ପଶ୍ଚିମବଙ୍ଗରେ ଥମୁନି ହିଂସା : ବିଜେପି କର୍ମୀଙ୍କ ଉପରକୁ ଫିଙ୍ଗିଲେ ପେଟ୍ରୋଲ ବୋମା, ୬ ଆହତ

Published By : Prameya-News7 Bureau | March 06, 2021 IST

କୋଲକାତା ୦୬।୦୩: ପଶ୍ଚିମବଙ୍ଗରେ ଯେତିକି ନିର୍ବାଚନ ପାଖେଇ ଆସୁଛି । ରାଜ୍ୟରେ ସେତିକି ପରିମାଣରେ ହିଂସା ବଢିବାରେ ଲାଗିଛି । ପ୍ରତିଦିନ ହିଂସାର ନୂଆ ନୂଆ ଘଟଣା ନଜରକୁ ଆସୁଛି । ବିଜେପି କର୍ମକର୍ତ୍ତାଙ୍କ ଉପରେ ପେଟ୍ରୋଲ ବମ୍‌ ପକାଇବାର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୬ଜଣ କର୍ମକର୍ତ୍ତା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ ୨୪ ପ୍ରଗଣାର ରାମପୁରରେ  ଏହି ଘଟଣା ଘଟିଛି । କିଛି ବିଜେପି କର୍ମକର୍ତ୍ତା ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ହଠାତ୍‌ ପେଟ୍ରୋଲ୍‌ ବମ୍‌ ଫିଙ୍ଗାଯାଇଥିଲା । ଯେଉଁଥିରେ କି ୬ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।

ସେପଟେ ଏହି ଘଟଣା ପଛରେ ଟିଏମ୍‌ସି କର୍ମୀଙ୍କ ହାତ ରହିଛି ବୋଲି ବିଜେପି ଅଭିଯୋଗ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଏହି ଆକ୍ରମଣ କରିଛି । ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ଛାନ୍‌ଭିନ୍‌ କରୁଛି ପୋଲିସ । ରିପୋର୍ଟ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ହେଲା ପଶ୍ଚିମବଙ୍ଗରେ ରାଜନୈତିକ ହିଂସାର ପରିମାଣ ବଢିବାରେ ଲାଗିଛି । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଯେଉଁଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେବଳ ଜେ.ପି ନଡ୍ଡା ନୁହେଁ, ଏପିରି ଅନେକ ନେତାଙ୍କ ଉପରକୁ ଆକ୍ରମଣ କରାଯାଇଛି ।

ସେହିପରି ଟିଏମ୍‌ସି ମଧ୍ୟ ଓଲଟା ଅଭିଯୋଗ ଆଣୁଛି । ରାଜ୍ୟରେ ଦେଖାଦେଉଥିବା ହିଂସା ପଛରେ ବିଜେପିର ହାତ ରହିଛି ବୋଲି ଟିଏମ୍‌ସି ନେତା କହୁଛନ୍ତି । ଆଗାମୀ ଦିନରେ ପଶ୍ଚିମବଙ୍ଗ ରାଜନୀତିରେ ଅନେକ ରୋଚକ ତଥ୍ୟ ଦେଖାଦେବ ବୋଲି ରାଜନୈତିକ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.