ଘଷିପୁରା ନିର୍ବାଚନମଣ୍ଡଳୀରେ ଉତ୍ତେଜନା : ବଦ୍ରି-ନିରଞ୍ଜନ ସମର୍ଥକ ମୁହାଁମୁହିଁ, ନିରଞ୍ଜନଙ୍କ ସମେତ ଉଭୟ ପକ୍ଷର ୬ରୁ ଅଧିକ କର୍ମୀ ଆହତ

Published By : Prameya-News7 Bureau | April 21, 2019 IST

ଆନନ୍ଦପୁର ୨୧|୪: କେନ୍ଦୁଝର ଘଷିପୁରା ନିର୍ବାଚନମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି । ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ରାମଚନ୍ଦ୍ରପୁର ଭଣ୍ଡାରପଡା ଛକରେ ଉଭୟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ମୁହାଁମୁହିଁ ହେବା ଫଳରେ ୧୦ରୁ ଅଧିକ ଗାଡି ଭାଙ୍ଗିରୁଜି ଯାଇଛି । ଗଣ୍ଡଗୋଳ ଫଳରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଭାଙ୍ଗିବା ସହ ସେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଉଭୟ ଦଳ ପକ୍ଷରୁ ୬ଜଣ କର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତ କର୍ମୀଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":105876}

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମେ କିଛି ଲୋକ ଭଣ୍ଡାରୀପଡା ଛକଠାରେ ତାଙ୍କ କର୍ମୀଙ୍କ ଗାଡିର ଚାବି ଛଡାଇ ନେଇଯାଇଥିବାବେଳେ ଡ୍ରାଇଭରଙ୍କୁ ମାଡ ମାରିଥିଲେ । ସେମାନେ ଫାୟାରିଂ କରିଥିବା ମଧ୍ୟ ନିରଞ୍ଜନ କହିଛନ୍ତି । ତେବେ ସେମାନେ ସେଠାରୁ ପଳାଇଆସିବା ପରେ ନଅଙ୍କି ଛକରେ ରାସ୍ତାରେ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରାଯାଇଥିଲା । ସେଠାରେ ଥିବା କିଛି ଲୋକ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଉପରକୁ ଫାୟାରିଂ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ସହିତ ଥିବା ୧୦ରୁ ଅଧିକ ଗାଡି ଭାଙ୍ଗିଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିବା ସେ କହିଛନ୍ତି । ଏହି ଆକ୍ରମଣରେ ନିରଞ୍ଜନଙ୍କ ହାତରେ ଆଘାତ ଲାଗିଥିବା ମଧ୍ୟ ସେ କହିଛନ୍ତି ।

{"id":105877}

ଅପରପକ୍ଷରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘଟଣା ସଂପର୍କରେ ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି ଯେ, ଗତ ୬ରୁ ୭ଦିନ ହେବ ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବ୍ରହ୍ମପୁରରୁ କିଛି ଗୁଣ୍ଡାଙ୍କୁ ନେଇ ଘଷିପୁରା ଅଞ୍ଚଳରେ ଆତଙ୍କରାଜ ଖେଳାଇଛନ୍ତି । ଆଜି ମଧ୍ୟ ୧୦ରୁ ୧୫ ଗାଡିରେ ଆସି ବିଧାୟକଙ୍କ ଘର କେଉଁଠି ବୋଲି ପଚାରିବା ସହ ବ୍ଲାଙ୍କ୍ ଫାୟାରିଂ କରିଥିବା ବଦ୍ରି କହିଛନ୍ତି । ସେମାନଙ୍କ ସହ ନିରଞ୍ଜନ ପଟ୍ଟନାୟକ ଥିବା ସେ କହିଛନ୍ତି ।

{"id":105878}

ସୂଚନାଯୋଗ୍ୟ ଯେ, ଆସନ୍ତା ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଏବଂ ଏହା ଅଧିନ ବିଧାନସଭା ଆସନରେ ନିର୍ବାଚନ ହେବ । ଘଷିପୁରା ବିଧାନସଭା ଆସନ ପାଇଁ ବିଜେଡିରୁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଏହି ଦୁଇ ହେବିଓ୍ବେଟ୍ଙ୍କ ମଧ୍ୟ କଡା ଟକ୍କର ହେବ ବୋଲି ଶୁଣାଯାଉଛି । ପ୍ରଥମରୁ ହିଁ ଏହି ଦୁଇ ନେତା ପରସ୍ପର ବିରୋଧରେ ରଣହୁଙ୍କାର ଦେଇ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.