ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ପ୍ରତୀକ ଦାଶ

Published By : Prameya-News7 Bureau | September 24, 2022 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ ପ୍ରତୀକ ଦାଶ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଶନିବାର ଜାତୀୟ ଏନ୍‌ଏସ୍‌ଏସ୍ ସମ୍ମାନ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦାଶ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ପୂର୍ବରୁ ରାଜ୍ୟ ସ୍ତରୀୟ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ପୁରସ୍କାରପ୍ରାପ୍ତ ଦାଶଙ୍କୁ କରୋନା ମହାମାରୀ ସମୟରେ କୋଭିଡ ଭ୍ୟାକ୍ସିନ୍‌ର ସଚେତନତା ନେଇ ଉଚ୍ଚକୋଟୀର କାର୍ଯ୍ୟ କରିବା ନିମନ୍ତେ ଏହି ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।  ଏହି ଅବସରରେ ଦାଶଙ୍କୁ ଏକ ମେଡାଲ୍ ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଏବଂ ଏହା ଭବିଷ୍ୟତରେ ଅଧିକ ସମାଜସେବା କରିବା ପାଇଁ ପ୍ରୋତ୍ସାହନ ଦେବ ବୋଲି  ଦାଶ କହିଛନ୍ତି । ଏହି ଅବସରରେ କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏବଂ ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିଲେ ।  ସୋଆର ପ୍ରୋ-ଚ୍ୟାନ୍‌ସେଲ୍‌ର ପ୍ରଫେସର ଅମିତ ବାନାର୍ଜୀ ଏବଂ ପ୍ରତୀକଙ୍କ ପିତା ଶ୍ରୀ ଚିତରଞ୍ଜନ ଦାଶ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।  ଏହି ଏନଏସ୍‌ଏସ୍ ପୁରସ୍କାର ପ୍ରତ୍ୟେକ ବର୍ଷ ଦେଶର କିଛି ମନୋନୀତ ସ୍ୱେଚ୍ଛାସେବୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଦାନ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.