“ମୋ ତୂଳୀରେ ଋତୁସ୍ରାବର କଥା”,  ଚିତ୍ର ବାଣ୍ଟୁଛି ସଚେତନତାର ବାର୍ତ୍ତା

Published By : Prameya-News7 Bureau | May 26, 2022 IST

ଭୁବନେଶ୍ୱର: ୨୬/୦୫: କଥାରେ ଅଛି, ଚିତ୍ର କଥା କୁହେ କିନ୍ତୁ ତାର କୌଣସି କଥିତଭାଷା ନଥାଏ । ତୂଳୀର ପରଶରେ ଚିତ୍ରକରର ପରିକଳ୍ପନା ଜୀବନ୍ତହୁଏ । ତେଣୁ ଅନେକସମୟରେ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ସହଜରେ ବୁଝାଇବା ପାଇଁ ଏହାକୁ ଚିତ୍ର ମାଧ୍ୟମରେ ପ୍ରର୍ଦଶିତ କରାଯାଇଥାଏ । ବର୍ତମାନର ଏକ ବଡ ଆଲୋଚନାର ବିଷୟ ବସ୍ତୁ ଋତୁସ୍ରାବ ଓ ଏହା ସମ୍ବନ୍ଧୀୟ ପରିଚ୍ଛନ୍ନତା‛। ଯୁବପୀଢିର ଚିତ୍ରକରମାନେ ଏହିବିଷୟବସ୍ତୁକୁ ‘ମୋ ତୂଳୀରେ କାହିଁକି ଲୁଚେଇବା’ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତି । ପ୍ରର୍ଦଶନୀଟି ସ୍ଥାନୀୟ ଜୟଦେବ ଭବନଠାରେ ଦୁଇଦିନ ଧରି ଆୟୋଜିତ ହୋଇଯାଇଛିା

ଦୀର୍ଘ ୨୩ ବର୍ଷ ଧରି ଲୋକମାନଙ୍କ ପାଇଁ କାମକରି ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଏବଂ ଦିଲ୍ଲୀ ସ୍ଥିତ ପରପସ ସଂଗଠନର ସ୍ୱତନ୍ତ୍ର କ୍ୟାମ୍ପେନ ବାତେଁଅନଲକ ସହଭାଗୀତାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି ଏହି ଚିତ୍ରକଳା ପ୍ରଦର୍ଶନୀ । ଯେଉଁଥିରେ ଭୁବନେଶ୍ୱରର ବିଭିନ୍ନ କଲେଜରୁ ପ୍ରାୟ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ପ୍ରାୟ ୧୦୦ଟି ଚିତ୍ରକଳାକୁ ପ୍ରଦର୍ଶିତ କରାଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଆର୍ନ୍ତଜାତୀୟ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଡଃ. ଦୀଲିପ ତିର୍କୀ ଉଦଘାଟନ କରି ଏଭଳି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ ଓ ଏହି କ୍ୟମ୍ପେନ୍ କୁ ସୂଦୂରପ୍ରସାରୀ କରାଯିବା ସହିତ ସୃଜନଶୀଳତାରେ ପରିପୂର୍ଣ୍ଣ ଚିତ୍ରଗୁଡିକ ସମାଜକୁ ଏକ ନୂଆ ସତେଚନତାର ବାର୍ତା ଦେବ ବୋଲି ମତ ରଖିଥିଲେ ।

ଅନ୍ୟତମ ଅତିଥି ଭାବରେ ଚିତ୍ରଶିଳ୍ପୀ ତଥା ଯନ୍ତ୍ରୀ ଶ୍ରୀ ଲଲାଟେନ୍ଦୁ ରଥ, ପ୍ରସିଦ୍ଧ ଚିତ୍ରକର ଶ୍ରୀ ରାମହରି ଜେନା, ଶ୍ରୀ ବୀରେନ୍ ଦାସ, କାର୍ଟୁନିଷ୍ଟ ଶ୍ରୀ କମଳାକାନ୍ତ ରଥ, ରାଜ୍ୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଶ୍ରୀମତୀ ଅତସି ବାସୁ, ସଂସ୍କୃତି ବିଶ୍ୱାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମୋନାଲିସା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଥିଲେ । ଅତିଥିମାନଙ୍କ ଦ୍ୱାରା ଚିତ୍ରଗୁଡିକ ବିଶ୍ଲେଷଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.