ପିଲାଙ୍କୁ ବିଗାଡୁଛି ସୋସିଆଲ୍‌ ମିଡିଆ, ୧୨ ଘଣ୍ଟା ପରିବର୍ତ୍ତେ ଶୋଉଛନ୍ତି ୮ ଘଣ୍ଟା

Published By : Prameya-News7 Bureau | September 16, 2022 IST

ମୁମ୍ଵାଇ ୧୬।୦୯: ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।  ପ୍ରାଥମିକ  ସ୍କୁଲ ପିଲାଙ୍କ ଠାରୁ ସବୁ ଯୁବ ବର୍ଗ ପର୍ଯ୍ୟାପ୍ତ ନିଦ ପାଉ ନାହାନ୍ତି । ଏକ ଅଧ୍ୟୟନ ଏହାର ଖୁଲାସା କରିଛି । ୧୦ରୁ ୧୧ ବର୍ଷ ବୟସର ପିଲା  ପ୍ରତି ରାତିରେ ୧୨ ଘଣ୍ଟା ନିଦ ପାଉନାହାନ୍ତି । ଏହା  ପରିବର୍ତ୍ତେ ସେମାନେ ହାରାହାରି ୮.୭ ଘଣ୍ଟା ଶୋଇବାକୁ  ପାଉଛନ୍ତି । ଡି ମଣ୍ଟଫର୍ଟ ବିଶ୍ୱବିଦ୍ୟାଳୟର ଗବେଷକ ଡା.  ଜନ୍‌ ଶ ଙ୍କ ନେତୃତ୍ୱରେ ଲିସେଷ୍ଟର୍‌ ସ୍ଥିତ ସମସ୍ତ ସ୍କୁଲରେ  ଏହି ଅଧ୍ୟୟନ କରାଯାଇଥିଲା ।  ଅଧ୍ୟୟନରେ ସୋସିଆଲ ମିଡିଆରେ ସମୟ ବିତାଉଥିବା  ୧୦ ବର୍ଷ ବୟସର ୬୦ ପିଲାଙ୍କୁ ସାମିଲ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ପିଲାଙ୍କର ନିଜର  ସ୍ମାର୍ଟଫୋନ୍‌ ଥିଲା । ୫୫.୪ ପ୍ରତିଶତ ଟ୍ୟାବ୍‌ ବ୍ୟବହାର  କରୁଥିଲେ । ୨୩.୨ ପ୍ରତିଶତ କମ୍ପ୍ୟୁଟର ଏବଂ ୯  ପ୍ରତିଶତ ପିଲା ସ୍ମାର୍ଟୱାଚ୍‌ ବ୍ୟବହାର କରୁଥିବା କଥା  କହିଥିଲେ ।

କିଶୋରଙ୍କ ଉପରେ ସୋସିଆଲ ମିଡିଆ,  ନିଦ ଓ ଫୋମୋ (ଫିଅର୍‌ ଅଫ୍‌ ମିସିଙ୍ଗ ଆଉଟ୍‌ ବା  ହରାଇବାର ଭୟ)ର ଏହି ଅଧ୍ୟୟନ ପ୍ରଥମ । ରାତିରେ  ଯେଉଁ ସମୟରେ ଶୋଇବା ଉଚିତ୍‌, ସେହି ସମୟରେ  ପ୍ରତି ୮ ଜଣ ପିଲାଙ୍କ ମଧ୍ୟରେ ଜଣେ ସୋସିଆଲ  ମିଡିଆ ବ୍ୟବହାର କରୁଥିଲେ ବୋଲି ଗବେଷକମାନେ  ଜାଣିବାକୁ ପାଇଲେ ।  ପ୍ରାୟ ୬୯ ପ୍ରତିଶତ ପିଲା କହିଥିଲେ ଯେ ଦିନକୁ  ସେମାନେ ୪ ଘଣ୍ଟାରୁ ଅଧିକ ସମୟ ସୋସିଆଲ  ମିଡିଆରେ ବ୍ୟସ୍ତ ରହୁଛନ୍ତି । ୬୬ ପ୍ରତିଶତ ପିଲା  ବିଛଣାକୁ ଯିବା ପୂର୍ବରୁ ପ୍ରାୟ ୨ ଘଣ୍ଟା ଫୋନ୍‌ରେ  ସମୟ ବିତାଉଛନ୍ତି । ୧୨.୫ ପ୍ରତିଶତ ଅର୍ଦ୍ଧରାତ୍ରିରେ  ଫୋନ୍‌ ବ୍ୟବହାର କରିବା ବିଷୟରେ କହିଛନ୍ତି । ଏହା  ଆଶ୍ଚର୍ଯ୍ୟଜନକ ତଥ୍ୟ ବୋଲି ଗବେଷକମାନେ କହିଛନ୍ତି ।   ୮୯ ପ୍ରତିଶତ ପିଲା ସବୁଠୁ ଲୋକପ୍ରିୟ ପ୍ଲାଟ୍‌ଫର୍ମ  ଟିକ୍‌ ଟକ୍‌ ବ୍ୟବହାର କରୁଛନ୍ତି । ୮୩.୯ ପ୍ରତିଶତ  ସ୍ନାପ୍‌ଚାଟ୍‌, ୮୭.୫ ପ୍ରତିଶତ ୟୁଟ୍ୟୁବ୍‌, ୫୭ ପ୍ରତିଶତ  ପିଲା ଇନ୍‌ଷ୍ଟାଗ୍ରାମ୍‌, ୧୭ ପ୍ରତିଶତ ରେଡିଟ୍‌ ଏବଂ ୨  ପ୍ରତିଶତରୁ କମ୍‌ ପିଲା ଫେସ୍‌ବୁକ୍‌ ବ୍ୟବହାର କରୁଥିବା  ଜଣାପଡ଼ିଲା । ସେମାନେ ଯେତେ ଅଧିକ ସମୟ  ସୋସିଆଲ ମିଡିଆରେ ସମୟ ବିତାଉଥିଲେ, ନିଦର  ଗୁଣବତ୍ତା ଆହୁରି ଖରାପ ହେଉଥିଲା ।

ନିଦ ଉପରେ  ପ୍ରଭାବ ପଡ଼ିବା ଦ୍ୱାରା ପିଲାଙ୍କ ଧୀ ସମ୍ବନ୍ଧୀୟ ବିକାଶରେ  ବାଧା ଉପୁଜୁଛି ବୋଲି ଗବେଷକମାନେ ଚେତାଇ  ଦେଇଛନ୍ତି । ଅଧିକ ସମୟ ସୋସିଆଲ ମିଡିଆରେ  ବିତାଉଥିବା ପିଲାଙ୍କ ଉଦ୍‌ବେଗ, ଚିଡ଼ିଚିଡ଼ାପଣ ସ୍ତର  ବଢ଼ିଥିବା ଏଥିରେ ଲକ୍ଷ୍ୟ କରାଯାଇଛି ।   ପିଲାଙ୍କ ଶୋଇବା ସମୟ ସେମାନଙ୍କ ଆବେଗର  ପ୍ରକ୍ରିୟାକରଣ ଓ ସ୍ମରଣଶକ୍ତି ଏକୀକରଣ,  ସୃଜନଶୀଳତା ଓ ସମସ୍ୟା ସମାଧାନ ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଯଦି ପର୍ଯ୍ୟାପ୍ତ ନିଦ ନ  ହୁଏ, ଏହି ପ୍ରକ୍ରିୟା ହେବାକୁ ସୁଯୋଗ ପାଆନ୍ତି ନାହିଁ ।  ଯେତେବେଳେ ଆମେ ଧୀମା-ତରଙ୍ଗ ନିଦ୍ରାରେ ପ୍ରବେଶ  କରୁ³ ଆମ ଶରୀର ଆରାମ କରେ, ପୁନରୁଦ୍ଧାର ହୁଏ,  ବୃଦ୍ଧି ହର୍‌ମୋନ୍‌ ନିର୍ଗତ ହୁଏ । ଏଗୁଡ଼ିକର ବୃଦ୍ଧି  ପ୍ରକ୍ରିୟା ଜାରି ରହେ । ତେଣୁ ଛୋଟ ପିଲା ବୟସ୍କଙ୍କ  ଅପେକ୍ଷା ଅଧିକ ସମୟ ଶୋଇବା ଉଚିତ୍‌, କାରଣ  ସେମାନେ ଜୈବ ପରିବର୍ତ୍ତନ ମଧ୍ୟଦେଇ ଗତି କରୁଛନ୍ତି  ବୋଲି ଗବେଷକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.