ସାମାଜିକ ଅଗ୍ରଗତିରେ ପୁଡୁଚେରୀ,ଲକ୍ଷଦ୍ୱୀପ ଓ ଗୋଆ ସବୁଠୁ ପ୍ରଗତିଶାଳୀ ରାଜ୍ୟ
20/12/2022 at 7:08 PM

ନୂଆଦିଲ୍ଲୀ ୨୦।୧୨: କେନ୍ଦ୍ର ସରକାର ମଙ୍ଗଳବାର ସୋସିଆଲ ପ୍ରୋଗ୍ରେସ୍ ଇଣ୍ଡେକ୍ସ-୨୦୨୨( ସାମାଜିକ ପ୍ରଗତି ସୂଚକାଙ୍କ) ଜାରି କରିଛନ୍ତି। ଏହି ସୂଚକାଙ୍କ ଅନୁସାରେ ସାମାଜିକ ପ୍ରଗତିରେ ଦେଶର ପୁଡୁଚେରୀ, ଲକ୍ଷଦ୍ୱୀପ ଓ ଗୋଆ ସବୁଠୁ ଭଲ ରାଜ୍ୟ ବୋଲି ଜଣାପଡିଛି।ଏହି ଅନୁସାରେ ମିଜୋରାମର ଆଇଜୋଲ, ହିମାଚଳପ୍ରଦେଶର ସୋଲନ ଓ ଶିମଲା ସବୁଠୁ ଭଲ ଜିଲ୍ଲା। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦ ଓ ଇନିଷ୍ଟିଚ୍ୟୁଟ୍ ଫର କମ୍ପିଟେଟିଭନେସ୍ ଏଣ୍ଡ ସୋସିଆଲ ପ୍ରୋଗ୍ରେସ୍ ଇମ୍ପରେଟିଭ ମିଳିତ ଏହି ତଥ୍ୟ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଓ ଜିଲ୍ଲାମାନଙ୍କର ଏହି ସ୍ଥିତି ୧୨ଟି ଆଧାରରେ ସ୍ଥିରିକୃତ ହୋଇଛି। ଏହି ଆଧାରମାନଙ୍କରେ ଲୋକଙ୍କ ମୌଳିକ ଆବଶ୍ୟକତା ଓ ସମ୍ଭାବନାର ଖାସ୍ ଧ୍ୟାନ ଦିଆଯାଇଛି। ଏହା ଛଡା ପୋଷଣ, ମୌଳିକ ସ୍ୱାସ୍ଥ୍ୟ ସେବା, ପେୟଜଳ, ସ୍ୱଚ୍ଛତା, ସୁରକ୍ଷା, ବସବାସ, ପରିବେଶର ପରିସ୍ଥିତି ଓ ଆଧୁନିକ ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚ ଆଧାରରେ ଅଙ୍କା ଯାଇଛି। ଏହି ଇଣ୍ଡେକ୍ସ ଲାଗି ଦେଶର ସବୁ ରାଜ୍ୟ ଓ ଜିଲ୍ଲାଙ୍କୁ ୬ ଟାୟାରରେ ବଣ୍ଟା ଯାଇଥିଲା। ଏଥିରେ ପୁଡୁଚେରୀର ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସ ସ୍କୋର ୬୫.୯୯ ଥିବା ବେଳେ ଏହା ପଛକୁ ଲକ୍ଷଦ୍ୱୀପ, ଗୋଆ ଓ ସିକ୍କିମ ଆଦି ରାଜ୍ୟ ଅଛନ୍ତି ।

ଇଏସି-ପିଏମର ଚେୟାରମ୍ୟାନ ଭିବେକ ଦେବରାୟ ଏହି ରିପୋର୍ଟ ଜାରି କରିଛନ୍ତି। ଅଧିକାରୀକ ବୟାନ ଅନୁସାରେ ଦୀର୍ଘାବଧିରେ ଶତତ ଆର୍ଥିକ ଅଭିବୃଦ୍ଧି ଲାଗି ଦେଶରେ ସାମାଜିକ ପ୍ରଗତି ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି। ଏହି ସୂଚକାଙ୍କ ଲାଗି ଯେଉଁ ୬ଟି ଟାୟାରରେ ରାଜ୍ୟମାନଙ୍କୁ ବିଭକ୍ତ କରାଯାଇଥିଲା ଏଥିରେ ଭେରି ହାଇ ସୋସିଆଲ ପ୍ରୋଗ୍ରେସ୍ରେ ପୁଡୁଚେରୀ ଓ କେରଳ ଥିବା ବେଳେ ହାଇ ସୋସିଆଲ ପ୍ରୋଗ୍ରେସ୍ରେ ଜମ୍ମୁ-କାଶ୍ମୀରରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଅପର ମିଡିଲ ସୋସିଆଲ ପ୍ରୋଗ୍ରେସ୍ରେ ଉତ୍ତରାଖଣ୍ଡ ଓ ମଣିପୁର, ଲୋଅର ମିଡିଲ ସୋସିଆଲ ପ୍ରୋଗ୍ରେସ୍ରେ ହରିୟାଣା ଓ ରାଜସ୍ଥାନ, ଲୋ ସୋସିଆଲ ପ୍ରୋଗ୍ରେସ୍ରେ ୟୁପି ଓ ମଧ୍ୟ ପ୍ରଦେଶ, ଭେରି ଲୋ ସୋସିଆଲ ପ୍ରୋଗ୍ରେସ୍ରେ ଆସାମ ଓ ଝାଡଖଣ୍ଡ ରାଜ୍ୟ ଅଛନ୍ତି।
ସୂଚକାଙ୍କରେ ପୁଡୁଚେରୀର ସ୍କୋର ୬୫.୯୯ ଥିବା ବେଳେ ଲକ୍ଷଦ୍ୱୀପର ୬୫.୮୯, ଗୋଆ ୬୫.୫୩, ସିକ୍କିମ ୬୫.୧୦, ମିଜୋରାମ ୬୪.୧୯, ତାମିଲନାଡୁ ୬୩.୩୩, ହିମାଚଳ ପ୍ରଦେଶ ୬୩.୨୮, ଚଣ୍ଡିଗଡ ୬୨.୩୭, କେରଳ ୬୨.୦୫, ଜମ୍ମୁ-କାଶ୍ମୀର ୬୦.୭୬, ପଞ୍ଜାବ ୬୦.୨୩, ଦାଦର ନଗର ହାବେଲୀ ଦାମନ ଓ ଡ୍ୟୁ ୫୯.୮୧, ଲଦ୍ଦାଖ ୫୯.୫୩, ନାଗାଲ୍ୟାଣ୍ଡ ୫୯.୨ ୪, ଆଣ୍ଡାମାନ ଓ ନିକୋବର ୫୮.୭୬, ଉତ୍ତରାଖଣ୍ଡ ୫୮.୨୬, କର୍ଣ୍ଣାଟକ ୫୬.୭୭, ଅଋଣାଚଳ ପ୍ରଦେଶ ୫୬.୫୬, ଦିଲ୍ଲୀ ୫୬.୨୮, ମଣିପୁର ୫୬.୨୭, ହରିୟାଣା ୫୪.୧୫, ଗୁଜରାଟ ୫୩.୮୧, ଆନ୍ଧ୍ରପ୍ରଦେଶ ୫୩.୬୦, ମେଘାଲୟ ୫୩.୨୨, ପଶ୍ଚିମବଙ୍ଗ ୫୩.୧୩, ତେଲେଙ୍ଗାନା ୫୨.୧୧, ତ୍ରିପୁରା ୫୧.୭୦, ଛତିଶଗଡ ୫୧.୩୬, ମହାରାଷ୍ଟ୍ର ୫୦.୮୬, ରାଜସ୍ଥାନ ୫୦.୬୯, ଉତ୍ତରପ୍ରଦେଶ ୪୯.୧୬, ଓଡିଶା ୪୮.୧୯, ମଧ୍ୟପ୍ରଦେଶ ୪୮.୧୧, ଆସାମ ୪୪.୯୨, ବିହାର ୪୪.୪୭ ଓ ଝାଡଖଣ୍ଡର ସ୍କୋର ୪୩.୯୫ ରହିଛି।