କାର୍‌ ଉପରେ ଓଲଟିପଡିଲା ଚାଉଳ ଭର୍ତ୍ତି ଟ୍ରକ, ୪୫ମିନିଟ୍‌ ପର୍ଯ୍ୟନ୍ତ ହୋଇପାରିଲାନି ଉଦ୍ଧାର : ଚାଲିଗଲା ୬ଜୀବନ

Published By : Prameya-News7 Bureau | August 26, 2020 IST

ରାଞ୍ଚି ୨୬।୦୮:  ଝାଡଖଣ୍ଡ ଜିଲ୍ଲା ଦୁମ୍‌କା-ଦେବଘର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଦୁଇଟି ଶିଶୁ, ଦୁଇ ମହିଳା ସମେତ ୬ଜଣ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କ ମୃତଦେହ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।  

ସୂଚନାଯୋଗ୍ୟ ଯେ, ଚାଉଳ ଲଦି ହୋଇଥିବା ଟ୍ରକଟି ଦୁମ୍‌କା ପଟକୁ ଯାଉଥିଲା, ସେତିକିବେଳେ ଏକ କାର୍‌ ଦେବ୍‌ଘର ପଟକୁ ଆସୁଥିଲା । ଟ୍ରକରେ ଓଭରଲୋଡ୍‌ ଥିଲା, ଯାହାଫଳରେ କି ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଖାଲରେ ପଡିଯାଇଥିଲା । କିନ୍ତୁ ଅନ୍ୟପଟୁ ଆସୁଥିବା କାର୍‌ଟି ମଧ୍ୟ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଦେଖୁ ଦେଖୁ କାର୍‌ ଉପରେ ଟ୍ରକଟି ମଧ୍ୟ ପଡିଯାଇଥିଲା । ଯାହାଫଳରେ କି କାର୍‌ରେ ଥିବା ସମସ୍ତେ ଟ୍ରକ ତଳେ ଚାପି ହୋଇରହିଥିଲେ । ତେବେ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ସମସ୍ତ ଲୋକ ସମ୍ପର୍କୀୟ ଥିଲେ , ଏବଂ ବିହାରର ପାଟନା ବାସିନ୍ଦା ବୋଲି ସୂଚନା ରହିଛି ।

ଦୁମ୍‌କାରେ ନିଜ ସମର୍କୀୟଙ୍କ ଘର ଆସିଥିଲେ , ଏଠାରୁ ଫେରି ପାଟନା ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣାରେ ଶୀକାର ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ୪୫ମିନିଟ ପର୍ଯ୍ୟନ୍ତ କାର୍‌ ଟ୍ରକ ତଳେ ଚାପି ହୋଇରହିଥିଲା ସମସ୍ତେ । ସ୍ଥାନୀୟଲୋକେ ଘଟଣାସ୍ଥଳରେ ଉପସ୍ଥିତି ଥିଲେ ମଧ୍ୟ କିଛି କରିପାରିନଥିଲେ, କିହିଁକି ନା କାର୍‌ ଉପରେ ପଡିଥିବା ଟ୍ରକ୍‌ ଚାଉଳ ଭର୍ତ୍ତି ଥିଲା । ଯାହାର ଓଜନ ଅତ୍ୟଧିକ ଥିଲା । ଶେଷରେ ଦୁର୍ଘଟଣାର ଖବର ପୋଲିସକୁ ଦିଆଯାଇଥିଲା । ଦୁର୍ଘଟଣାର ଖବର ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ସହାୟତାରେ ଟ୍ରକକୁ କାର୍‌ ଉପରୁ ହଟାଇଥିଲା । କିନ୍ତୁ ସେପର୍ଯ୍ୟନ୍ତ ବହୁତ ଡେରି ହୋଇଯାଇଥିଲା । କାର୍‌ରେ ଉପସ୍ଥିତ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.