କିଏ ସିଞ୍ଜୋ ଆବେ ? କାହିଁକି ତାଙ୍କୁ ହତ୍ୟା କଲା ଆତତାୟୀ ?

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ ୦୮/୦୭ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ । ଶୁକ୍ରବାର ସକାଳେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି । ସେ ଏକ ଭାଷଣ ଦେଉଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଏପରିକି ହୃଦୟ ମଧ୍ୟ କାମ କରୁନଥିଲା ।  

ସୂଚନାନୁସାରେ, ସିଞ୍ଜୋ ଆବେ ସକାଳେ ନାରା ସହରର ଏକ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ତେବେ ତାଙ୍କୁ ଗୁଳିମାଡ କରିଥିବା ଆତତାୟୀକୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ଭାରତରେ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ସଟଗନରୁ ଗୁଳିମାଡ

ସିଞ୍ଜୋଙ୍କୁ ଏକ ସଟ୍ ଗନରୁ ଗୁଳିମାଡ କରାଯାଇଥିଲା ବୋଲି ଜଣାପଡିଛି । ସିଞ୍ଜୋଙ୍କୁ ଗୁଳି କରିଥିବା ଆତତାୟୀକୁ ପୋଲିସ ଗିରଫ କରିଛି । ହତ୍ୟାକାରୀଜଣଙ୍କ ତେତସୁୟା ୟାମଗାମି ବୋଲି ଜଣାପଡିଛି । ପୋଲିସ ତା ବନ୍ଧୁକ ମଧ୍ୟ ସିଜ୍ କରିଛି । ତେବେ ଯେଉଁ ବନ୍ଧୁକରୁ ଗୁଳିମାଡ କରାଯାଇଥିଲା ତାହା ଘରେ ହିଁ ତିଆରି ହୋଇଥିଲା ବୋଲି ପୋଲିସ କହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆତତାୟୀ ସିଞ୍ଜୋଙ୍କୁ ପଛରୁ ଗୁଳି ମାରିଥିଲା । ପ୍ରଥମେ ଗୋଟିଏ ଗୁଳି ମରିବାର କିଛି ସେକେଣ୍ଡ ପରେ ଆଉ ଏକ ଗୁଳିଚାଳନା କରାଯାଇଥିଲା । ଯେଉଁଥିରେ ସିଞ୍ଜୋ ତଳେ ପଡିଯାଇଥିଲେ ।

କଣ ପାଇଁ କରାଗଲା ଗୁଳି?

ଗୁଳିମାଡ କରିଥିବା ଆତତାୟୀର କହିବାନୁସାରେ, ସେ ସିଞ୍ଜୋଙ୍କ ଉପରେ ଖୁସି ନଥିଲା । ତେଣୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ।

ସିଞ୍ଜୋ ଆବେ କିଏ ?

ସିଞ୍ଜୋ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ଜାପାନର ସବୁଠାରୁ ଅଧିକ ଦିନ ଗାଦିରେ ରହିଥିବା ପ୍ରଧାନମନ୍ତ୍ରୀ । ୧୯୯୩ରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ପ୍ରଥମେ ସେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭକୁ ନିର୍ବାଚିତ ହୋଇଥିଲେ । ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କୁ ଜଣେ ଦକ୍ଷିଣପନ୍ଥୀ ନେତା ଭାବେ ବିଶ୍ୱଗ୍ରହଣ କରିଥିଲା । ଶେଷରେ ୨୦୨୦ରେ ସେ ସ୍ୱାସ୍ଥ୍ୟଗତ କାରଣରୁ  ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.