<strong>ଗବେଷଣା କ୍ଷେତ୍ରରେ ଏସିଆର ଶ୍ରେଷ୍ଠ ପ୍ରତିଶ୍ରୁତିପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମନୋନୀତ</strong>

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬/୧୧: ଗବେଷଣା କ୍ଷେତ୍ରରେ ଏସିଆ ମହାଦେଶର ସବୁଠାରୁ ପ୍ରତିଶ୍ରୁତିପୂ୍‌ର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ଏଜୁକେସନ୍ ପୋଷ୍ଟ ପତ୍ରିକା ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମନୋନୀତ କରାଯାଇଛି। ଶୁକ୍ରବାର ଗୋଆରେ ଆୟୋଜିତ ଏସିଆ ପାସିଫିକ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଆୱାର୍ଡ୍ସ ସମ୍ମିଟ ୨୦୨୨ (ଏପିଇଟିଏ-୨୦୨୨)ର ଚତୁର୍ଥ ସଂସ୍କରଣରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ନିର୍ଦ୍ଦେଶକ ଡଃ ମହେନ୍ଦ୍ର ପ୍ରସାଦ ଏହି ସମ୍ମାନ ଗ୍ରହଣ କରିଛନ୍ତି। ନୂତନ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଭବିଷ୍ୟତ ଆୟୋଜିତ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ।

ଏଥିରେ ଗୋଆ ସରକାରଙ୍କର ଶିକ୍ଷା ସଚିବ ସର୍‌ପ୍ରୀତ ସିଂ ଗିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁଣେରେ ଥିବା ସୂର୍ଯ୍ୟଦତ ଗୃପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ଡଃ ସଞ୍ଜୟ ବି. ଚୋର୍ଡିଆ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ଏଜୁକେସନ୍ ପୋଷ୍ଟ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁସାରେ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ସମ୍ମିଳନୀରେ ସମ୍ମାନୀତ କରାଯାଇଛି।

ସୋଆ ବିଶ୍ୱବିଦ୍ୟାଳୟ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୨ରେ ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି। ସୂଚନାଥାଉକି, ଚଳିତ ବର୍ଷ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ମଧ୍ୟ ସୋଆର ୧୬ ଜଣ ଗବେଷକ ସ୍ଥାନ ପାଇଥିଲେ।ଏହି ଅବସରରେ ଏଜୁକେସନ୍ ପୋଷ୍ଟ ଏବଂ ଶିକ୍ଷା ସଭା ଟିଭିର ମୁଖ୍ୟ ସଂପାଦକ ଶ୍ରୀ ଶିବ ଶଙ୍କର ଶର୍ମା ସମ୍ମିଳନୀରେ ସମ୍ମାନୀତ ହୋଇଥିବା ସମସ୍ତ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଥିଲେ। ଏଜୁକେସନ୍ ପୋଷ୍ଟ ହେଉଛି ଏକ ପତ୍ରିକା ଯାହାକି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ର ଏବଂ ବର୍ତ୍ତମାନର ପରିସ୍ଥିତିକୁ ନେଇ ସମୀକ୍ଷା କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.