ପରୀ ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ଏସ୍‌ଆଇଟି ତଦନ୍ତ: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ଆରମ୍ଭ କଲେ ଛାନ୍‌ଭିନ

Published By : Prameya-News7 Bureau | December 01, 2020 IST

ନୟାଗଡ଼୧/୧୨: ପରୀ ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ତଦନ୍ତ । ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସ୍‌ଆଇଟି ଟିମ୍‌ ନୟାଗଡ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ବିଜେପି ଏହି ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କ ଇସ୍ତଫା  ଦାବି କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେହିଭଳି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି ।  

ପରୀ ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ଏସ୍‌ଆଇଟି ତଦନ୍ତ । ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସ୍‌ଆଇଟିର ୫ ଜଣିଆ ଟିମ୍‌ ନୟାଗଡରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଟିମ୍‌ ଅପରାହ୍ନରେ ସର୍କିଟ୍‌ ହାଉପସ୍‌ରେ ପହଞ୍ଚି ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ଟିମ୍‌ ଯଦୁପୁରୁ ଗାଁକୁ ଯାଇ ପରୀର ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ଏସ୍‌ଆଇଟି ଟିମ୍‌ ପରୀର ବାପା ମାଙ୍କ ସହ ମଧ୍ୟ ଆଲୋଚନା କରିଛି । ଟିମ୍‌ରେ ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ଅତିରିକ୍ତ ଏସ୍‌ପି ଆର.ସି ଥାମ୍ବା ଏବଂ ଦୁଇ ଜଣ ଇନସ୍‌ପେକ୍ଟର ଅଛନ୍ତି । ସେପଟେ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିକରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୃଷିମନ୍ତ୍ରୀଙ୍କ ବହିସ୍କାର ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସେପଟେ ଏହି ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ତାତି ଥମୁ ନାହିଁ । ଗତକାଲି ବିଜେପି ବିଧାୟକ ଦଳ ନୟାଗଡ଼ ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜଭବନ ମାର୍ଚ୍ଚ କରିଛି । ଏସଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ ସହ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ଏନେଇ ବିଜେପିର ବିଧାୟକ ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ସେପଟେ ପରୀକୁ ନ୍ୟାୟ ଦାବିକରି କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଏବିଭିପି । ଏହି ସମୟରେ ଏବିଭିପି କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା ।  ପରୀ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ଗମ୍ବୀର ହେଉଛି। ଯଦୁପୁର ଗାଁକୁ ଏବେ ବିଭିନ୍ନ ଦଲର ନେତାଙ୍କ ଭିଡ ଦେଖିବାକୁ ମିଳିଥିବାରୁ ଗାଁରେ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.