ସିଷ୍ଟର ଅଭୟା ହତ୍ୟା ମାମଲା: ଅଭିଯୁକ୍ତ ଫାଦର ଓ ନନ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | December 23, 2020 IST

ଥିରୁଅନନ୍ତପୁରମ ୨୩/୧୨: କ୍ୟାଥୋଲିକ୍‌ ନନ୍‌ ସିଷ୍ଟର ଅଭୟାଙ୍କୁ ୨୮ ବର୍ଷ ପରେ ନ୍ୟାୟ ମିଳିଛି। ଅଭୟା ହତ୍ୟା ମାମଲାରେ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କେରଳର ସ୍ବତନ୍ତ୍ର ସବିଆଇ କୋର୍ଟ।  ଏହା ସହ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ। ୧୯୯୨ ମାର୍ଚ୍ଚରେ ହୋଇଥିବା ଏହି ହତ୍ୟାକଣ୍ଡର ତଦନ୍ତ ୨୮ ବର୍ଷ ଧରି ଚାଲିଥିଲା। ଏହି ମାମଲା​‌ରେ ମୋଟ ୪୯ ସାକ୍ଷି ଓହରିଯାଇଥିବା ବେଳେ ଉଡ୍ଡକା ରାଜା ନାମକ ଏକ ଚୋରର ବୟାନକୁ ପ୍ରମାଣ ରୂପେ ସ୍ବିକାର କରି ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ।

ଚୋରଟି କୋର୍ଟରେ କହିଥିଲା ଯେ, ଘଟଣା ଦିନ ସେ ଚୋରି କରିବା ପାଇଁ ଚର୍ଚ୍ଚର ହଷ୍ଟେଲକୁ ଯାଇଥିଲା। କିନ୍ତୁ ସେଠାରେ ପାଦରୀ(ଫାଦର) ଅଭୟାଙ୍କୁ କୂଅରେ ପିଙ୍ଗୁଥିବା ଦେଖିବାକୁ ପାଇଥିଲା। ଏହି ଦୃଶ୍ୟ ଦେଖିବା ପରେ ଚୁପଚାପ ପଳାଇଆସିଥିଲା ବୋଲି ଚୋର କୋର୍ଟରେ କହିଥିଲା। ଚୋରଟି ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହା ପରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ।

ଅଭିଯୁକ୍ତ ଫାଦର ଥୋମାସ୍‌ କୁଟ୍ଟୁର ଓ ସିଷ୍ଟର ସେଫିଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ୫ ଲକ୍ଷ ଜରିମାନା ବି ଲଗାଇଛନ୍ତି। ଏହାସହ ଷଡ଼ଯନ୍ତ୍ର ରଚିଥିବାରୁ ଲକ୍ଷେ ଓ ପ୍ରମାଣ ନଷ୍ଟ କରିବା ପାଇଁ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ। ସିବିଆଇ ଜଜ୍‌ ସନଲ କୁମାର ଫାଦର ଥୋମାସ୍‌ କୁଟ୍ଟୁର ଓ ସିଷ୍ଟର ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଉଭୟ ଦୋଷୀ କ୍ୟାଥୋଲିକ୍‌ ଚର୍ଚ୍ଚର ପ୍ରିଷ୍ଟ ଓ ନନ୍ ବୋଲି ମଧ୍ୟ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ୧୯୯୨ ମସିହା ମାର୍ଚ୍ଚ ୨୭ ତାରିଖ ଦିନ କେରଳ, କୋଟ୍ଟାୟମସ୍ଥିତ ପିୟୁଅସ୍ ଏକ୍ସ କନଭେଣ୍ଟ ସ୍କୁଲ କୂଅରୁ ଜଣେ ଛାତ୍ରୀଙ୍କ ଶବ ଉଦ୍ଧାର ହୋଇଥିଲା। ଛାତ୍ରୀଙ୍କୁ ପୋଲିସ ସିଷ୍ଟର ଅଭୟା ଭାବେ ଚିହ୍ନଟ କରିଥିବା ବେଳେ ସେ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ।  ଘଟଣାର ତଦନ୍ତକାଳରେ ପୋଲିସ ପାରିପାର୍ଶ୍ବିକ ସ୍ଥିତି ଓ ସାକ୍ଷ ଆଧାରରେ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ତଦନ୍ତ ବନ୍ଦ କରିଥିଲା। ପରେ ଜନତାଙ୍କ ଦାବିଯୋଗୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା। ତେବେ ତାହା ମଧ୍ୟ ପୋଲିସ ତଦନ୍ତ ଭଳି ଅପମୃତ୍ୟୁ ବିନ୍ଦୁରେ ଅଟକି ଯାଇଥିଲା। ତେବେ ଏହି ମାମଲାକୁ ନେଇ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ସିବିଆଇ ରିପୋର୍ଟ କୋର୍ଟରେ ଅଗ୍ରାହ୍ୟ ହେବା ପରେ ୨୦୦୮ରେ ସିବିଆଇ ତୃତୀୟ ରିପୋର୍ଟ ଦାଖଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.