ଭିଡ ହିଂସା (ଲିଞ୍ଚିଂ ମବ)କୁ ନେଇ ବଲିଉଡ ଦୁଇ ଭାଗ : ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ୪୯ଜଣ ସେଲିବ୍ରିଟି ଦେଇଥିବା ଚିଠିକୁ ବିରୋଧ କରି ଆଜି ୬୨ ଜଣ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | July 26, 2019 IST

ନୂଆଦିଲ୍ଲୀ ୨୬|୭: ଭିଡ ହିଂସା ବା ଲିଞ୍ଚିଂ ମବ୍‌କୁ ନେଇ ବଲିଉଡ ଏବେ ଦୁଇ ଭାଗ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟି ଦେଇଥିବା ଚିଠିକୁ ବିରୋଧ କରି ଆଜି ୬୨ ଜଣ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭିଡ ହିଂସାକୁ ନେଇ ୪୯ ଜଣ ସେଲିବ୍ରିଟି ଦେଇଥିବା ଚିଠିକୁ ଆକ୍ରୋଶମୂଳକ କହିବା ସହ ଦେଶ ସମ୍ପର୍କରେ ଭୂଲ ବିବରଣୀ ଦିଆଯାଇଛି ବୋଲି ଚିଠିରେ ଦର୍ଶାଇଛନ୍ତି ୬୨ ଜଣ ।

୪୯ ବନାମ ୬୨। ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖିବାରେ ଫିଲ୍ମ ଓ ବୁଦ୍ଧିଜୀବୀ ମହଲରେ ଚାଲିଛି ଲେଟର ୱାର । ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ଦିନକୁ ଦିନ ବଢି ଚାଲିଥିବା ଗୋଷ୍ଠୀବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଗତ ମଙ୍ଗଳବାର ୪୯ ଜଣ ସେଲିବ୍ରିଟି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ ବୋଲି ଖୋଲା ଚିଠିରେ ଉଲ୍ଲେଖ କରିଥିଲେ । ତିନି ଦିନ ପରେ ୬୨ଜଣ ସେଲିବ୍ରିଟି, ଅଧ୍ୟାପକ, ଶିକ୍ଷାବିତ୍‌ ପ୍ରଧାନମନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି । ଭିଡ ହିଂସାକୁ ନେଇ ୪୯ ଜଣ ସେଲିବ୍ରିଟି ଦେଇଥିବା ଚିଠିକୁ ଆକ୍ରୋଶମୂଳକ, ଭ୍ରାମାତ୍ମକ କହିବା ସହ ଦେଶ ସମ୍ପର୍କରେ ଭୂଲ ବିବରଣୀ ଦିଆଯାଇଛି ବୋଲି ଦର୍ଶାଇଛନ୍ତି। ୪୯ ସେଲିବ୍ରିଟିଙ୍କୁସମାଜର ଆତ୍ମଘୋଷିତ ଅଭିଭାବକ ଓ ବିବେକ ରକ୍ଷକ ବୋଲି କଟାକ୍ଷ କରିଛନ୍ତି।

ନଜର ପକାଇବା ୪୯ ତାଲିକାରେ କେଉଁ କେଉଁ ମାନେ ଅଛନ୍ତି ଏବଂ ୬୨ ତାଲିକାରେ କେଉଁ କେଉଁ ମାନେ ଅଛନ୍ତି। ପ୍ରଥମେ ଯେଉଁ ୪୯ ଜଣ ଖୋଲା ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଫିଲ୍ମ ନିର୍ଦ୍ଦେଶକ ଅପର୍ଣ୍ଣା ସେନ୍,  ଶ୍ୟାମ ବେନେଗଲ, ମଣିରତ୍ନମ, ଅଦୂର ଗୋପାଳ କୃଷ୍ଣନ, ଅନୁରାଗ କାଶ୍ୟପ, କୋଙ୍କଣା ସେନଶର୍ମା, ଐତିହାସିକ ରାମଚନ୍ଦ୍ର ଗୁହା । ସେହିପରି ୬୨ ସେଲିବ୍ରିଟିଙ୍କ ତାଲିକାରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରଣୱତ, ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ, କ୍ଲାସିକାଲ ଡ୍ୟାନ୍ସର ସୋନାଲ ମାନସିଙ୍ଗ, ମଧୁର ଭଣ୍ଡାରକର, ବିବେକ ଅଗ୍ନିହୋତ୍ରୀ। ପଶ୍ଚିମବଙ୍ଗର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରଫେସର। ପୂର୍ବରୁ ଚିଠିଲେଖିଥିବା ସେଲିବ୍ରିଟି କାହିଁକି କାଶ୍ମୀରରେ ପଣ୍ଡିତଙ୍କ ଉପରେ ଆକ୍ରମଣ, କିମ୍ବା ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ଚୁପ୍‌ ରହିଥିଲେ ବୋଲି ପ୍ରଶ୍ନ କରିଥିଲେ।   ଏହି ଲେଟର ୱାର୍‌କୁ ନେଇ ତିଆରି ହୋଇଛି ସମାନ୍ତରଳ ରାଜନୀତି।

ଭିଡ ହିଂସା ଘଟଣାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ୧୦ଟି ରାଜ୍ୟକୁ ନୋଟିସ୍‌ ଜାରି କରିଛନ୍ତି। ଭିଡ ହିଂସାକୁ ନିୟନ୍ତ୍ରଣ କରିବାନେଇ ଏସବୁ ରାଜ୍ୟ ପ୍ରଶାସନ କଣ କଣ ପଦକ୍ଷେପ ନେଇଛନ୍ତି ସେନେଇ କୋର୍ଟଙ୍କୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ସେପଟେ ପାର୍ଲାମେଣ୍ଟରେ ମଧ୍ୟ ଭିଡ଼ ହିଂସାକୁ ନେଇ ଦେଖାଦେଇଛି ଆରୋପ ପ୍ରତ୍ୟାରୋପ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.