ଭୁବନେଶ୍ବର ୫।୧୨: ‘ପରୀ’ ମୃତ୍ୟୁ ଘଟଣାରେ ତଦନ୍ତ କରୁଛି ଏସଆଇଟି । ଆଉ ୨ ସପ୍ତାହ ସମୟ ଦିଅ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି ଏସ୍ଆଇଟି ଗଠନକୁ ମାତ୍ର ୪ରୁ ୫ ଦିନ ହୋଇଛି । ମୋ ଉପରେ ସମସ୍ତଙ୍କ ଭରସା ଅଛି । ଡିଜି ମୋତେ ଦାୟିତ୍ବ ଦେଇଛନ୍ତି । ଆମ ଟିମ୍ ଆଗକୁ ବଢୁଛି ।
ଅନ୍ୟପଟେ ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ଲକ୍ଷେ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଛନ୍ତି । ଏ ନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା ଦେଇଛନ୍ତି ।
ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି । ଟିମ୍ରେ କ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି ।
ନୟାଗଡର ୬ବର୍ଷର ଶିଶୁ କନ୍ୟା ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡିନଥିଲା ।