ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
29/11/2020 at 12:34 PM

ଶିମଲା ୨୯/୧୧ : ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ହିମାଚଳରେ ଶୀତର ପ୍ରକୋପ ଜାରି ରହିଛି। କୁଲ୍ଲୁରେ ଭୀଷଣ ତୁଷାରପାତ ସହ ତାପମାତ୍ରା ଜିରୋ ଡିଗ୍ରୀ ତଳକୁ ଖସି ଯାଇଛି। ସେଥିପାଇଁ ମନାଲି ଆଖପାଖ ଅଞ୍ଚଳରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି।

ଭୀଷଣ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମନାଲି ଚଚୋଗାରେ ପ୍ରବଳ ଶୀତ ଯୋଗୁଁ ଶନିବାର ରାତିରେ ଜଣକର ମୃତ୍ୟୁ ହୋଇଛି। ଶୀତ ଯୋଗୁଁ ମୃତ୍ୟୁ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। କୁଲ୍ଲୁ ଜିଲ୍ଲା ଏସପି ଗୌରବ ସିଂହ ସ୍ପଷ୍ଟ କରିଛନ୍ତି ଯେ ଥଣ୍ଡା ଯୋଗୁଁ ୪୦ ବର୍ଷ ବୟସ୍କ ରାଜେଶ ଶର୍ମାଙ୍କ ମୃତ୍ୟୁ ହୋଇଛି।

ପାହାଡ ଉପରେ ଲଗାତାର ତୁଷାରପାତ ପରେ ଶୁକ୍ରବାର ଓ ଶନିବାର ଦିନ ରାଜ୍ୟରେ ସାମାନ୍ୟ ଖରା ହୋଇଥିଲା କିନ୍ତୁ ଥଣ୍ଡାରୁ ଆଶ୍ବସ୍ତି ମିଳିନଥିଲା। ହାଡଭଙ୍ଗା ଶୀତରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମନାଲିରେ ଶୀତ ଯୋଗୁଁ ୪୦ ବର୍ଷୀୟ ରାଜେଶ ଶର୍ମାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ହିମାଚଳ ରାଜଧାନୀ ଶିମଲା ସମେତ ଅନେକ ଜିଲ୍ଲାରେ ଗତ ସପ୍ତାହରେ ଖୁବ ତୁଷାରପାତ ହୋଇଥିଲା। ଶିମଲା, ମନାଲି, କେଲାଙ୍ଗ ସମେତ ଅନେକ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଥିଲା। ପାହାଡ ଉପରେ ବରଫର ଆସ୍ତରଣ ଜମି ଯାଇଥିଲା।

ଶୁକ୍ରବାର ପରେ ଶିମଲାରେ ଖରା ହୋଇଥିଲା ନିଶ୍ଚୟ କିନ୍ତୁ ଥଣ୍ଡାରୁ ଆଶ୍ବସ୍ତି ମିଳିନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତିରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଥଣ୍ଡା ଯୋଗୁଁ ଲୋକେ ସନ୍ଧ୍ୟା ହେବା ପୂର୍ବରୁ ଘରେ କବାଟ କିଳି ଦେଇ ରହିଯାଉଛନ୍ତି। ତେବେ ପାହାଡିଆ ଅଞ୍ଚଳରେ ତୁଷାରପାତ ଯୋଗୁଁ ହିମାଚଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତୁଷାରପାତ ସମୟରେ ପର୍ଯ୍ୟଟକ ଶିମଲା, ମନାଲି, କୁଲ୍ଲୁ ଆଦି ସ୍ଥାନକୁ ବୁଲିବାକୁ ଯିବାକୁ ପସନ୍ଦ କରିଥାନ୍ତି।