ଦିଲ୍ଲୀ ଦଙ୍ଗା: ଯୋଗେନ୍ଦ୍ର ଯାଦବ ଓ ସୀତାରାମ ୟେଚୁରୀ କ’ଣ ରଚିଥିଲେ ଷଡଯନ୍ତ୍ର? ସଫେଇ ଦେଲା ପୋଲିସ
13/09/2020 at 10:40 AM

ନୂଆଦିଲ୍ଲୀ ୧୩/୦୯: ଦିଲ୍ଲୀ ଦଙ୍ଗାର ସପ୍ଲିମେଣ୍ଟ୍ରି ଚାର୍ଜସିଟରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ ଓ ସ୍ବରାଜ ଅଭିଯାନର ନେତା ଯୋଗେନ୍ଦ୍ର ଯାଦବ ସମେତ ଆଉ କେତେକ ପରିଚିତ ନେତାଙ୍କ ନାଁ ସହ-ଏମାନଙ୍କୁ ଷଡଯନ୍ତ୍ରକାରୀ ଭାବେ ଦର୍ଶଯାଇଥିଲା। ଯାହାକୁ ଦିଲ୍ଲୀ ପୋଲିସ୍ ଖଣ୍ଡନ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ୍ କହିଛି ଅଭିଯୁକ୍ତ ନିଜ ବୟାନରେ ଏମାନଙ୍କ ନାଁ ଉଠାଇଥିଲା। କାହାର ବୟାନରେ କେହି ଅଭିଯୁକ୍ତ ହୋଇଯାଏ ନାହିଁ ବୋଲି କହିଛି ପୋଲିସ୍ । ପୋଲିସ୍ ଏକଥା ବି କହିଛି ଯେ କାହାର ବୟାନ ଆଧାରରେ ପ୍ରମାଣ ମିଳିବା ପରେ ହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ଓ ଏବେ ଏ ମାମଲାର ତଦନ୍ତ ଚାଲିଛି।
ଚଳିତବର୍ଷ ଫେବୃଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ପୋଲିସ୍ କିଛି ବଡ଼ ନେତା ଓ ସାମାଜିକକର୍ମୀଙ୍କୁ ଷଡଯନ୍ତ୍ରକାରୀ ଦର୍ଶାଇଛି। ଏହି ତାଲିକାରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବ, ଜୟତୀ ଘୋଷ, ଅପୂର୍ବାନନ୍ଦ ଓ ରାହୁଲ ରାୟଙ୍କ ନାଁ ଏଥିରେ ସାମିଲ ଥିବା ଦାବି କରିଥିଲା ପୋଲିସ୍।
ତେବେ ଏହି ଖବର ଆସିବା ପରେ ୟେଚୁରୀ ଗୋଟେ ପରେ ଗୋଟେ ଟ୍ବିଟ୍ କରି ସରକାରଙ୍କ ଉପରେ ନାନା ପ୍ରକାର ଅଭିଯୋଗ ଆଣୁଛନ୍ତି। ସେ ଲେଖିଛନ୍ତି, ‘ଦିଲ୍ଲୀ ପୋଲିସ୍ ବିଜେପିର କେନ୍ଦ୍ର ସରକାର ଓ ଗୃହମନ୍ତ୍ରାଳୟଙ୍କ ଅଧୀନରେ କାମ କରୁଛି। ତାଙ୍କର ଏ ବେଆଇନ ଓ ହରକତକୁ ବିଜେପିର ଶୀର୍ଷ ରାଜନୈତିକ ନେତୃତ୍ବଙ୍କ ଚରିତ୍ରକୁ ଦର୍ଶାଉଛି। ସେ ବିରୋଧୀଙ୍କ ପ୍ରଶ୍ନ ଓ ଶାନ୍ତିପୂଣ୍ର୍ଣ ପ୍ରଦର୍ଶନରେ ଭୟଭୀତ। କ୍ଷମତାକୁ ଦୁରୁପଯୋଗ କରି ଆମକୁ ରୋକିବାକୁ ଚେଷ୍ଟା କରୁଛନ୍ତି।’