ସୂର୍ଯ୍ୟଙ୍କ ପରି ଚମକୁଛନ୍ତି SKY, ରେକର୍ଡ ଦର୍ଶାଉଛି ତାଙ୍କ ପରି ଆଉ କେହି ନୁହନ୍ତି

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ: ୨୦୨୧ ମାର୍ଚ୍ଚ ୧୪। ଏହା ହେଉଛି ସେହି ତାରିଖ ଯେଉଁ ଦିନ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଭାରତୀୟ ଦଳରେ ତାଙ୍କର ପଦାର୍ପଣ ପୂର୍ବରୁ ଜଣା ନାହିଁ କେତେ ଯେ ବ୍ୟାଟସମ୍ୟାନ ମଧ୍ୟକ୍ରମ ପାଇଁ ଅଡିସନ ଦେଇଛନ୍ତି। ମାତ୍ର ଯେବେ ସୁର୍ଯ୍ୟ ଚମକିବା ଆରମ୍ଭ କଲେ ତାଙ୍କ ପ୍ରକାଶ ଆଗରେ କେହି ତିଷ୍ଠି ପାରି ନାହାନ୍ତି। ମାତ୍ର ବର୍ଷେରୁ ଦେଢ ବର୍ଷ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟି-୨୦ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ଟି-୨୦ କ୍ରିକେଟ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ନୂତନ ମିଷ୍ଟର ୩୬୦ ଡିଗ୍ରୀର ପରିଚୟ ମିଳିଛି। ଏହା ପୂର୍ବରୁ କେବଳ ଜଣେ ଖେଳାଳିଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିଲା। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ଏବି ଡି ଭିଲିୟର୍ସ।

ସୂର୍ଯ୍ୟକୁମାର ଯାଦବଙ୍କ ପଡିଆର ପ୍ରତିଟି କୋଣରେ ସଟ୍ ଖେଳିବାର କଳା ତାଙ୍କୁ ସମସ୍ତଙ୍କୁ ଭିନ୍ନ କରିଛି। ଏହି କାରଣରୁ ତାଙ୍କୁ କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ରେ ଏତେ ଶୀଘ୍ର ସଫଳତା ମିଳି ପାରିଛି। ଦେଢ ବର୍ଷ ପୂର୍ବେ ଟି-୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଏହି ଖେଳାଳି ଆଜି ଟି-୨୦ ଫର୍ମାଟ୍‌ର କିଙ୍ଗ ଏବଂ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।

{"id":705823,"sizeSlug":"full","linkDestination":"none"}

ଟି-୨୦ ବିଶ୍ଵ କପ୍‌ରେ ମଧ୍ୟ ଏହି ଖେଳାଳିଙ୍କ ବ୍ୟାଟ୍‌ର ଗର୍ଜନ ପୂରା ଦୁନିଆରେ ଶୁଣିବାକୁ ମିଳୁଛି। ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ବ୍ୟାଟ୍‌ରୁ ୭୩ ହାରରେ ଏବଂ ୧୯୦.୪୩ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୨୧୯ ରନ ବାହାରି ସାରିଛି। ଏଥିରେ ତିନି ଅର୍ଦ୍ଧଶତକୀୟ ଇନିଂସ ସାମିଲ୍। ସୁର୍ଯ୍ୟକୁମାର ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ଅଧିକ ରନ କରିବା ମାମଲାରେ ବିରାଟ କୋହଲିଙ୍କ ପରେ ଶୀର୍ଷ ୩ରେ ଅଛନ୍ତି। କୋହଲି ୨୪୬ ରନ ସହ ଶୀର୍ଷରେ ଅଛନ୍ତି। ତାଙ୍କର ଏହି ରେକର୍ଡ ଅବିଶ୍ଵସନୀୟ। ଯଦି ଭାରତ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ  ହୁଏ ତେବେ ସୂର୍ଯ୍ୟକୁମାର ଯାଦବ କୋହଲିଙ୍କୁ ପଛରେ ପକାଇ ଦେବାର ସମ୍ଭାବନା ରହିଛି।

ଜିମ୍ବାଓ୍ଵେ ବିପକ୍ଷ ୬୧ ରନର ଅପରାଜିତ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଜି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ୨୩ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। କୌଣସି ଟି-୨୦ ବିଶ୍ଵ କପ୍‌ରେ ଏହା ଚତୁର୍ଥ ଦ୍ରୁତତମ ଅର୍ଦ୍ଧଶତକ। ଟି-୨୦ ବିଶ୍ଵ କପ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଛି। ସେ ୨୦୦୭ ଟି-୨୦ ବିଶ୍ଵ କପ୍‌ରେ ୧୨ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡକୁ ଦୁନିଆର କୌଣସି ବ୍ୟାଟସମ୍ୟାନ ଭାଙ୍ଗି ପାରି ନାହାନ୍ତି।

ସୂର୍ଯ୍ୟକୁମାର ଜିମ୍ବାଓ୍ଵେ ବିପକ୍ଷରେ ନିଜର ଇନିଂସ ଦମରେ ଆଉ ଏକ ବଡ ରେକର୍ଡ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଏକ ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି। ସୂର୍ଯ୍ୟ ନିଜର ୨୮ତମ ମୁକାବିଲାରେ ୧୦୦୦ ରନ ପୂରଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦୨୬ ରନ କରିଛନ୍ତି। ଦ୍ଵିତୀୟରେ ଅଛନ୍ତି ପାକିସ୍ତାନର ମହମ୍ମଦ ରିଜଓ୍ଵାନ। ସେ ୨୩ଟି ଟି-୨୦ ମ୍ୟାଚ୍‌ରୁ ୯୨୪ ରନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.