ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତିଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | August 31, 2022 IST

ନୂଆଦିଲ୍ଲୀ, ୩୧|୦୮:  ସୋଭିଏତ୍ ସଙ୍ଘର ପୂର୍ବତନ ରାଷ୍ଟ୍ରପତି ତଥା ନୋବେଲ ବିଜେତା ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ । ସେ ୯୧ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଋଷ ଖବର ଏଜେନ୍ସିର ରିପୋର୍ଟ ଅନୁସାରେ, ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଏହାବ୍ୟତୀତ ଅନ୍ୟ କୌଣସି ତଥ୍ୟ ଦିଆଯାଇ ନାହିଁ ।

ମିଖାଇଲ ବିନା ରକ୍ତପାତରେ ଶୀତଳ ଯୁଦ୍ଧକୁ ଶେଷ କରିଥିଲେ । କିନ୍ତୁ ସୋଭିଏକ ସଙ୍ଘର ପତନକୁ ରୋକିବାରେ ବିଫଳ ହୋଇଥିଲେ । ସେ ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମଧ୍ୟ ଥିଲେ । ୧୯୩୧ ମାର୍ଚ୍ଚ ୨ ତାରିଖରେ ଜନ୍ମ ହୋଇଥିବା ମିଖାଇଲ ଷ୍ଟାଲିନଙ୍କ ଶାସନରେ ବଡ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଜର୍ମାନୀର ଅତ୍ୟାଚାରକୁ ଅନୁଭବ କରିଥିଲେ । କମ୍ୟୁନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ସାମ୍ୟବାଦରେ ସୁଧାର କରିବାକୁ ଦାବି କରିଥିଲେ ।

ସେ ୧୯୮୫ରେ ସୋଭିଏତ ସଙ୍ଘର ନେତା ନିର୍ବାଚିତ ହୋଇଥିଲେ । ୧୯୮୫ରୁ ୧୯୯୧ ଯାଏଁ ସେ ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ମଧ୍ୟ ଥିଲେ ।  ସେହିପରି ୧୯୮୮ରୁ ୧୯୮୯ ଯାଏଁ ସୁପ୍ରିମ ସୋଭିଏତ ପ୍ରୋସିଡିୟମର ଅଧ୍ୟକ୍ଷ ରହିଥିଲେ । ସେହିପରି ୧୯୮୮ରୁ ୧୯୯୧ ଯାଏଁ ସେ ଷ୍ଟେଟ୍ କଣ୍ଟ୍ରି ହେଡ୍ ଥିଲେ । ଏପରିକି ସେ ସୁପ୍ରିମ ସୋଭିଏତର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି ।

ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ଅଧ୍ୟକ୍ଷ ଥିବା ବେଳେ ସେ ଅର୍ଥନୈତିକ ସ୍ୱାଧିନତା ଓ ରାଜନୀତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିଲେ । ଗ୍ଲାସନଟ୍ ନାମକ ଏକ ଶବ୍ଦର ଉଦ୍ଭାବନ କରିଥିଲେ ସେ । ଯାହାର ଅର୍ଥ ହେଉଛି ମୁକ୍ତ ଭାଷଣ । ଏହାସହ ଋଷରେ ଅନେକ ପରିବର୍ତ୍ତନ ପାଇଁ ମଧ୍ୟ ତାଙ୍କୁ ଅନେକ ପ୍ରଶଂସା କରନ୍ତି ।

୧୯୯୦ରେ ମିଳିଥିଲା ନୋବେଲ ପୁରସ୍କାର

୧୯୯୦ ମସିହାରେ ମିଖାଇଲଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା । ବିଶ୍ୱଶାନ୍ତି ପାଇଁ ତାଙ୍କୁ ଏହା ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.