ମାନବ ତସ୍କରୀ ମାମଲାରେ ଖ୍ୟାତନାମା ଗାୟକ ଦଲେର ମେହେନ୍ଦୀ ଗିରଫ; ୨ ବର୍ଷର ଜେଲ୍ ସଜାକୁ କାଏମ ରଖିଲେ କୋର୍ଟ

Published By : Prameya-News7 Bureau | July 14, 2022 IST

ପଟିଆଲା: ଖ୍ୟାତନାମା ପଞ୍ଜବୀ ତଥା ବଲିଉଡ୍ ଗାୟକ ଦଲେର ମେହନ୍ଦୀ ଗିରଫ। ମାନବ ତସ୍କରୀ ମାମଲାରେ ଶୁଣାଣି କରି ଆଜି ପଟିୟାଲା କୋର୍ଟ ତାଙ୍କର ଦୁଇ ବର୍ଷର ଜେଲ୍‌ ଦଣ୍ଡ କାଏମ୍ ରଖିବା ପରେ ମହେନ୍ଦୀଙ୍କୁ ଗିରଫ କରାଯାଇଛି।

ଦଲେରଙ୍କ ବିରୋଧରେ ହୋଇଥିବା ଏହି ମାମଲା ୨୦୦୩ ମସିହାର। ହେଲେ ୧୫ ବର୍ଷ ପରେ ଅର୍ଥାତ ୨୦୧୮ରେ ମାମଲାର ଶୁଣାଣି କରି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌ ଫାଷ୍ଟ କ୍ଲାସ୍ କୋର୍ଟ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଉଭୟଙ୍କୁ ୨ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଥିଲା। ପରେ ଦଲେର ଓ ତାଙ୍କ ଭାଇ ପଟିଆଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଗୁରୁବାର ମାମଲାର ଶୁଣାଣି କରି ଉକ୍ତ ଦଣ୍ଡକୁ କାଏମ ରଖିଛନ୍ତି ପଟିୟାଲା କୋର୍ଟ।

ଦଲେର ମେହେନ୍ଦୀ ଓ ତାଙ୍କ ଭାଇ ସମଶେରଙ୍କ ବିରୋଧରେ ମାନବ ଚାଲାଣ ଅଭିଯୋଗ ହୋଇଥିଲା। ଦୁଇ ଭାଇ ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରି ମୋଟା ଅଙ୍କର ଟଙ୍କା କମାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦଲେର୍ ମେହେନ୍ଦୀ ଓ ତାଙ୍କ ବିରୋଧରେ ମୋଟ ୩୧ଟି ମାମଲା ହୋଇଥିଲା। ପ୍ରଥମ ମାମଲା ୨୦୦୩ରେ ଆମେରିକାରେ କରାଯାଇଥିଲା। କାରଣ ଅଧିକାଂଶ ଲୋକ ଆମେରିକା ପଠାଇଥିଲେ ଦୁଇ ଭାଇ।

ଏହି ମାମଲାରେ ହୋଇଥିବା ଦୁଇ ବର୍ଷର ଜେଲ୍ ଦଣ୍ଡକୁ ପଟିୟାଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସିଙ୍ଗର। ହେଲେ ଗୁରୁବାର କୋର୍ଟ ମାମଲାର ଶୁଣାଣି କରି ଦଲେରଙ୍କ ଆବଦେନକୁ ଖାରଜ କରିବା ସହ ତାଙ୍କ ଦୁଇ ବର୍ଷର ସଜାକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ଥିଲେ ଦଲେର ଓ ତାଙ୍କ ଭାଇ। କୋର୍ଟ ରାୟ ଶୁଣାଇବା ପରେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି।

୨୦୦୩ ସଦର ପୁଲିସ ଷ୍ଟେସନ୍‌ରେ ଦୁଇ ଭାଇଙ୍କ ବିରୋଧରେ ହୋଇଥିବା ମାମଲା ଅନୁସାରେ, ୧୯୯୮ ଓ ୧୯୯୯ରେ ଦୁଇଟି ଗ୍ରୁପ୍‌ରେ ୧୦ ଜଣଙ୍କୁ ଆମେରିକା ଚାଲାଣ କରାଯାଇଥିଲା। ଏହି ଘଟଣାରେ ପୁଲିସ ଦେଲର ସପକ୍ଷରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ପଞ୍ଜାରେ ଯୁବବର୍ଗର ବେଆଇନ ଭାବରେ ବିଦେଶ ଯାଇ ସେଠାରେ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ମାନବ ଚାଲାଣ ମାମଲାରେ ଦଲେର ସମ୍ପୃକ୍ତିର ଅବଶ୍ୟକ ନାହିଁ ବୋଲି ପୁଲିସ କୋର୍ଟରେ କହିଥିଲା।

ଗୋଟିଏ ଟ୍ରିପ୍‌ରେ ଦଲେର କରିଶ୍ମା କପୁରଓ ତାଙ୍କ ମାଆ ବବିତାଙ୍କର କମ୍ପାନୀ ସହ ମିଶି ୩ ଝିଅକୁ ଆମେରିକାର ସାନ ଫ୍ରାନ୍ସିକୋରେ ଛାଡ଼ିଥିଲେ ବୋଲି ଅଭିଯୋଗ ହୋଇଥିଲା। ପରେ ତିନ ଝିଅ ପ୍ରିୟା, ମୀନୁ ଏବଂ ନିମୁ ନାମରେ ଚିହ୍ନଟ କରାଯାଇଥିଲା।

ପୁଣି ଅକ୍ଟୋବର ୧୯୯୯ରେ ଜୁହି ଚାୱଲା, ରବୀନା ଟଣ୍ଡନ ଓ ଜାଭେଦ୍ ଜାଫ୍ରୀଙ୍କ କମ୍ପାନୀ ସହ ମିଶି ଦୁଇ ଭାଇ ୩ ପିଲାଙ୍କୁ ଆମେରିକାର ନ୍ୟୁ ଜର୍ସିରେ ଛାଡ଼ିଥିଲେ।  

ଏହାପରେ ୨୦୦୩ ସେପ୍ଟେମ୍ବର ୧୯ ତାରିଖରେ ବକ୍ସିସ ସିଂହଙ୍କ ନାମକ ଜଣେ ବ୍ୟକ୍ତି ମେହେନ୍ଦୀ ଭ୍ରାତା ଦ୍ୱୟଙ୍କ ବିରୋଧରେ ପ୍ରଥମେ ମାମଲା ରୁଜୁ କରିଥିଲେ। ଏହାପରେ ୩୫ ମାମଲା ୨ ଭାଇଙ୍କ ବିରୋଧରେ ହୋଇଥିଲା। ପ୍ରବାସୀଙ୍କୁ ବିଦେଶରେ ପହଞ୍ଚାଇବା ପାଇଁ ଦୁଇ ଭାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ହେଲେ ସେମାନଙ୍କୁ ସହଯୋଗ କରୁ ନାହାନ୍ତି।

ଅଭିଯୋଗ ପାଇବା ପରେ ପଟିଆଲା ପୁଲିସ ଦଲେର ମେହେନ୍ଦୀଙ୍କ ଦିଲ୍ଲୀ ସ୍ଥିତ ଅଫିସରେ ରେଡ୍ କରିଥିଲା। ବିଦେଶ ପଠାଇବା ପାଇଁ କେଉଁମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନିଆଯାଇଛି ତାର କାଗଜପତ୍ର ତଦାରଖ କରିଥିଲା।  ୨୦୦୬ରେ ଦିଲ୍ଲୀ ପୁଲିସ ଦଲେର ମହେନ୍ଦୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି କୋର୍ଟରେ ଦୁଇଟି ଡିସ୍‌ଚାର୍ଜ ପିଟିସନ ଦାଖଲ କରିଥିଲା। କିନ୍ତୁ କୋର୍ଟ ଏହାକୁ ବରଖାସ୍ତ କରିବା ସହ ଭାଇ ଦ୍ୱୟଙ୍କ ବିରୋଧରେ ଆବଶ୍ୟକୀୟ ପ୍ରମାଣ ରହିଛି ବୋଲି କୋର୍ଟ କହିଥିଲେ। ଏହାପରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.