ସିସୋଦିଆ ୭ ଦିନ ପର୍ଯ୍ୟନ୍ତ ରହିବେ ED ରିମାଣ୍ଡରେ, ୨୧ ମାର୍ଚ୍ଚ କୁ ଟଳିଲା ଜାମିନ ଆବେଦନର ଶୁଣାଣି
10/03/2023 at 5:26 PM

ନୂଆଦିଲ୍ଲୀ ୧୦।୩: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ଥମିବାର ନା ନେଉନି। ସିବିଆଇ ଗିରଫକୁ ନେଇ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ରାଉଜ ଏଭେନ୍ୟୁ କୋର୍ଟରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଟଳିଛି। ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ମାମଲାରେ ତର୍କ ଶୁଣିବା ପରେ କୋର୍ଟ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ସିସୋଦିଆଙ୍କୁ ଇଡି ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟରେ ଉପସ୍ଥାପନ କରିଥିବା ବେଳେ ୧୦ ଦିନ ରିମାଣ୍ଡ ଦାବି କରିଥିଲା।
ଇଡି କୋର୍ଟରେ ତର୍କ ରଖି କହିଛନ୍ତି ଯେ ଦିଲ୍ଲୀ ମଦ ନୀତିରେ ମାତ୍ର କିଛି ଲୋକଙ୍କୁ ଲାଭାନ୍ୱିତ କରାଯାଇଛି। ନୀତି ଲାଗି ସରକାର ଜନତାଙ୍କ ପରାମର୍ଶକୁ ମଧ୍ୟ ମାନି ନାହାନ୍ତି। ଲାଭ ପାଇଁ ନିୟମରେ ପରିବର୍ତ୍ତନ କରାଯିବା ସହ ଷଡ଼ଯନ୍ତ୍ର କରାଯାଇଥିଲା। ଏଣୁ ମାମଲାରେ ତାଙ୍କୁ ଅଧିକ ପଚରା ଉଚରାର ଆବଶ୍ୟକତା ଥିବା ଇଡି କୋର୍ଟଙ୍କୁ କହିଛନ୍ତି। ମଦ ନୀତିର ମୂଳ ରିପୋର୍ଟ ଓ ଫାଇନାଲ ଡ୍ରାଫ୍ଟକୁ ଇଡି କୋର୍ଟରେ ଉପସ୍ଥାପନ କରିଛନ୍ତି। ଏହା ସହ ତଦନ୍ତରେ ସିସୋଦିଆ ସହଯୋଗ କରୁନଥିବା ଯାଞ୍ଚଏଜେନ୍ସୀ କୋର୍ଟଙ୍କୁ କହିଛନ୍ତି।

ଇଡି କହିଛନ୍ତି ଯେ ଜିଓଏମ ବୈଠକରେ ପ୍ରଫିଟ ମାର୍ଜିନ ୧୨ ପ୍ରତିଶତ କରିବା ପାଇଁ କେବେ ଚର୍ଚ୍ଚା ମଧ୍ୟ କରାଯାଇ ନାହିଁ। ଏଥି ଲାଗି ସାଉଥ ଲବି ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛି। ଏଥିରେ ବିଜୟ ନାୟର ସାଉଥ ଲବି ଓ ଦିଲ୍ଲୀ ମଧ୍ୟରେ ମଧ୍ୟସ୍ଥତା କରୁଥିଲେ ବୋଲି ଇଡି କହିଛନ୍ତି। ନାୟର ଓ କେ. କବିତାଙ୍କ ମଧ୍ୟରେ ଏ ବାବଦେ କଥାବାର୍ତ୍ତା ହେଉଥିଲା। ଏହି ତମାମ ଷଡ଼ଯନ୍ତ୍ର ଲାଗି ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ମୋବାଇଲ ଫୋନ ଓ ସିମକାର୍ଡ କ୍ରୟ କରିଥିଲେ ବୋଲି ଇଡି କହିଛନ୍ତି।
ଏଣୁ ମାମଲାରେ ଅଧିକ ପଚରା ଉଚରା ପାଇଁ ଇଡି ସିସୋଦିଆଙ୍କ ୧୦ ଦିନ ରିମାଣ୍ଡ ଦାବି କରିଥିଲା। ଯାହା ଦ୍ୱାରା ଷଡ଼ଯନ୍ତ୍ରର ଚେର ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି କୋର୍ଟଙ୍କୁ କହିଥିଲା। ତେବେ ମନିଷ ସିସୋଦିଆଙ୍କ ଓକିଲ ଏ ପର୍ଯ୍ୟନ୍ତ ଗୋଟିଏ ପଇସାର ମଧ୍ୟ ହେରଫେର ପ୍ରମାଣିତ ହୋଇନଥିବା କହିଥିଲେ। ନୀତି ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କୁ ଚୟନ କରାଯାଏ ଓ ନୀତି ହେବା ପାଇଁ ଅନେକ ବିଭାଗ ଦେଇ ଯାଇଥାଏ। ନୀତି ସରକାର ଓ ବ୍ୟୁରୋକ୍ରାସି ମିଳିତ ପ୍ରସ୍ତୁତ କରିଥାନ୍ତି। ମଦନୀତିର ଫାଇଲ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ମଧ୍ୟ ପଠା ଯାଇଥିଲା।
ମାମଲାରେ ହୋଇଥିବା ସିବିଆଇ ଗିରଫଦାରୀର ଜାମିନ ଶୁଣାଣି ଦିନ ପୂର୍ବରୁ ପୁଣି ଥରେ ସିସୋଦିଆଙ୍କୁ ଗିରଫ କରାଗଲା। ତେବେ ଇଡିଙ୍କ ଏହି ଗିରଫଦାରୀ ତାଙ୍କ ଧାରଣା ଅନୁସାରେ ହୋଇଛି, ପ୍ରମାଣ ଆଧାରରେ ନୁହେଁ। ଏଣୁ ଇଡି ରିମାଣ୍ଡର ବିରୋଧ କରୁଥିବା କହିଥିଲେ। ତେବେ କୋର୍ଟ ସିସୋଦିଆଙ୍କୁ ୭ ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।