ନୂଆଦିଲ୍ଲୀ ୨୫/୦୬: ମହାରାଷ୍ଟ୍ର ମହାଡ୍ରାମାରେ ଏଯାଏ ପଡ଼ିନି ପୂର୍ଣ୍ଣଛେଦ । ଏହା ଆଗକୁ କି ମୋଡ଼ ନେବ, କାହା ହାତରେ ରହିବ ଶାସନ ଡୋରୀ ସେ ଚିତ୍ର ସ୍ପଷ୍ଟ ହୋଇନି । ଠାକରେଙ୍କ ଶିବସେନା ଯେ ଏବେ ଧୀରେ ଧୀରେ ସିନ୍ଦେଙ୍କ କବଜାକୁ ଚାଲିଗଲାଣି ତାହା କିନ୍ତୁ ଜଳ ଜଳ ଦିଶିଲାଣି । ମହାବିକାଶ ଅଘାଡ଼ି ସରକାର ଭାଙ୍ଗିଲେ ବିଜେପି ଏବଂ ଶିବସେନାର ସିନ୍ଦେ ଗୋଷ୍ଠୀର ସରକାର ବନିବା ସମ୍ଭାବନା ଅଧିକ । ଏମିତି ହେଲେ ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏପରିକି ଏନ.ସି.ପି-ବିଜେପି ସରକାର ଗଢ଼ିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇନପାରେ । ତେବେ ଏସବୁ ମଧ୍ୟରେ ଶନିବାର ଶିବସେନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ।
ବିଧାନସଭାରେ ପ୍ରମାଣିତ କରିବାକୁ ପଡିବ ବହୁମତ
ଏବେ ଉଭୟ ଠାକରେ ଗୋଷ୍ଠୀ ଏବଂ ଏକନାଥ ଗୋଷ୍ଠୀଙ୍କୁ ବିଧାନସଭାରେ ବହୁମତ ପ୍ରମାଣିତ କରିବାକୁ ପଡିବ । ସରକାର ଭାଙ୍ଗିବା ନେଇ ଯଦି ଉଦ୍ଧବ ଠାକରେ ସୁପାରିଶ କରନ୍ତି ତେବେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଆଉ ଯଦି ସରକାର ଭାଙ୍ଗିଯାଏ ତେବେ ବିଜେପି ସହ ମିଶି ସିନ୍ଦେ ଗୋଷ୍ଠୀ ସରକାର ଗଢିପାରନ୍ତି । ସେପଟେ ଯଦି ଏକନାଥଙ୍କ ସମର୍ଥନରେ ୩୭ବିଧାୟକ ନରୁହନ୍ତି ତେବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବ । ଏହାପରେ ନା ଉଦ୍ଧବ ନା ଫଜନବୀସ, କାହା ପାଖରେ ବହୁମତ ରହିବନି । ତେଣୁ ମହାରାଷ୍ଟ୍ରରେ ଲାଗିପାରେ ରାଷ୍ଟ୍ରପତି ଶାସନ । ଏମିତି ବି ହୋଇପାରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ସବୁ ସର୍ତ୍ତ ମାନିବା ସହ ବିଜେପି ସହ ମେଣ୍ଟ କରିପାରନ୍ତି । ଏପରିକି ଏନସିପି-ବିଜେପି ସରକାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇନପାରେ । ବ୍ୟୁରୋ
ଚାଲିଛି ଶିବସେନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିଜ ସରକାର ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ବିଗତ ୪ ଦିନ ହେଲା ଆଲୋଚନା ଜାରି ରଖିଛନ୍ତି । ଶରଦ ପାୱାରଙ୍କ ସମତେ ଏନସିପିର ବରିଷ୍ଠ ନେତାଙ୍କ ସହିତ ଆଗାମୀ ରଣନୀତି ନେଇ ଉଦ୍ଧବ ଠାକରେ ବୈଠକ କରିଛନ୍ତି । ଆଜି ଶିବସେନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିବ । ଆଦିତ୍ୟ ଠାକରେ ମଧ୍ୟ ଯୁବନେତାଙ୍କ ସଭାକୁ ସମ୍ବୋଧିତ କରିବେ । ସେପଟେ ମହାରାଷ୍ଟ୍ରରେ ରାଜନୈତିକ ଘମାସାନ ଏବେ ହିଂସାର ରୂପ ନେଇଛି । କୁର୍ଲା ବିଧାୟକ ମଙ୍ଗେଶ କୁଣ୍ଡାଲକରଙ୍କ ଅଫିସ୍ ଉପରେ ଆକ୍ରମଣ ହୋଇଛି । ସାମ୍ନା ଗେଟ୍ ରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକ । ପୋଷ୍ଟର୍ ଚିରିବା ସହ ନାମ ଫଳକ ଭାଙ୍ଗି ଦେଇଛନ୍ତି । ଏପଟେ ଅହମଦନଗରରେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଫଟୋରେ କଳା ବୋଳା ଯାଇଛି । ସାକିନାକା ଅଞ୍ଚଳରେ ମଧ୍ୟ ବାଗୀ ବିଧାୟକ ଦିଲ୍ଲୀପ ପାଣ୍ଡେଙ୍କ ପୋଷ୍ଟର ଚିରା ଯାଇଛି । ବାଗୀ ବିଧାୟକଙ୍କ ସମର୍ଥକ, ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ଉପରେ ଆରୋପ ଲଗାଇଛନ୍ତି । ଭଙ୍ଗାରୁଜା ଘଟଣଽ ପରେ ମହାରାଷ୍ଟ୍ର ପୋଲିସ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି ।