କାମୁଡିଦେଲା ଗୋଖର, ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

Published By : Prameya-News7 Bureau | May 04, 2023 IST

ବଡବିଲ ୪।୫: ସାପ କାମୁଡ଼ିଲା ପରେ ସାପକୁ ନେଇ ମେଡ଼ିକାଲରେ ପହଞ୍ଚିଗଲେ ସାପ କାମୁଡ଼ାର ଶିକାର ଯୁବକ । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଳିତା ଗାଁରେ ଘଟିଛି ।

ସୂଚନାଯୋଗ୍ୟ ଯେ, କାଳିଆ ମୁଣ୍ଡା ନାମକ ଯୁବକ ରାସ୍ତାରେ ଯାଉଥିବ ସମୟରେ ଏକ ସାପ ହଠାତ ତାଙ୍କ ଗୋଡ଼କୁ କାମୁଡ଼ି ପକାଇଥିଲା । ସାପ କାମୁଡିବା ନେଇ ଜାଣିବା ପରେ ସେ ସାପଟିକୁ ଧରିଥିଲେ । ତେବେ ଏହି ସମୟରେ ସାପଟି ତାଙ୍କର ଡାହାଣ ହାତକୁ ଚୋଟ ମାରିଥିଲା । ହେଲେ ଏଥିରେ ସେ ବିଚଳିତ ହୋଇନଥିଲେ ।  ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସଙ୍ଗେସଙ୍ଗେ ସେହି ସାପଟିକୁ ଧରି ନିକଟସ୍ଥ ବାସୁଦେବପୁର ମେଡ଼ିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ଆହତ ଯୁବକ ଏବଂ ସାପକୁ ଦେଖିଲା ପରେ ପ୍ରାଥମିକ ଚିକିତ୍ସା କରିଥିଲେ । କାମୁଡ଼ି ଥିବା ସାପଟି ବିଷାକ୍ତ ଗୋଖର ସାପ ବୋଲି ଜଣାପଡିଥିଲା । ତେବେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ କାଳିଆ ମୁଣ୍ଡା ଏବେ ଚମ୍ପୁଆ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେପଟେ ବନ କର୍ମଚାରୀ ଖବର ପାଇବା ପରେ ମେଡିକାଲରୁ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.