ସୋଆ ପ୍ରଧ୍ୟାପକ କୁଳମଣି ପରିଡ଼ା MRSI ବାର୍ଷିକ ପୁରସ୍କାରରେ ସମ୍ମାନୀତ

Published By : Prameya-News7 Bureau | December 28, 2022 IST

ଭୁବନେଶ୍ୱର ୨୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଣ୍ଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁରରେ ଚତୁର୍ଥ ଇଣ୍ଡିଆନ୍ କନ୍‌କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍‌ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି-ଇଣ୍ଟଟରନ୍ୟାସ୍‌ନାଲ କନ୍‌ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ) ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତ୍ତନ କରି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରଫେସର ପରିଡ଼ାଙ୍କ ପାରଦର୍ଶିତା ସହ ଶକ୍ତି ସଞ୍ଚୟ ଏବଂ ପରିବେଶ ଉପଚାର କ୍ଷେତ୍ରରେ ତାଙ୍କର ବିଚାରମତ ବିଶେଷ ଗୁରୁତ୍ୱ ବହନ କରେ।

ପ୍ରଫେସର ପରିଡ଼ାଙ୍କ ପଦାର୍ଥ ବିଜ୍ଞାନ କ୍ଷେତ୍ରର ବିକାଶରେ ଅନେକ ଅବଦାନ ରହିଥିବା ବେଳେ ଯୁବ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବେଶ ଭୂମିକା ରହିଛି। ବିଭିନ୍ନ ଗୁରୁତ୍ୱପୂର୍ଣର୍ ଜର୍ନାଲ୍‌ଗୁଡ଼ିକରେ ତାଙ୍କର ୫୦୦ ରୁ ଅଧିକ ପ୍ରବନ୍ଧ ପ୍ରକାଶ ପାଇଛି। ତାଙ୍କର ୩୨ଟି ଭାରତୀୟ ପାଟେଣ୍ଟ ଗୃହୀତ ହୋଇଛି । ତାଙ୍କ ଅଧୀନରେ ୫୨ ଜଣ ଗବେଷକ ପିଏଚ୍‌ଡି ଲାଭ କରିସାରିଛନ୍ତି।

ସୋଆର ସେଣ୍ଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିରେ ବର୍ତ୍ତମାନ ୨୦ ଜଣ ସ୍କଲାର୍ ଆର୍ଟିଫିସିଆଲ୍ ଫଟୋସିନ୍‌ଥେସିସ୍ ଏବଂ ଇଲେକ୍ଟ୍ରୋକ୍ୟାଟାଲିସିସ୍ ସମ୍ବନ୍ଧୀୟ ଆପ୍ଲିକେସନ୍‌ରେ ଗବେଷଣାରତ ଅଛନ୍ତି । ୨୦୨୦ ମସିହାରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ବିଶିଷ୍ଟ ବୈଜ୍ଞାନିକଙ୍କ ତାଲିକାରେ ଗତ ୩ ବର୍ଷ ଧରି ପ୍ରଫେସର ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପଠାଣି ସାମନ୍ତ ପୁରସ୍କାର ଓ ବିଜ୍ଞାନରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.