ଉଚ୍ଛେଦ ପାଇଁ ପାନୀୟ ଜଳ ସଂଯୋଗ କାଟିଲା CMC; ଅସୁବିଧାରେ ଭୋଗୁଛନ୍ତି ବସ୍ତି ବାସିନ୍ଦା
3/12/2022 at 5:06 PM

କଟକ ୦୩/୧୨: ଉଚ୍ଛେଦ ପୂର୍ବରୁ କଟକ ମହାନଗର ନିଗମର ଅମାନବୀୟ କାମ। ଉଚ୍ଛେଦ ନୋଟିସ ଦେବା ପୂର୍ବରୁ ଅନେକ ବସ୍ତିରୁ ପାନୀୟ ଜଳ ସଂଯୋଗ କାଟିଦେଲେ ସିଏମସି କର୍ତ୍ତୃପକ୍ଷ। ଫଳରେ ହଜାର ହଜାର ବସ୍ତି ବାସିନ୍ଦା ସ୍ନାନ, ଶୌଚ ଓ ପିଇବା ପାଣି ପାଇଁ ନଦୀ ଓ ପ୍ରଦୂଷିତ ନଳକୂଅ ପାଣି ଉପରେ ଭରସା କରୁଛନ୍ତି। ସେପଟେ ତୁରନ୍ତ ଏହି ଭୁଲ ସଂଶୋଧନ କରାଯିବ ବୋଲି ମେୟର କହିଛନ୍ତି।

କଟକ ମହାନଗର ନିଗମ କର୍ତ୍ତୃପକ୍ଷ ବସ୍ତିବାସିନ୍ଦାଙ୍କ ଠାରୁ ଏହା ଛଡ଼ାଇ ନେଇଛନ୍ତି। କଟକର କିଛି ବସ୍ତିରୁ ପାନୀୟ ଜଳ ସଂଯୋଗ କାଟି ଦେଇଛନ୍ତି ସିଏମସି ଏବଂ ଓ୍ବାଟକୋ କର୍ତ୍ତୃପକ୍ଷ। କଟକର ତୁଳସୀପୁର ଡିୟର ପାର୍କ ପାଖ ବସ୍ତି ଓ ହାତୀଗଡ଼ା ବସ୍ତିକୁ କର୍ତ୍ତୃପକ୍ଷ ଜଳ ଯୋଗାଣ ବନ୍ଦ କରିଦେଇଛନ୍ତି। ଏହି ବସ୍ତିଗୁଡ଼ିକ ଉଚ୍ଛେଦ ହେବ। କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଏଥିପାଇଁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ନୋଟିସ ମଧ୍ୟ ମିଳିନି। ଅଥଚ ତା ପୂର୍ବରୁ ଜଳ ଯୋଗାଣ ବନ୍ଦ କରିଦେବାରୁ ହଜାର ହଜାର ବସ୍ତି ବାସିନ୍ଦା ସ୍ନାନ, ଶୌଚ ଓ ପିଇବା ପାଣି ପାଇଁ ନଦୀ ଓ ଦୂଷିତ ପାଣି ବାହାରୁଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି।

ଗତ ୮ ଦିନ ହେଲା ପାନୀୟ ଜଳ ଅଭାବରୁ ଵସ୍ତି ଵାସିନ୍ଦାମାନେ ସିଏମସି କମିଶନରଙ୍କୁ ଭେଟିଥିଲେ। କମିଶନର ପାନୀୟ ଜଳ ସଂଯୋଗ ତୁରନ୍ତ କରିଵାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସୁଫଳ ମିଳିନି। ଫଳରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ମେୟର କହିଛନ୍ତି ତୁରନ୍ତ ବସ୍ତି ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସଂଯୋଗୀକରଣ ବ୍ୟବସ୍ଥା କରାଯିବ ବୋଲି କଟକ ମେୟର କହିଛନ୍ତି।