ବେଙ୍ଗଖିଆ ପାଟିରେ ଝିଟିପିଟି ଗିଳି ଛଟପଟ ହେଲା ଚିତି , ଓୟୁଏଟିରେ ହେଲା ଅପରେସନ୍
3/03/2020 at 12:27 PM

କଟକ ୩/୨ : ଝିଟିପିଟି ଗିଳି ଚିତି କଲବଲ। କଟକ ଜିଲ୍ଲାର ବାଙ୍କିରେ ଏଭଳି ଏକ ଘଟଣା ଏବଂ ତା ପରବର୍ତ୍ତୀ ଘଟଣାକ୍ରମ ବେଶ ରୋଚକ। ଝିଟିପିଟିକୁ ଗିଳୁଥିବା ଅବସ୍ଥାରେ ଏକ କାଉଡ଼ିଆ ଚିତି (କମନ ଉଲ୍ଫ ସ୍ନେକ) ତଳପଟ ପାଟିକୁ କଣା କରି ଫୁଟେଇ ଦେଇଛି ତାର ଖାଦ୍ୟ ଝିଟିପିଟି ।

ଗତକାଲି ସକାଳେ ଦୁର୍ଗା ପ୍ରସାଦ ମହାପାତ୍ର ନିଜ ଦୋକାନ ଖୋଲିବା ବେଳେ ଏକ ସାପ ଏକ ଝିଟିପିଟିକୁ କାମୁଡି ଧରି ପଡି ଥିବାର ଦେଖିଲେ । ସଂଯୋଗ ବଶତଃ ଦୁର୍ଗା ସ୍ନେକ ହେଲ୍ପ ଲାଇନର ଜଣେ ସଦସ୍ୟ ହୋଇଥିବାରୁ ସାପଟିକୁ ଏକ ବିଷହୀନ କଉଡ଼ିଆ ଚିତି ବୋଲି ଚିହ୍ନି ପାରିଲେ । ତେବେ ସାପଟି ନିଶ୍ଚଳ ହୋଇ ପଡ଼ିଥିବାରୁ ସନ୍ଦେହ ହେବାରୁ ସାପଟି ଛଟପଟ ହୋଇ ଘୁଞ୍ଚିଗଲା । ତେଣୁ ସାପଟି ଯଦିଓ ବଞ୍ଚିଛି ବୋଲି ଦୁର୍ଗା ଜାଣିପାରିଲେ , କିନ୍ତୁ ସାପଟିର ତଳ ପାଟିକୁ କଣା କରି ଝିଟିପିଟିର ମୁଣ୍ଡ ଫୁଟି ବାହାରିଯାଇଥିବା ଦୁର୍ଗା ଦେଖିବାକୁ ପାଇଲେ । କୌଣସି ଉପାୟ ନପାଇ ଦୁର୍ଗା ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସାପଟିକୁ ଧରି ସେହି ଅବସ୍ଥାରେ ଭୁବନେଶ୍ବର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜକୁ ଆଣିଥିଲେ ।

ଓୟୁଏଟି ସେଣ୍ଟ୍ରାଲ କ୍ଲିନିକରେ ସାପଟିର ପ୍ରଥମେ ଏକ୍ସରେ କରିଥିଲେ ଭେଟେରିନାରୀ ସର୍ଜରି ଓ ରେଡ଼ିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ୱଦୀପ ଜେନା । ତା ପରେ ସାପଟିକୁ ଅପରେସନ ଥିଏଟରକୁ ନିଆଯାଇଥିଲା । ଯତ୍ନର ସହିତ ଡାକ୍ତର ଜେନା ପ୍ରଥମେ ଝିଟିପିଟିର ମୁଣ୍ଡଟିକୁ କଇଁଚିରେ କାଟିବା ପରେ ଝିଟିପିଟିର ଅବଶିଷ୍ଟ ଦେହ ଆପେ ଆପେ ବାହାରକୁ ଚାଲି ଆସିଥିଲା, ଏବଂ ସାପଟି ମଧ୍ୟ ଫୁର୍ତ୍ତିରେ ଅପରେସନ ଟେବୁଲ ଉପରେ ଏପଟ ସେପଟ ହେବାକୁ ଲାଗିଥିଲା ।

ତାପରେ କ୍ଷତ ସ୍ଥାନକୁ ଭଲ ଭାବରେ ସଫା କରି ଲୋକାଲ ଆନାସ୍ଥେସୀଆ ଜେଲ ଲଗେଇ ସିଲେଇ କରାଯାଇଥିଲା । ସାପଟି ଯଦିଓ ପ୍ରଥମ ବିପଦରୁ ଟଳି ଯାଇଥିଲା, କିନ୍ତୁ ଦୀର୍ଘ ସମୟ ଝିଟିପିଟିକୁ ଗିଳିବାକୁ ଚେଷ୍ଟା କରିବା ଫଳରେ ପ୍ରାୟ ଦେଢ଼ ଇଞ୍ଚର କ୍ଷତ ସୃଷ୍ଟି ହୋଇଥିଲା ।

ସ୍ନେକ ହେଲ୍ପ ଲାଇନ ହେପାଜତରେ ଥିବା ଏହି ସାପଟି ଆଜି ସକାଳେ ସୁସ୍ଥହୋଇ ଚଳପ୍ରଚଳ କରୁଥିବାର ଦେଖାଯାଇଛି ସତ, ହେଲେ ପରବର୍ତ୍ତୀ ୩-୪ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ
।