ଜୟପୁର : ଭୀଷଣ ବର୍ଷାରେ ରାଜସ୍ଥାନର କେତେକ ଜିଲ୍ଲା ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ଯୋଗୁ ପୃଥକ ପୃଥକ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଜୟପୁରର କନୋତା ବନ୍ଧରେ ବୁଡି ୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଭରତପୁର ଡିଭିଜନରେ ପାଣିରେ ବୁଡି ୭ ଜଣଙ୍କ ମୃତ୍ୟୁ ହୋଇଛି। ସବାଇମାଧୋପୁରରେ ଜଣେ ଯୁବକ ନାଳପାଣିରେ ଭାସିଯାଇ ପ୍ରାଣ ହରାଇଥିବା ବେଳେ ପରିସ୍ଥିତିକୁ ଦେଖି ଜୟପୁର ସମେତ ୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଭୀଷଣ ବର୍ଷା ଯୋଗୁ ରବିବାର ଅପରାହ୍ନରେ କନୋତା ବନ୍ଧ ଓଭର ଫ୍ଲୋ ହୋଇଥିଲା। ଏଣୁ ବହୁ ସଂଖ୍ୟାରେ ଲୋକ ବନ୍ଧର ପରିସ୍ଥିତି ଦେଖିବାକୁ ଯାଇଥିଲେ। ଏତିକି ବେଳେ ଯୁବକମାନେ ମୋବାଇଲ ଫୋନରେ ରିଲ ବନେଇବା ଆରମ୍ଭ କରିଥିଲେ। ରିଲ ବନେଇବା ଚକ୍କରରେ ପାଦ ଖସି ଯାଇଥିଲା ଓ ଅଚାନର ପାଣି ସୁଅରେ ୫ ଜଣ ଯୁବକ ଭାସି ଯାଇଥିଲେ। ସୂଚନା ପାଇ ଏସଡିଆରଏଫ ଘଟଣାସ୍ଥଳକୁ ପହଞ୍ଚିଥିଲା। ଯୁବକମାନଙ୍କ ସନ୍ଧାନ ଜାରି ରହିଛି।
ବର୍ଷା ଯୋଗୁ ଭରତପୁର ଡିଭିଜନର କରୌଲୀ, ହିଣ୍ଡୋନ, ଗଙ୍ଗାପୁର ସିଟି, ଧୌଲପୁର, ଭରତ ପୁର ଓ ସବାଇ ମାଧୋପୁରର ଅବସ୍ଥା ବିଗିଡିଯାଇଛି। ଭରତପୁର ବୟାନାରେ ୭ ପିଲା, କରୌଲୀରେ ବାପ-ପୁଅ ଓ ସବାଇ ମାଧୋପୁରରେ ଜଣେ ଯୁବକର ମୃତ୍ୟୁ ପୁଷ୍ଟି କରାଯାଇଛି। କରୌଲୀରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ଏସଡିଆରଏଫ ଲାଗିପଡିଛି। ଗତ ୪୮ ଘଣ୍ଟା ହେଲା ହିଣ୍ଡୋନରେ ଲୋକେ ଘରର ଛାତ ଉପରେ ଆଶ୍ରାନେଇଛନ୍ତି। ଧୌଲପୁର ସହରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଧୌଲପୁରରେ ପାର୍ବତୀ ଓ ଶେରନୀ ନଦୀ ଏବେ ଉଛୁଳୁଛି।