ମୃତ୍ୟୁ ଆଗରେ ହାର ମାନିଲା ମା’ର ମମତା, ଅଣ୍ଡା ଗିଳିବାକୁ ଆସି କୁକୁଡାକୁ ମାରିଦେଲା ନାଗ
22/08/2022 at 3:15 PM

ନୀଳଗିରି ୨୨।୮: ଛୁଆ ଫୁଟାଇବା ପାଇଁ ଅଣ୍ଡା ଉପରେ ବସିଥିଲା ମା’ କୁକୁଡ଼ା । ମନରେ କେତେ ଉତ୍ସାହ ଉଦ୍ଦୀପନା ଭରି ରହିଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ହଠାତ ଏକ ବିରାଟକାୟ ନାଗ ସାପଟି ଅଣ୍ଡାକୁ ଗିଳିବା ପାଇଁ ଉଦ୍ୟମ କଲା । ମା’ କୁକୁଡ଼ା ନାଗ ସାପଟିକୁ ଅଟକାଇବାକୁ ଯାଇ ଶେଷରେ ଜୀବନ ଦେଇଦେଲା । ମୃତ୍ୟୁ ଆଗରେ ହାର ମାନିଲା ମା’ର ମମତା । ନୀଳଗିରି ଏନଏସି ସ୍ବର୍ଣ୍ଣଚୁଡ ପାହାଡ଼ ନିକଟ ମଙ୍ଗଳାସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ଗ୍ରାମର ଶଙ୍କର ସିଂଙ୍କ ଘରେ ଏକ ମାଈ କୁକୁଡ଼ା ନାଗ ସହ ଲଢେଇ କରି ଜୀବନ ହାରିଛି । ନାଗଟି ଅଣ୍ଡା ଗିଳିବା ପାଇଁ ଉଦ୍ୟମ କରିବା ବେଳେ କୁକୁଡାଟି ଅଟକାଇବାରୁ ଆକ୍ରମଣ କରି ମାରି ଦେଇଛି । ପରିବାର ଲୋକେ ଏହା ଦେଖି ସାପ ଧରାଳି ଜଗବନ୍ଧୁ ବେହେରାଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚି ନାଗଟିକୁ ଧରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।