ପୁଅ ଦାମ୍ ୪ ଲକ୍ଷ, ଝିଅ ୩ ଲକ୍ଷ : ଗରିବ ପରିବାରରୁ ଛୁଆଙ୍କୁ ନେଇ ଶିଶୁ ବିକ୍ରି ରାକେଟ୍ ଚଳାଇଛନ୍ତି ଷ୍ଟିଲ୍ ସିଟି ଦଲାଲ

Published By : Prameya-News7 Bureau | July 27, 2021 IST

ରାଉରକେଲା, ୨୭|୦୭:   ଷ୍ଟିଲ୍ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟ ସକ୍ରିୟ । ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ଗରିବ ପରିବାରର ଶିଶୁ ମାନଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । ଏନେଇ ଆଜି ପ୍ଲାଣ୍ଟ ସାଇଡ ପୋଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ୭ ଜଣଙ୍କୁ ଗିରଫ କରିଛି । ସଙ୍ଗୀତା ଅଗ୍ରୱାଲ, ନୀତା ଅଗ୍ରୱାଲଙ୍କ ସହ ୫ଜଣ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଗିରଫ କରାଯାଇଛି ।

ଦଲାଲ ସଙ୍ଗୀତା ଅଗ୍ରୱାଲ ଓ ନୀତା ଅଗ୍ରୱାଲ ନାମକ ୨ ମହିଳା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ସୀମା ଖୁଣ୍ଟିଆଙ୍କ ଦେଢ଼ ବର୍ଷର ନାତୁଣୀଙ୍କୁ ୩ ଲକ୍ଷ ଟଙ୍କାରେ କିଣିବାକୁ ଚୁକ୍ତି କରିଥିଲେ । ଚୁକ୍ତି ମୁତାବକ ଗତ ୨୪ ତାରିଖ ରାତି ପ୍ରାୟ ୮ଟା ରେ ସୀମା ଖୁଣ୍ଟିଆ ତାଙ୍କ ନାତୁଣୀକୁ ଧରି ଏମାନଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଘଟଣାସ୍ଥଳରେ ଉଭୟ ମହିଳା ଦଲାଲ ସଂଗୀତା ଅଗ୍ରୱାଲ କି ନୀତା ଅଗ୍ରୱାଲ ଉପସ୍ଥିତ ନଥିଲେ । ଶିଶୁବିକ୍ରି ରାକେଟର ଅନ୍ୟ ଦଲାଲ ଆସିଥିଲେ । ଦଲାଲ ମାନେ ସୀମା ଖୁଣ୍ଟିଆଙ୍କ ଠାରୁ ଶିଶୁ କନ୍ୟାକୁ ନେଇ ଯାଇଥିଲେ , କିନ୍ତୁ ଟଙ୍କା ଦେଇନଥିଲେ । ଯାହାକୁ ନେଇ ସୀମା ଖୁଣ୍ଟିଆ ପ୍ଲାଣ୍ଟ ସାଇଡ ଥାନାରେ ଅଭିଯୋଗ କରଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ୭ଜଣ ଦଲାଲଙ୍କୁ ଗିରଫ କରିବା ସହ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି । ଆଉ ଜଣେ ଦଲାଲ ଫେରାର ଅଛି । ଗିରଫ ୭ଜଣ ଦଲାଲ ପୁର୍ବରୁ ପିଲା ଚୋରି ଘଟଣାରେ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଥିବା ପୋଲିସ ସୂଚନା ଦେଇଛି ।

ସୂତ୍ରାନୁସାରେ, ଦଲାଲମାନେ ଶିଶୁ ବିକ୍ରି କରିବା ପୂର୍ବରୁ ଏକ ଦାମ୍ ନିର୍ଦ୍ଧାରଣ କରନ୍ତି। ସେମାନେ ଶିଶୁ ପୁତ୍ରର ଦାମ୍ ୪ ଲକ୍ଷ ଟଙ୍କା ରଖିଥିବା ବେଳେ ଶିଶୁକନ୍ୟାକୁ ୩ ଲକ୍ଷରେ ବିକ୍ରି କରିଥାନ୍ତି । ଏହି ଦରରେ ସେମାନେ ଦୀର୍ଘଦିନ ହେବ ରାକେଟ୍ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.