ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର : ଆଜି ଝାଡୁଆପଡା ପୂଜା କମିଟି ପକ୍ଷରୁ ପତରପେଣ୍ଡି କାର୍ଯ୍ୟକ୍ରମ, ୭ରେ ଦେବଦମ୍ପତ୍ତିଙ୍କ ବିବାହ
5/06/2019 at 9:54 AM

ସମ୍ବଲପୁର ୫|୬: ଶୀତଳଷଷ୍ଠୀ ଯାତ୍ରା ପାଇଁ ସଜେଇ ହୋଇଛି ସମ୍ବଲପୁର । ଦେବଦମ୍ପତ୍ତିଙ୍କ ବାହାଘର ପାଇଁ ସାଜସଜ୍ଜା ଚାଲିଛି । ଘରେ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଭିଡ । ଆଜି ଝାଡୁଆପଡା ପୂଜା କମିଟି ପକ୍ଷରୁ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି ।

ସେହିପରି ଗତକାଲି ରାତିରେ ନନ୍ଦପଡା ପୂଜା କମିଟି ପକ୍ଷରୁ ଗୁଆଗୁଣ୍ଡା, ଦେବନିମନ୍ତ୍ରଣ ବା ନୃସିଂହ ନିଉତା ସମ୍ପନ୍ନ ହୋଇଛି । ଏକ ସୁସଜ୍ଜିତ ରଥରେ ବସି ହନୁମାନ ମନ୍ଦିର ,ଭଗବାନ ନୃସିଂହନାଥ ମନ୍ଦିର, ସହରରେ ଥିବା ବିଭିନ୍ନ ମନ୍ଦିରକୁ ଯାଇ ଶିବ ବିବାହ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଦେଇଛନ୍ତି ।

ଏହି ନିମନ୍ତ୍ରଣରେ ଚିଟାଉ, ପଇତା,ମିଷ୍ଠାନ୍ନ ଦନାରେ ରଖି, ପ୍ରତି ମନ୍ଦିରରେ ପ୍ରଦାନ କରାଯାଇଛି । ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ପରେ ଶିବ ବିବାହ ପାଇଁ ସହରର ପ୍ରାୟ ସମସ୍ତ ଶିବ ମନ୍ଦିରରେ ପ୍ରସ୍ତୁତି ଚୁଡାନ୍ତ କରାଯିବ । ଆସନ୍ତା ୭ ତାରିଖରେ ଦେବଦେବ ମହାଦେବଙ୍କ ସହ, ମାତା ପାର୍ବତୀଙ୍କ ବିବାହ ପାରମ୍ପରିକ ରୀତିନୀତି ଅନୁସାରେ କରାଯିବ । ୮ତାରିଖରେ ଦେବଦମ୍ପତ୍ତିଙ୍କ ବିଶ୍ରାମ ଦିନ ରହିଛି ।

୮ତାରିଖ ରାତିରୁ, ୯ତାରିଖ ଅପରାହ୍ନ ପର୍ଯ୍ୟନ୍ତ, ଦେବଦମ୍ପତ୍ତିଙ୍କ ଯୁଗଳମୂର୍ତ୍ତୀ ବିଶାଳ ଶୋଭାଯାତ୍ରାରେ ବାହାରି, ନଗର ପରିକ୍ରମା କରିବା ସହ, ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । ଏହାପରେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ନବ ବିବାହିତ ଦେବ ଦମ୍ପତ୍ତି ।