୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଲୋକାର୍ପଣ : ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
28/02/2020 at 8:41 AM

ଭୁବନେଶ୍ବର ୨୮।୨: ସ୍ବାସ୍ଥ୍ୟ ସେବା ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ବାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ସହ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର୍ (ସମ୍ମମ୍) । ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ଆସନ୍ତା ୨୯ ତାରିଖ ଦିନ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହେବ ।
ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ରଖି ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ପର୍ଯ୍ୟବସିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି । ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ମୂଳ ଲକ୍ଷ୍ୟ । ରୋଗୀମାନଙ୍କ ଚିକିତ୍ସା, ସେବା ଓ ଯତ୍ନ ନିମନ୍ତେ ସମସ୍ତ ଉଦ୍ୟମ ପ୍ରସ୍ତୁତ ହୋଇଛି । ୧୦ ଏକର ଜମିରେ ନିର୍ମିତ ଏହି ନୂତନ ହସ୍ପିଟାଲ୍ର ଉଦ୍ଦେଶ୍ୟ ହେଲା ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଚିକିତ୍ସାକୁ ବିଶ୍ୱସ୍ତରୀୟ ହସ୍ପିଟାଲ୍ ଭାବେ ପରିଗଣିତ କରିବା । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍ ନେକ୍ସଟ ଜେନରେସନ୍ ଟ୍ରିଟ୍ମେଣ୍ଟ୍ ସହିତ ନୂତନ ଜ୍ଞାନକୌଶଳ ପଦ୍ଧତିରେ ରୋଗୀ ସେବା କରିବାର ଲକ୍ଷ୍ୟ ରଖିଛି ।
ପ୍ରତ୍ୟେକ ବିଭାଗରେ ବିଚକ୍ଷଣ ଏବଂ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ଏହି ନୂତନ ହସପିଟାଲ୍ ‘ସମ୍ମମ୍’ରେ ସାମିଲ୍ କରାଯାଇଛି । ନୂତନ ଜ୍ଞାନ କୌଶଳ ସମ୍ପନ୍ନ ‘ସମ୍ମମ୍’ରେ ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡଭାନସ୍ ସର୍ଜିକାଲ ବ୍ୟବସ୍ଥା, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଛି । ପ୍ରାୟ ୩୦ଟି ସ୍ପେସାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଏକ ୱାନ୍ ଷ୍ଟପ୍, ନେକ୍ସଟ ଜେନରେସନ୍, ମଲ୍ଟି ସୁପର ସ୍ପେଶାଲିଟି ଓ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ପରିଗଣିତ ସମ୍ମମ୍ କାର୍ଡିଆକ୍ ସାଇନ୍ସେସ୍, ନ୍ୟୁରୋ ସାଇନ୍ସେସ୍, କ୍ରିଟିକାଲ୍ କେୟାର, ପଲ୍ମୋନୋଲୋଜି, ଗ୍ୟାଷ୍ଟ୍ରୋ ସାଇନ୍ସେସ୍, ଜଏଂଟ ରିପ୍ଲେସ୍ମେଂଟ ଏବଂ ଅର୍ଥୋପେଡିକ୍ସ, ରେନାଲ୍ ସାଇନ୍ସେସ୍ ଏବଂ ଅଙ୍କୋ ସାଇନ୍ସେସ୍ ଭଳି ଚିକିତ୍ସା କ୍ଷେତ୍ରରେ “ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ’ ସ୍ଥାପନ କରିବାର ଯୋଜନା ରହିଛି । ହସ୍ପିଟାଲ୍ରେ ୧୪ଟି ମୋଡୁଲାର ଓଟି ସହିତ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନ କୌଶଳ ପର୍ଯ୍ୟବେସିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍ସା ଏମ୍ଆର୍ଆଇ ଏବଂ ଏଚ୍ଡିଆର୍ ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ ସୋଆ ଡିମ୍ଡ୍ ବିଶ୍ୱବିଦ୍ୟାଳୟ ଅଧିନରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ମଧ୍ୟ ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି । ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ପରିଚିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ କରିବାରେ ଓଡ଼ିଶାରେ ପ୍ରଥମ ହସ୍ପିଟାଲ୍ ଭାବେ ସଫଳତା ହାସଲ କରିଛି । କ୍ରମାଗତ ୪ ବର୍ଷ ଧରି ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନଆଇଆର୍ଏଫ୍) ର୍ୟାଙ୍କିଙ୍ଗ୍ରେ ଦେଶର ଶୀର୍ଷ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବାବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ ଗୁଡ଼ିକ ମଧ୍ୟରେ ୨୧ତମ ସ୍ଥାନ ହାସଲ କରିଛି । ଏବେ ସମ୍ ସହ ଯୋଡି ହେବାକୁ ଯାଉଛି ଆଉ ଏକ ନୂତନ ହସପିଟାଲ୍ ‘ସମ୍ମମ୍’ ।
ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତଥା ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବାକୁ ସମ୍ମମ୍ ସମସ୍ତ ଉଦ୍ୟମ ଆରମ୍ଭ କରିଛି । “ସମସ୍ତ ଭାରତୀୟଙ୍କୁ ବିଶ୍ୱସ୍ତରୀୟ ଡାକ୍ତରୀ ଚିକିତ୍ସା ମିଳିବା ଆବଶ୍ୟକ । ଆମ ସହରରେ ବିଶ୍ୱସ୍ତରୀୟ ଡାକ୍ତରଖାନା କରିବା ନିମନ୍ତେ ସୋଆର ଏକ ସ୍ୱପ୍ନ ରହିଥିଲା ଓ ସ୍ୱାସ୍ଥ୍ୟ ସେବା ଖୁବ୍ ସହଜରେ ସମସ୍ତଙ୍କୁ ମିଳିବା ଏହାର ଲକ୍ଷ୍ୟ । ‘ସମ୍ମମ୍’ ଆରମ୍ଭ ହେବା ଫଳରେ ସମାଜକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି କହିଛନ୍ତି ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ । କେବଳ ରୋଗୀଙ୍କ ଚିକିତ୍ସା ନୁହେଁ ‘ସମ୍ମମ୍’ରେ ବିଶ୍ୱାସ, ସ୍ୱଚ୍ଛତାର ସହ ରୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରାଯିବାର ପରମ୍ପରା ସୃଷ୍ଟି କରାଯିବ । ଆମେ ସମାଜରେ ଏକ ବିଶ୍ୱାସର ସେତୁ ନିର୍ମାଣ କରିବାକୁ ଚାହୁଁଛୁ । ଉତ୍ତମ ଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ୱନ କରିବା ସହ ସମ୍ୱେଦନଶୀଳ ହୋଇ ସହଯୋଗର ହାତ ବଢ଼ାଇ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ନାୟକ କହିଛନ୍ତି ।
“ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ସହ ଭବିଷ୍ୟତରେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ ହେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ସିଇଓ ଡ. ଶ୍ୱେତପଦ୍ମା ଦାସ । “ସମ୍ମମ୍’ ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ କି ଆମେ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରିବୁ । ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଲୋକଙ୍କ ମନରେ ‘ସମ୍ମମ’କୁ ନେଇ ଏକ ଆଶା ରହିଛି । ଏହି ଆଶା ଓ ଶକ୍ତିକୁ ପାଥେୟ କରି ଆମେ ରୋଗୀଙ୍କୁ ଉତ୍ତମଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।