ଯଦି ଭିଡିଓଟି ଠିକ୍, ୪ ଦିନରେ ତାଙ୍କୁ ଗିରଫ କରି ଦେଖାଉ ସିବିଆଇ: ମନୀଷ ସିସୋଦିଆ

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିକୁ ନେଇ ମୁହାଁମୁହିଁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି। ଅବକାରୀ ନୀତିରେ ଦୁର୍ନୀତି ନେଇ ସିବିଆଇ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ହେଲେ ଏହି ଚଢାଉରେ ସିସୋଦିଆଙ୍କ ବିରୋଧରେ ସେମିତି କିଛି ବଳିଷ୍ଠ ପ୍ରମାଣ ମିଳିନଥିବା କୁହାଯାଉଛି। ଏବେ ଏହାକୁ ନେଇ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି ମନୀଷ ସିସୋଦିଆ। ଏହା ମଧ୍ୟରେ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ବିଜେପି ଏହି ଭିଡିଓ ଜାରି କରି ଦାବି କରିଛି ଯେ, ମଦ ଘଟଣାରେ ଜଣେ ଅଭିଯୁକ୍ତ ଏହାର ଖୁଲାସା କରିଛି ଯେ, ନୂତନ  ଅବକାରୀ ନୀତି କେବଳ ଦୁର୍ନୀତି କରିବା ପାଇଁ ତିଆରି କରାଯାଇଥିଲା। ଏହା ଜରିଆରେ କୋଟି କୋଟି ଟଙ୍କା ଆୟ କରାଯାଇଛି ଏବଂ ଏହାର ଉପଯୋଗ ପଞ୍ଜାବ ଏବଂ ଗୋଆ ନିର୍ବାଚନରେ କରାଯାଇଛି।

ନୂତନ ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ନାକୁ ଆସି ଏହି ଭିଡିଓ ନକଲି ବୋଲି ଦାବି କରିଛନ୍ତି। ସେ କହିଛନ୍ତି, ଯଦି ଦିଲ୍ଲୀର ଅବକାରୀ ନୀତିରେ କୌଣସି ପ୍ରକାରର ଦୁର୍ନୀତି ହୋଇଥାଏ ତେବେ ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାହିଁକି କରାଯାଇନି। ଚାରି ଭିତରେ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇ ପାରିବ ଯେ, ଭିଡିଓ ଅସଲି ନା ଏଥିରେ କିଛି ଭୁଲ୍ ଅଛି। ଯଦି ବିଜେପି ଦ୍ଵାରା ଜାରି କରାଯାଇଥିବା ଭିଡିଓ ସତ ତେବେ ସିବିଆଇ ତାଙ୍କୁ ଚାରି ଦିନ ଭିତରେ ଗିରଫ କରି ଦେଖାଉ। ଯଦି ଚାରି ଦିନରେ ଭିଡିଓ ପ୍ରମାଣିତ ନ ହୁଏ ଏବଂ ତାଙ୍କୁ ଗିରଫ କରାନଯାଏ ତେବେ ଏହା ବୁଝି ନେବେ ଯେ ଭିଡିଓଟି ନକଲି।

ଅନ୍ୟପଟେ ବିଜେପି କହିଛି ତଦନ୍ତ ଏଜେନ୍ସି  ନିଜ ହିସାବରେ ତଦନ୍ତ କରୁଛନ୍ତି।  ନିୟମ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଜେନ୍ସି ତଦନ୍ତ ସମୟରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଏକତ୍ର କରି ସଠିକ୍ ସମୟରେ ଅଭିଯୁକ୍ତକୁ ଗିରଫ କରିଥାଏ। ସିସୋଦିଆ ଜଣାନ୍ତୁ ଯେ, ଗିରଫ ହେବା ପାଇଁ ସେ ଏତେ ବ୍ୟଗ୍ର କାହିଁକି।କୌଣସି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତଦନ୍ତ ଏଜେନ୍ସି ଏବଂ ଅଦାଲତ ଉପରେ ଛାଡି ଦେବା ଉଚିତ୍ ବୋଲି ବିଜେପି କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.