ସ୍ମାର୍ଟ ସିଟି ମିଶନ୍ ତାଲିକାର ଶୀର୍ଷରେ ଉତ୍ତରପ୍ରଦେଶ, ପୁଣି ଥରେ ବାଜି ମାରିଲେ ଇନ୍ଦୋର ଏବଂ ସୁରତ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬: କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନା ଲାଗୁ ହେବା ମାମଲାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତାଳୟ ପକ୍ଷରୁ ଆୟୋଜିତ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌ କଣ୍ଟେଷ୍ଟରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଏହା ସହ ମଧ୍ୟପ୍ରଦେଶ ଦ୍ବିତୀୟ ଏବଂ ତାମିଲନାଡୁ ତୃତୀୟ ସ୍ଥାନରେ ଅଛି। ସହର କଥା କହିଲେ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁରୁରାଟର ସୁରତ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛି ।

କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡୀଗଡ଼ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ମାର୍ଟ ସିଟି ମିଶନ, ଅମୃତ ଯୋଜନା ଏବଂ ପ୍ରଧାନମନ୍ତ୍ର ସହରାଞ୍ଚଳ ଆବାସ ଯୋଜନାକୁ ୬ ବର୍ଷ ପୂରୁଥିବା ବେଳେ ଶୁକ୍ରବାର ଏହି ସବୁ ପୁରସ୍କାର ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ୨୫ ଜୁନ୍‌ ୨୦୧୫ରେ ଲଞ୍ଚ କରିଥିଲେ। ତେବେ ଏହି ସବୁ ପୁରସ୍କାର ଦେବାକୁ ସରକାରୀ କାର୍ଯ୍ୟଦକ୍ଷତା, ସଂସ୍କୃତି, ସହରାଞ୍ଚଳ ବାତାବରଣ, ସାନିଟେସନ୍‌, ଅର୍ଥବ୍ୟବସ୍ଥା, ପାଣି ଏବଂ ପରିବହନ ଭଳି କ୍ଷେତ୍ରକୁ ଆଧାର କରି ସହରଗୁଡ଼ିକୁ ଚୟନ କରାଯାଇଛି। ଚଳିତ ବର୍ଷ ଏହି ସବୁ ମାନଦଣ୍ଡରେ କରୋନା ପରିଚାଳନା ଭଳି ନୂଆ ଫିଚର ଯୋଗ କରାଯାଇଛି।

ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସବୁ ପୁରସ୍କାର ଘୋଷଣା କରିବା ସହ କହିଛନ୍ତି, ୨୦୧୮ରେ ଏହାର ଶୁଭାରମ୍ଭ ହୋଇଥିଲା। ଇଣ୍ଡିଆ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ କଣ୍ଟେଷ୍ଟ ମାଧ୍ୟମରେ ବିକାଶ ମଡେଲ ନେଇ ସହର ପକ୍ଷରୁ କହିବାକୁ ସୁଯୋଗ ମିଳୁଛି। ଏଥିରେ ସହରାଞ୍ଚଳ ବିକାଶକୁ ବଳ ମିଳୁଥିବା ବେଳେ ଅନ୍ୟ ରାଜ୍ୟ ସରକାର ନିଜ ସହର ବିକାଶ ପାଇଁ କିଛି ଟିପ୍ସ ମଧ୍ୟ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଚଳିତବର୍ଷ କରୋନାକୁ ମାତ ଦେବା ପାଇଁ କଂଟ୍ରୋଲ୍‌ ସେଣ୍ଟରକୁ ଏକ ଆଧାର କରାଯାଇଥିଲା।

ଏହା ବ୍ୟତୀତ ଇଣ୍ଟେଲିଜେନ୍ସ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ, ସ୍ମାର୍ଟ ଓ୍ବାଟର ମ୍ୟାନେଜମେଣ୍ଟ, ବେଷ୍ଟ ଟୁ ଏନର୍ଜି ଜେନେରେସନ୍‌ ଏବଂ ଅନ୍ୟ କିଛି ମାନଦଣ୍ଡ ସାମିଲ କରାଯାଇଛି। ଇନ୍ଦୋର ଏବଂ ସୁରତ ସଂଯୁକ୍ତ ରୂପରେ ପୁଣି ଥରେ ଟପ୍‌ରେ ରହିଛନ୍ତି । ଏହା ପୂର୍ବରୁ ସୁରତ ୨୦୧୮ରେ ଟପ୍‌ରେ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ସ୍ମାର୍ଟସିଟି  ଯୋଜନା ଅଧୀନରେ ଇନ୍ଦୋରରେ ୫୦୯୯.୬ କୋଟି ଟଙ୍କାର ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଚାଲୁ ରହିଛି। ସେପଟେ ସୁରତରେ ୨୫୯୭ କୋଟି ଟଙ୍କା ପ୍ରୋଜେକ୍ଟରେ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.