ସୋଆ ବାୟୁ ସମ୍ମିଳନୀ: ବାୟୁ ପ୍ରଦୂଷଣ ବିରୋଧରେ ମୁକାବିଲା କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ୱାନ
2/12/2022 at 10:12 PM

ଭୁବନେଶ୍ୱର ୦୨/୧୨: ଭାରତୀୟ ପରମ୍ପରାକୁ ଅସ୍ତ୍ର କରି ବାୟୁ ପ୍ରଦୁଷଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୁବ ସମାଜକୁ ଆହ୍ୱାନ। ଭାରତର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୁଷଣର ମୁକାବିଲା କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି। “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି” ଶୀର୍ଷକ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ୩ ଦିନିଆ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇ ଚୌବେ କହିଛନ୍ତି ଯେ, ଏହି ସମସ୍ୟାର ମୁକାବିଲା ପାଇଁ ଜୀବନକୁ ବଜାୟ ରଖି ସମୃଦ୍ଧ କରିବାରେ ପଞ୍ଚମହାଭୂତ ବା ୫ଟି ମୌଳିକ ଉପାଦାନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।

ଭାରତର ପ୍ରାଚୀନ ସଭ୍ୟତା ଜ୍ଞାନର ଶୀଖର ଛୁଇଁଥିଲା ଏବଂ ସେତେବେଳେ ମନୁଷ୍ୟ ପୃଥିବୀ ଓ ପରିବେଶ ସହିତ ଖାପ ଖୁଆଇ ଚଳୁଥିଲା। ଏବେ ସେହି ଜ୍ଞାନର ଗୁରୁତ୍ୱକୁ ପୁଣି ଆବିଷ୍କାର କରି ଏହାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ଦରକାର ବୋଲି ସେ କହିଛନ୍ତି। ଚୌବେ ସମ୍ମିଳନୀର ବୈଷୟିକ ଅଧିବେଶନଗୁଡ଼ିକରେ ବାୟୁର ଗୁଣବତ୍ତା ରକ୍ଷା କରିବାକୁ ଆଲୋଚିତ ପ୍ରସଙ୍ଗଗୁଡ଼ିକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ଶିଳ୍ପ ଜନିତ ବାୟୁ ପ୍ରଦୁଷଣ ଓ ଜଳବାୟୁ ପରିବର୍ତ୍ତନ ଫଳରେ କୃଷି ଉପରେ ଏହାର ନକାରାତ୍ମକ ପ୍ରଭାବ ବିଷୟରେ ମତ ରଖିଥିଲେ।

ସେ କହିଛନ୍ତି ଯେ, ବାୟୁ ପ୍ରଦୁଷଣକୁ ମୁକାବିଲା କରିବାକୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ନ୍ୟାସ୍ନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍ୟତମ। ଏହି ସମ୍ମିଳନୀ ଏସମସ୍ତ ଉଦ୍ୟମକୁ ଅଧିକ ପ୍ରଭାବୀ କରିବା ପାଇଁ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଛି। ପରିବେଶକୁ ଗୁରତର ସହ ସୁରକ୍ଷା ଦେବା ଛଡ଼ା ଆମର ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଦରକାର। ଚୌବେ ଆହୁରି କହିଥିଲେ କି, ଦେଶର ଯୁବ ସମାଜଙ୍କ ପାଇଁ ଦେଶର ଭବିଷ୍ୟତକୁ ଗଢ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମ୍ମିଳନୀ ସରକାରଙ୍କ ଉଦ୍ୟମକୁ ବଳିଷ୍ଠ କରିବା ସହ ଯୁବ ସମାଜକୁ ଏହି ପ୍ରସଙ୍ଗରେ ନିଜର ମତ ରଖିବାକୁ ଏକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ।