ବଢିଲା ପ୍ରଦୀପଙ୍କ ଅଡୁଆ, ଗୋଟିଏ ଆକାଉଣ୍ଟରେ ବର୍ଷକ ଭିତରେ ଜମା ହୋଇଛି ଅଢେଇ କୋଟି : ସେପଟେ ଅଭୟକାନ୍ତଙ୍କ ୬ଟି ଆକାଉଣ୍ଟ ସିଜ୍ କଲା ଏସଆଇଟି

Published By : Prameya-News7 Bureau | December 03, 2020 IST

ଭୁବନେଶ୍ବର ୩।୧୨: ଆଇଏଫଏସ ଅଭୟକାନ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ କରୁଥିବା ଏସଆଇଟି ବ୍ରହ୍ମପୁରରେ ଅଭୟ ପାଠକଙ୍କ ୬ଟି ଆକାଉଣ୍ଟକୁ ସିଜ୍ କରିଛି । ଏହାସହ ବୀମା ଡକ୍ୟୁମେଣ୍ଟ ମଧ୍ୟ ସିଜ୍ କରିଛି ଏସଆଇଟି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଦେଣନେଣ ହୋଇଥିବାର ପ୍ରମାଣ ଲାଗିଛି ଏସଆଇଟି ହାତରେ । ପ୍ରଦୀପ ପାଣିଗ୍ରାହୀଙ୍କର ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଏହି ବର୍ଷ ଅଢ଼େଇ କୋଟି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି । ତାଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଅଛି ବୋଲି ସେ ଆୟକର ରିଟର୍ଣ୍ଣ ଭରିଥିବା ବେଳେ ଏତେ ଟଙ୍କା କିଭଳି ଏବଂ କେଉଁଠୁ ଆସିଲା ତାହା ମଧ୍ୟ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଥିବା ବିଧାୟକଙ୍କ ଆକାଉଣ୍ଟ ନମ୍ବର ହେଉଛି ୨୦୩୬୦୧୫୦୧୯୪୮ । ଆକାଉଣ୍ଟରେ ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ଦୁଇ ଚାରି ଜଣ ଲୋକ ଓ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ଓ ଏହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ସେମାନେ ହେଲେ ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍, ଗୁରୁମୂର୍ତ୍ତି ଅଏଲ କମ୍ପାନୀ, କମ୍ଭୁପାଣି ସାହୁ । ଏକା ରବୀନ୍ଦ୍ର କୁମାର ସାହୁ ଗତ ୪ ମାସ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ପାଖାପାଖି ୭୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ସେହିଭଳି ସୂର୍ଯ୍ୟ ଫିଲିଂ ଷ୍ଟେସନ ୪୦ ଲକ୍ଷ, ଗୁରୁମୂର୍ତ୍ତି ଅଏଲ କମ୍ପାନୀ ୪୦ ଲକ୍ଷ, କମ୍ଭୁପାଣି ସାହୁ ପାଖାପାଖି ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ଏପରିକି ଆକାଶ ପାଠକ ମଧ୍ୟ ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି ।

ଏହାବ୍ୟତୀତ ଏହି ଆକାଉଣ୍ଟରେ ହେମନ୍ତ କୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ କୁମାର ଲେଙ୍କା ଆଦି ବିଭିନ୍ନ ଲୋକ ଲକ୍ଷ ଲକ୍ଷ ଟଙ୍କା ଦାଖଲ କରିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଆକାଉଣ୍ଟରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ଗତ ସେପ୍ଟେମ୍ବର ୩ ତାରିଖରେ ଡିପୋଜିଟ୍ କରିଛନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ସୋରଡ଼ା ବିଧାୟକ ନା ଆଉ କେହି ତାହା ତଦନ୍ତ ସାପେକ୍ଷ ।

ଏବେ ପ୍ରଶ୍ନ ଉଠୁଛି, ଏହି ରବୀନ୍ଦ୍ର ସାହୁ କିଏ ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ?  ପୁଣି କିଏ ଏହି କମ୍ଭୁପାଣି ସାହୁ ? ଗୁରୁମୂର୍ତ୍ତି ଅଏଲ କମ୍ପାନୀ ଚଲାଇଛି କିଏ ? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିଲା କାହିଁକି ? ଆକାଉଣ୍ଟ ଡିଟେଲ୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଥିରେ ମାତ୍ର ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ କେମିତି ଭର୍ତ୍ତି ହୋଇଛି ଲକ୍ଷ ଲକ୍ଷ ଟଙ୍କା, ପୁଣି କେମତି ଉଠାଯାଇଛି ଲକ୍ଷାଧିକ ଟଙ୍କା । ସେପଟେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ତାଙ୍କ ଆକାଉଣ୍ଟରେ କୌଣସି ବେନାମୀ କାରବାର ହୋଇନାହିଁ । ରବୀନ୍ଦ ସାହୁ ହେଉଛନ୍ତି ମୋ ଭଣଜା, ଆକାଶ ପାଠକ ମୋର ଭାବି ଜ୍ବାଇଁ । ତେଣୁ ତାଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ଆମ ବ୍ୟକ୍ତିଗତ କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.