ବେଡ୍ ନାହିଁ, ହସ୍ପିଟାଲରେ ତଳେ ଗଡୁଛନ୍ତି ରୋଗୀ, କ୍ଲାନ୍ତ ଡାକ୍ତର ହେଉଛନ୍ତି ବେହୋସ, ଚୀନ୍ରେ ଏମିତି ତାଣ୍ଡବ ରଚିଛି କରୋନା
21/12/2022 at 7:08 PM

ଚୋଂଗକିଂଗ ୨୧।୧୨: ଚୀନ୍ର ଚୋଂଗକିଂଗ ସହରରୁ କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରୋଗୀଙ୍କ ଚେକଅପ କାଳରେ ଡାକ୍ତର କିପରି ଥକିକି ଶୋଇ ଯାଉଛନ୍ତି ଦେଖାଯାଇପାରେ। କେବଳ ଏହି ଭିଡିଓ ନୁହେଁ ଅନ୍ୟ ଭିଡିଓ ଗୁଡିକ ମଧ୍ୟ ଚୀନ୍ରେ କୋରନାର କରାଳ ରୂପକୁ ଦେଖାଉଛନ୍ତି ଯାହା ଆତଙ୍କିତ କରୁଛି। ଏହି ସବୁ ଭିଡିଓ ଗୁଡିକ ହସ୍ପିଟାଲମାନଙ୍କର ଭୟାବହ ଚିତ୍ରକୁ ପ୍ରଦର୍ଶନ କରୁଛନ୍ତି।
ଭିଡିଓରେ ଚୋଂଗକିଂଗରେ ଏକ ହସ୍ପିଟାଲର ଏମାର୍ଜେନ୍ସୀ ରୁମ ଦେଖାଯାଉଛି। ରୁମରେ ରୋଗୀଙ୍କ ଲାଗି ବେଡର ଅଭାବ ସ୍ପଷ୍ଟ ଦେଖି ହେଉଛି। ସବୁ ବେଡରେ ରୋଗୀ ଶୋଇଥିବା ବେଳେ ଜରୁରୀ ଚିକିତ୍ସା ଲାଗି ଆସୁଥିବା ଗୁରୁତରଙ୍କୁ ଡାକ୍ତର ତଳେ ସୁଆଇ ଚିକିତ୍ସା କରୁଛନ୍ତି। ଏଥିରେ ଡାକ୍ତର ଜଣେ ରୋଗୀଙ୍କୁ ସିପିଆର ଦେଉଥିବା ଦେଖାଯାଉଛି। ଅଧିକାଂଶ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଡାକ୍ତର ଯେଉଁଠି ଆବଶ୍ୟକ ପଡୁଛି ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖାଯାଉଛି।
官方说没有重症,看看重庆医科大学附属第一医院 急诊留观区域。 pic.twitter.com/UsGiKoS4gG
— iPaul🇨🇦🇺🇦 (@iPaulCanada) December 20, 2022
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓରେ ରୋଗୀଙ୍କ ଚେକଅପ କରୁଥିବା ଡାକ୍ତର ଅଚାନକ ବେହୋସ ହୋଇପଡୁଛନ୍ତି। ଏହି ଭିଡିଓରୁ ଚୀନ୍ରେ ଏବେ କରୋନାର କରାଳ ରୂପକୁ ଅନୁଭବ କରି ହେଉଥିବା ବେଳେ ହସ୍ପିଟାଲରେ ଡାକ୍ତରମାନେ କିପରି ଓଭରଟାଇମ ଡ୍ୟୁଟି କରି ଥକିପଡୁଛନ୍ତି ତାହାମଧ୍ୟ ଦେଖାଯାଉଛି। ଭିଡିଓରେ ଡାକ୍ତରଙ୍କ ଉପରେ ଲଗାତାର ବଢୁଥିବା ୱାର୍କ ଲୋଡ ଓ ରୋଗୀଙ୍କ ଅନ୍ତହୀନ ଧାଡିରେ ଥକ୍କା ଡାକ୍ତରମାନେ ମଝିରେ ମଝିରେ ଢୁଳେଇ ପଡୁଥିବାର ଓ ଶେଷରେ ବେହୋସ ହୋଇଯାଉଥିବାର ଦେଖାଯାଉଛି।
ଚୀନ୍ରେ ଦେଶବ୍ୟାପୀ ବିକ୍ଷୋଭ ପରେ ସରକାର ଚଳିତମାସ ପ୍ରାରମ୍ଭରେ ଜିରୋ କୋଭିଡ ପଲିସି ହଟାଇ ଦେଇଛନ୍ତି। କଟକଣା ହଟିବାମାତ୍ରେ ଦେଶର ଏକ ବିଶାଳ ଜନସଂଖ୍ୟା କୋଭିଡ କବଳିତ ହୋଇଛନ୍ତି। ଏହା ସେହି ଜନସଂଖ୍ୟା ଯେଉଁମାନେ କୋଭିଡ ଟିକାକରଣ କାଳରେ ନିଜର ଟିକା କରାଇନଥିଲେ। ଏମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ଦେଖାଯାଉଛି। ଦେଶରେ କରୋନାର ଏପରି ଅଚାନକ ଲହର ଲାଗି ହସ୍ପିଟାଲ ଓ ସ୍ୱାସ୍ଥ୍ୟପ୍ରଣାଳୀ ପ୍ରସ୍ତୁତ ନଥିଲା। ଏଣୁ ପରିସ୍ଥିତି ବିଗିଡିବାରେ ଲାଗିଛି।
能排队几个小时看发热门诊,说明病不重。 pic.twitter.com/4uFPEtevC6
— iPaul🇨🇦🇺🇦 (@iPaulCanada) December 12, 2022
ଏଥିରେ ସରକାର କେବଳ ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ରୋଗ ଯୋଗୁ ହେଉଥିବା ମୃତ୍ୟୁକୁ କରୋନା ମୃତ୍ୟୁ ସଂଖ୍ୟାରେ ସାମିଲ କରୁଛନ୍ତି। ଏହି ଅନୁସାରେ ଡିସେମ୍ବର ୨୦ ତାରିଖ ଦିନ ଦେଶରେ କରୋନା ଯୋଗୁ ଜଣେ ବି ରୋଗୀର ମୃତ୍ୟୁ ହୋଇନଥିବା କହିଛନ୍ତି। ପ୍ରଥମରୁ ଚୀନ୍ କରୋନାକୁ ନେଇ ତଥ୍ୟ ଲୁଚାଉଥିବାର ଅଭିଯୋଗ ହେଉଥିଲା। ଏବେବି ସରକାର ତଥ୍ୟ ଲୁଚାଉଛନ୍ତି। ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ସବୁ ଭିଡିଓ ଭାଇରାଲ ହେଉଛି ତାହା ଚୀନ୍ର ବାସ୍ତବ ପରିସ୍ଥିତିକୁ ଦର୍ଶାଉଛି।
ଚୀନ୍ରେ ପ୍ରଥମ କରୋନା ଲହର କ୍ରିସମାସ, ଦ୍ୱିତୀୟ ଲହର ନୂଆ ବର୍ଷ ଓ ତୃତୀୟ ଲହର ଲୁନାର ନ୍ୟୁ ଇୟରରେ ଦେଖିବାକୁ ମିଳିବ। ଜାନୁୟାରୀ ୨୨ ତାରିଖରେ ଚୀନ୍ ନବବର୍ଷ ପାଳିତ ହେବ। ତା ପୂର୍ବରୁ ନବବର୍ଷର ପାରମ୍ପରିକ ଛୁଟିରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୀଷଣ ଭିଡ ହେବ। ପରିସ୍ଥିତି ଏପରି ହେବ ଯେ ସଡକ ଓ ଟ୍ରେନ୍ ସବୁଠି ଜାମ୍ ଦେଖିବାକୁ ମିଳିବ। ଯଦି ଏପରି ହୁଏ ତେବେ ଏହା ଚୀନ୍ ଲାଗି ସବୁଠୁ ଘାତକ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। କାରଣ ବହୁମାତ୍ରାରେ ଲୋକେ ଛୁଟି କଟେଇବା ପାଇଁ ସେମାନଙ୍କ ଘରକୁ ଫେରିବେ।