ଶିବସେନାର ଅସଲ ସୁପ୍ରିମୋ କିଏ ? ସିନ୍ଦେ ନା ଉଦ୍ଧବ ? ସୋମବାର ସୁପ୍ରିମ ଶୁଣାଣି

Published By : Prameya-News7 Bureau | July 11, 2022 IST

ନୂଆଦିଲ୍ଲୀ,୧୧/୦୭:  ମହାରାଷ୍ଟ୍ରରେ ଚାଲିଥିବା ଶିବସେନା କନ୍ଦଳ ବାବଦରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ସୁପ୍ରିମକୋର୍ଟଙ୍କ କ୍ଲାଇମାକ୍ସ ଶୁଣାଣି ହେବ ବୋଲି କୁହାଯାଉଛି । କାରଣ ଶିବସେନା ଉଦ୍ଧବ ଠାକରେଙ୍କ ପାଖରେ ରହିବ ନା ଏକନାଥ ସିନ୍ଦେ ଏହାର ଦାବିଦାର ହେବେ ସେନେଇ ସୁପ୍ରିମକୋର୍ଟ ଶୁଣାଣି କରିବେ ।

ତେବେ ଉଦ୍ଧବ ଓ ତାଙ୍କ ଗୋଷ୍ଠୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ହୋଇଥିଲା । ଗୋଟିଏ ୧୬ ବିଧାୟକଙ୍କ ଅଯୋଗ୍ୟତା ବାବଦରେ ଥିବା ବେଳେ ଅନ୍ୟଟି ଶୁକ୍ରବାର ଦାଖଲ ହୋଇଥିଲା । ଯେଉଁଥିରେ ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ନେଇ ଡାକିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ଆଜି ଏହି ଦୁଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

୫୩ ବିଧାୟକଙ୍କୁ ନୋଟିସ୍

ମହାରାଷ୍ଟ୍ର ବିଧାନସଭା ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ବିଧାନସଭାର ପ୍ରଧାନ ସଚିବ ରାଜେନ୍ଦ୍ର ଭାଗବତ ଶିବସେନାର ୫୩ ଜଣ ବିଧାୟକ (ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ୪୦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀର ୧୩) ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାର କାରଣ ଦର୍ଶାଇବାକୁ ଏହି ନୋଟିସରେ ସେମାନଙ୍କୁ କୁହାଯାଇଛି । ଏକ ସପ୍ତାହ ଭିତରେ ନୋଟିସର ଉତ୍ତର ସହ ସବିଶେଷ ତଥ୍ୟ ବାଚସ୍ପତିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ନୋଟିସରେ ଉଦ୍ଧବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ନାମ ସ୍ଥାନ ପାଇନାହିଁ । ବିଧାନସଭାରେ ବର୍ତ୍ତମାନ ଶିବସେନାର ମୋଟ ୫୫ ଜଣ ବିଧାୟକ ଅଛନ୍ତି । ଜୁଲାଇ ୩ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନ ଓ ଜୁଲାଇ ୪ରେ ଆସ୍ଥାଭୋଟ ବେଳେ ଉଭୟ ପକ୍ଷ ବିଧାୟକମାନଙ୍କୁ ହୁଇପ୍‌ ଜାରି କରିଥିଲେ । କିନ୍ତୁ କେହି କାହାରି ହୁଇପ୍‌କୁ ଗ୍ରହଣ କରିନଥିଲେ । ଯାହାଫଳରେ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ସୋମବାର ସୁପ୍ରିମ ଶୁଣାଣି

ସୋମବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣି କରାଯିବ । ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ସୁପ୍ରିମକୋର୍ଟରେ ତାଙ୍କର ଉତ୍ତର ରଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ସସ୍‌ପେଣ୍ଡ କରାଯିବା ଉଚିତ। ବିଧାୟକମାନେ ଦଳବଦଳ କରିଥିବାରୁ ସେମାନେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହେବାକୁ ଅଯୋଗ୍ୟ । ସେମାନେ ଦଳବଦଳ କରି ସାମ୍ବିଧାନିକ ପାପ କରିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ ।

ଜୁଲାଇ ୪ରେ ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱାଲେ ସବୁ ଶିବସେନା ବିଧାୟକଙ୍କୁ ଆସ୍ଥା ସପକ୍ଷରେ ଭୋଟ ଦେବାକୁ ହୁଇପ୍‌ ଜାରି କରିଥିଲେ । ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ମଧ୍ୟ ସବୁ ବିଧାୟକଙ୍କୁ ହୁଇପ୍‌ ଜାରି କରି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେବାକୁ ଆଦେଶ ଦେଇଥିଲେ । ତେବେ ଆସ୍ଥା ଭୋଟ ସପକ୍ଷରେ ୪୦ ଶିବସେନା ବିଧାୟକ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୧୫ ଭୋଟ ପଡିଥିଲା । ସେହିଦିନ ଗୋଗୱାଲେ ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିବା ୧୪ ଜଣ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବାଚସ୍ପତି ରାହୁଲ ନରୱେକରଙ୍କ ନିକଟରେ ଫେରାଦ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଭୁ ମଧ୍ୟ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇନଥିବା ୪୦ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହିଭଳି ଜୁଲାଇ ୩ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ୩୯ ଜଣ ବିଧାୟକ ନରୱେକରଙ୍କୁ ଭୋଟ ଦେଇଥିଲା ବେଳେ ୧୫ ଜଣ ତାଙ୍କ ବିପକ୍ଷରେ ମତଦାନ କରିଥିଲେ । ବାଚସ୍ପତି ନିର୍ବାଚନ ପରେ ଉକ୍ତ ଦିନ ମଧ୍ୟ ଗୋଗୱାଲେ ୧୪ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାଦ ଦାବି କରିଥିଲା ବେଳେ ପ୍ରଭୁ ମଧ୍ୟ ୩୯ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହିଁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.