଉନ୍ମୋଚନ କରିସାରିଲାଣି । ଏଗୁଡିକ ଛାଇ ଆଲୁଅର ଏକ ଖେଳ ମାତ୍ର, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ଏବେ ସେଗୁଡିକୁ ଗଣନା କରିବା ପଦ୍ଧତିରେ ଅନେକ ପରିବର୍ତ୍ତନ ହେବା ସହ ଠିକ୍‌ଭାବରେ ପରାଗ ଓ ଗ୍ରହଣର ପୂର୍ବାନୁମାନ ମଧ୍ୟ କରାଗଲାଣି, ଯାହା ପୂର୍ବକାଳରେ ସମ୍ଭବ ନଥିଲା ।
ଏବେ ଆମେ ଜାଣିଲେଣି ଯେ, ସୂର୍ଯ୍ୟ ଚାରିପଟେ ପୃଥିବୀ ୩୬୫ ଦିନରେ ଥରେ ଓ ପୃଥିବୀ ଚାରିପଟେ ଚନ୍ଦ୍ର ୨୮ ଦିନରେ ଥରେ ଘୂରିବୁଲୁଛନ୍ତି । ପୃଥିବୀ କକ୍ଷପଥ ସହିତ ୫ଡିଗ୍ରୀ କୋଣ କରି ଢଳି ରହିଥିବା ଏକ କକ୍ଷରେ ଚନ୍ଦ୍ର ପୃଥିବୀକୁ ପ୍ରଦକ୍ଷିଣ କରେ । ପୃଥିବୀ ଓ ଚନ୍ଦ୍ର ଦୁଇଟି ନିର୍ଜୀବ ଅସ୍ୱଚ୍ଛ ପିଣ୍ଡ ଓ ସେମାନେ ସୂର୍ଯ୍ୟ ରଶ୍ମିରେ ଆଲୋକିତ ହୁଅନ୍ତି । ଚନ୍ଦ୍ର ଏକ ବିରାଟ ଗୋଲକ ହୋଇଥିବାରୁ ସର୍ବଦା ଏହାର ଅଧା ଅଞ୍ଚଳରେ ହିଁ ଆଲୋକ ପଡ଼ିଥାଏ । କିନ୍ତୁ ଚନ୍ଦ୍ରର ସମସ୍ତ ଆଲୋକିତ ଅଞ୍ଚଳକୁ ସବୁବେଳେ ପୃଥିବୀରୁ ଦେଖିହୁଏନାହିଁ । କକ୍ଷପଥରେ ଚନ୍ଦ୍ରର ଅବସ୍ଥିତି ବଦଳିବା ସହ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଭିତରେ ଜ୍ୟାମିତି ବଦଳିଚାଲେ । ଫଳରେ ପୃଥିବୀକୁ ଦେଖାଯାଉଥିବା ଚନ୍ଦ୍ରର ଆଲୋକିତ ଅଂଶ କମେ ଓ ବଢ଼େ । ତେଣୁ ଚନ୍ଦ୍ରକଳାର ହ୍ରାସ-ବୃଦ୍ଧି ଘଟି ପୂର୍ଣ୍ଣିମା ଓ ଅମାବାସ୍ୟା ଦୃଶ୍ୟହୁଏ । ପୂର୍ଣ୍ଣିମା ଦିନ ପୃଥିବୀର ଗୋଟିଏ ଦିଗରେ ସୂର୍ଯ୍ୟ ଓ ବିପରୀତ ଦିଗରେ ଚନ୍ଦ୍ର ଥାଏ । ଫଳରେ ସୂର୍ଯ୍ୟ ଦ୍ୱାରା ଆଲୋକିତ ଚନ୍ଦ୍ରର ସବୁ ଅଂଶକୁ ଆମେ ଦେଖିଥାଉ । ସେହିପରି ଅମାବାସ୍ୟା ଦିନ ପୃଥିବୀର ଗୋଟିଏ ଦିଗରେ ଉଭୟ “ସୂର୍ଯ୍ୟ ଓ ଚନ୍ଦ୍ର’ ରହିଥାନ୍ତି । ସେତେବେଳେ ଚନ୍ଦ୍ରର ପୂରା ଆଲୋକିତ ଅଂଶ ତାହାର ପଛପାଖରେ ରହୁଥିବାରୁ ଏହା ଆମକୁ ଦେଖାଯାଏନାହିଁ । ମହାକାଶରେ ବୁଲୁଥିବା ପିଣ୍ଡ ପୃଥିବୀ ଓ ଚନ୍ଦ୍ର ବେଳେବେଳେ ସୂର୍ଯ୍ୟ ସହ ଏକ ସରଳରେଖାରେ ରହିବା ଫଳରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ । ପରାଗ ସମୟରେ “ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ ଓ ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛିସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବପର । ଗ୍ରହଣ ସମୟରେ “ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ହିଁ ପଡ଼ିଥାଏ । ଗୋଟିଏ ଇଂରାଜୀ ବର୍ଷରେ ପ୍ରାୟ ୧୩ଟି ପୂର୍ଣ୍ଣିମା ଓ ୧୩ଟି ଅମାବାସ୍ୟା ହୋଇଥାଏ । ସେହି ଦିନଗୁଡିକରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ଏକ ସରଳରେଖା ପାଖାପାଖି ଆସୁଥିଲେ ମଧ୍ୟ କଦବା କ୍ୱଚିତ ପିଣ୍ଡ ତିନୋଟି ଏକ ସରଳରେଖାରେ ରୁହନ୍ତି । ତେଣୁ ସବୁ ଅମାବାସ୍ୟା ଓ ସବୁ ପୂର୍ଣ୍ଣିମାରେ ପରାଗ ବା ଗ୍ରହଣ ହୁଏନାହିଁ । ଚନ୍ଦ୍ରର କକ୍ଷପଥ ଓ ପୃଥିବୀର କକ୍ଷପଥ ୫ଡିଗ୍ରୀ ଢଳି ନରହି ଯଦି ଏକ ସମତଳରେ ଥାଆନ୍ତା, ତାହାଲେ ପ୍ରତି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଓ ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେଉଥାନ୍ତା । ଗୋଟିଏ ବର୍ଷରେ ଗ୍ରହଣ ଓ ପରାଗ ମିଶି ଅତି ବେଶିରେ ୭ଟି ଘଟିପାରେ, ସେଥିରୁ ୪ଟି ବା ୫ଟି ସୂର୍ଯ୍ୟୋପରାଗ ଓ ତିନି ବା ଦୁଇଟି ଚନ୍ଦ୍ରଗ୍ରହଣ ହୁଏ । ବର୍ଷକୁ ଅତି କମ୍‌ରେ ୨ଟି ପରାଗ/ଗ୍ରହଣ ନିଶ୍ଚୟ ଘଟିଥାଏ ଓ ଏପରି ହେଲେ ଦୁଇଟିଯାକ ସୂର୍ଯ୍ୟୋପରାଗ ହୁଏ । ଚଳିତ ଶତାବ୍ଦୀରେ ୮୫ଟି ପୂର୍ଣ୍ଣ ୫୭ଟି ଆଂଶିକ ଓ ୮୬ଟି ଉପଚ୍ଛାୟାଜନିତ ଏପରି ମୋଟ୍‌ ୨୨୮ଟି ଚନ୍ଦ୍ରଗ୍ରହଣ ଘଟିବ । ସେହିପରି ୬୮ଟି ପୂର୍ଣ୍ଣ, ୭୭ଟି ଆଂଶିକ, ୭୨ଟି ବଳୟାକାର ଓ ୭ଟି ମିଶ୍ର(ପୂର୍ଣ୍ଣ ଓ ବଳୟ) ଏପରି ମୋଟ୍‌ ୨୨୪ଟି ସୂର୍ଯ୍ୟୋପରାଗ ସଂଘଟିତ ହେବ । ପୃଥିବୀ ତୁଳନାରେ ଚନ୍ଦ୍ରର ଆକାର ଖୁବ୍‌ ଛୋଟ । ତେଣୁ ପୃଥିବୀର ଏକ ବଡ଼ ଛାଇ ସୃଷ୍ଟି ହେଉଥିଲାବେଳେ ଚନ୍ଦ୍ରର ଛାଇ ଖୁବ୍‌ ଛୋଟ । ତେଣୁ ସୂର୍ଯ୍ୟୋପରାଗର ଅବଧି ଚନ୍ଦ୍ରଗ୍ରହଣ ତୁଳନାରେ ବହୁତ ଅଧିକ ହୋଇଥାଏ ଓ ଚନ୍ଦ୍ରଗ୍ରହଣ ଏକ ବିରାଟ ଅଞ୍ଚଳକୁ ଦେଖାଯିବାବେଳେ ସୂର୍ଯ୍ୟୋପରାଗ ବହୁତ ଛୋଟ ଅଞ୍ଚଳକୁ ଦେଖାଯାଇଥାଏ । ପୃଥିବୀର ଯେକୌଣସି ସ୍ଥାନରୁ ଗୋଟିଏ ସଂପୂର୍ଣ୍ଣ ସୂର୍ଯ୍ୟୋପରାଗ ସର୍ବାଧିକ ସାଢ଼େ ସାତ ମିନିଟ ପାଇଁ ଦୃଶ୍ୟ ହୋଇପାରେ । କିନ୍ତୁ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସର୍ବାଧିକ ପ୍ରାୟ ୧ଘଣ୍ଟା ୪୭ମିନିଟ ହୋଇପାରେ ।

{"id":202302,"sizeSlug":"large"}


ଆସନ୍ତା ଡିସେମ୍ବର ୨୬ ତାରିଖ ସକାଳେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ । ଏହି ବିରଳ ମହାଜାଗତିକ ଘଟଣାଟି ସମଗ୍ର ଓଡ଼ିଶାକୁ ଆଂଶିକ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ । ଏହା ଭାରତ ଦକ୍ଷିଣରେ ଥିବା କେତେକ ରାଜ୍ୟକୁ ସଂପୂର୍ଣ୍ଣ ଦେଖାଯିବ । ଏହି ପରାଗ ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ । ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ ସକାଳ ୯ଟା ୪୬ମିନିଟ ସମୟରେ । ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫-୬୫% ଘୋଡ଼ାଇଦେବ ଓ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ । ଏହା ଏକ ବିରଳ ଦୃଶ୍ୟ । ମନେରଖନ୍ତୁ, ସୂର୍ଯ୍ୟକୁ ବା ସୂର୍ଯ୍ୟୋପରାଗକୁ ଖାଲିଆଖିରେ କେବେବି ଦେଖନ୍ତୁନାହିଁ । ଏହାକୁ ଦେଖିବା ପାଇଁ ଅନେକ ନିରାପଦ ଉପାୟ ରହିଛି । ସେଗୁଡିକୁ ବ୍ୟବହାର କରି ନିରାପଦ ଭାବରେ ସୂର୍ଯ୍ୟୋପରାଗ ଦେଖିହେବ ।


ସୂର୍ଯ୍ୟୋପରାଗ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ, ଯାହାକୁ ସାବଧାନତା ଅବଲମ୍ବନ କରି ଦେଖିହେବ । ସାଧାରଣ କଳା ଚଷମା, ଏକ୍ସରେ, ହଳଦୀ ପାଣି ବା ଖାଲିଆଖିରେ କେବେବି ସୂର୍ଯ୍ୟୋପରାଗକୁ ଦେଖନ୍ତୁ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଚଷମା ଓ ନିରାପଦ ଉପାୟମାନ ବ୍ୟବହାର କରନ୍ତୁ ଓ ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନେଇ ପ୍ରସ୍ତୁତ ହୁଅନ୍ତୁ । ଏବେ ବଜାରରେ ଅନେକ ଭଲ ସୌର ଚଷମା ମଧ୍ୟ ମିଳିଲାଣି । ପୂର୍ବରୁ ସଂଗ୍ରହ କରି ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟୋପରାଗକୁ ଦେଖନ୍ତୁ ଓ ଅନ୍ୟମାନଙ୍କୁ ଦେଖାନ୍ତୁ । ଓଡ଼ିଶାର ସବୁ ଅଞ୍ଚଳରୁ ଏହା ଦେଖିହେବ । ପଠାଣି ସାମନ୍ତ ପ୍ଲାନେଟାରିୟମ ତଥା ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ସଚେତନ କରିବା ସହ ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଅନୁରୋଧ କରାଯାଉଛି । ଆସନ୍ତୁ, ସମସ୍ତେ ଏହି ବିରଳ ଦୃଶ୍ୟଗୁଡିକୁ ଉପଭୋଗ କରିବା । ଏହାପଛରେ ଥିବା ବୈଜ୍ଞାନିକ କାରଣଗୁଡ଼ିକ ଜାଣିବା ଓ ସମାଜରେ ଭରିରହିଥିବା ଅନ୍ଧବିଶ୍ୱାସଗୁଡ଼ିକ ଦୂର କରିବାରେ ସହାୟକ ହେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.