ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଚଳିତବର୍ଷ ୪ରୁ ୫ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆଶଙ୍କା

Published By : Prameya-News7 Bureau | June 10, 2022 IST

ପୁରୀ ୧୦।୬: ଆଉ ତିନି ଦିନ ପରେ ଅର୍ଥାତ ଜୁନ୍ ୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଗତ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଏହି ଯାତ୍ରା । ଏଥିପାଇଁ ଜିଲ୍ଲା, ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକ କରିଛନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବୈଠକରେ ଆଲୋଚନା କରାଯାଇଛି। ଜଳଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ଗୁରୁତ୍ଵ ଦିଆଯାଇଛି। ଭକ୍ତମାନେ ସ୍ନାନମଣ୍ଡପରେ ଗୋଟିଏ ପାର୍ଶ୍ଵ ଦେଇ ପ୍ରବେଶ ଓ ଅନ୍ୟ ପାର୍ଶ୍ଵ ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହ ଖୁବ୍ କମ୍ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେ ନେଇ ନିଷ୍ପତ୍ତି ହୋଇଛି।

ସେହିପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ ସେ ନେଇ ସବୁ ସେବାୟତଙ୍କ ଭିତରେ ସମନ୍ଵୟ ରକ୍ଷା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି।

ସେହିପରି ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି । ସେହିପରି ଶ୍ରୀନହର ନିକଟରୁ ମଧ୍ୟ ଜିକଜ୍ୟାକ ବ୍ୟାରିକେଡ଼ କରାଯିବ। ଉଭୟ ବ୍ୟାରିକେଡ଼ ଓ ବଡ଼ଦାଣ୍ଡରୁ ଭକ୍ତମାନେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଟ୍ରାଫିକ ବ୍ୟବସ୍ଥାକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନରେ ୬ଟି ପାର୍କିଂସ୍ଥଳ କରାଯାଇଛି। ସ୍ବାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବ‌ ବୋଲି ପ୍ରଶାସନ ଆକଳନ କରିଛି ।

ସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଥିବା ବେଳେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.