ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତ ଭଞ୍ଜବିହାର; ସାଏନ୍-ଏ-ଡାଏ ଘୋଷଣା କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ହଷ୍ଟେଲ୍ ଛାଡିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 06, 2018 IST

ବ୍ରହ୍ମପୁର ୬/୧୦ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ଅଶାନ୍ତ। ଭଙ୍ଗାରୁଜା ସହ ରାସ୍ତାରୋକ୍। ପରିସ୍ଥିତି ପୁରାପୁରି ବିଗିଡିଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ।  ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହେବାପରେ ଛାତ୍ର ସଂସଦ ନିର୍ବାଚନକୁ ପ୍ରଥମେ ବାତିଲ୍ ଘୋଷଣା କରିଲେ। ପରେ ଆଜି ସାଏନ୍ ଡାଏ ଘୋଷଣା କରିବା ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଖାଁ ଖାଁ ହୋଇପଡିଛି। ଅଶାନ୍ତ ହୋଇପଡିଲା ଭଞ୍ଜବିହାର। ଚଳିତ ବର୍ଷ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଏଭଳି ବାଣୀ ଶୁଣାଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଜିତ୍ ସ୍ବାଇଁ ନାମକ ଜଣେ ଛାତ୍ରଙ୍କ ସଂପାଦକ ପଦବୀ ପାଇଁ ନାମାଙ୍କନ ପତ୍ର କାଏମ୍ ରହିବା ପରେ ଅନ୍ୟଏକ ଛାତ୍ର ଗୋଷ୍ଠୀ ଆପତ୍ତି ଉଠାଇଥିଲେ। ଅଜିତ୍‌ଙ୍କ ନାଁରେ ମାମଲା ରହିଥିବା ବେଳେ ପ୍ରାର୍ଥୀତ୍ବ କାଏମ୍ ରହିଲା କିପରି ବୋଲି ଅନ୍ୟ ଏକ ଛାତ୍ର ଗୋଷ୍ଠି ଆପତ୍ତି କରିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ଅନୁସନ୍ଧାନ କରି ଗତକାଲି ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ। ଯେଉଁଥିରେ ଅଜିତ୍‌ଙ୍କ ନାମକୁ ବାଦ୍ ଦିଆୟାଇଥିଲା। ଲିଙ୍ଗୋଡୋ କମିଶନଙ୍କ ନିୟମକୁ ଉଲଂଘ୍ନ କରୁଥିବା ଦର୍ଶାଇ ପ୍ରାର୍ଥୀତ୍ବ ରଦ୍ଦ କରିବା ସହ ଛାତ୍ର ପଦକୁ ମଧ୍ୟ ରଦ୍ଦ କରିଥିଲେ। ବାସ୍ । ଏଥର ଆରମ୍ଭ ହୋଇଯାଇଥିଲା ଅଜିତ୍‌ଙ୍କ ସମର୍ଥକଙ୍କ ଛାତ୍ରଗୋଷ୍ଠିର ତାଣ୍ଡବଲୀଳା। ପି.ଜି କାଉନ୍‌ସିଲ୍ କାର୍ଯ୍ୟାଳୟ, ଟେବୁଲ୍. ଚେୟାର୍, ନୋଟିସ୍ ବୋର୍ଡ ଭଙ୍ଗାରୁଜା କରିବା ସହ ରାସ୍ତା ଉପରେ ଟାଏର୍‌ରେ ନିଆଁ ଲଗାଇ କରିଥିଲେ ରାସ୍ତାରୋକ। କୁଳପତିଙ୍କ ବାସଭବନ ସମ୍ମୁଖରେ ଦେଇଥିଲେ ଧାରଣା। ରାତି ତମାମ୍ ପୁରା କ୍ୟାମ୍ପସ୍ ଅଶାନ୍ତ ହୋଇପଡିଥିଲା। ଛାତ୍ର ଅଶାନ୍ତ କାରଣରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତକାଲି ରାତିରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ ବୋଲି ଘୋଷଣା କରିଥିଲେ। ପୁଲିସ୍ ଉପସ୍ଥିତିରେ ଭଙ୍ଗାରୁଜା ଚାଲିଥିଲେ ମଧ୍ୟ ପୁଲିସ୍ ନିରୁପାୟ ହୋଇ ହାତ ଯୋଡି ଠିଆ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଆଜି ସକାଳୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଣ୍ଡିକେଟ୍‌ର ଏକ ଜରୁରୀ ବୈଠକ ଡକାଇ ଆଲୋଚନା କରିବା ପରେ ସାଏନ୍ ଡାଏ ଘୋଷଣା କରିଥିବା କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ରାଜେନ୍ଦ୍ର ପ୍ରସାଦ ଦାସ। ପରିସ୍ଥିତି ସ୍ବାଭାବିକ ହେବା ହୃଦ୍‌ବୋଧ ହେଲେ ସାଏନ୍ ଉଠାଯିବ ବୋଲି କୁଳପତି କହିଛନ୍ତି। ସେପଟେ କ୍ୟାମ୍ପସ୍‌ର ସ୍ଥିତିକୁ ନଜର ରଖାଯାଇଛି। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ଅତିରିକ୍ତ ଏସ୍.ପି ଶାନ୍ତୁନୁ ଦାସ। ହଷ୍ଟେଲ୍‌ରୁ ଛାତ୍ରଛାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ଯିବେ ସେଥିପ୍ରତି ସୁବ୍ୟବସ୍ଥିତ କରାଯାଇଥିଲା। ସୁରକ୍ଷିତ ଭାବେ ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ଛାଡିଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ। ସାଏନ୍ ଡାଏ ଘୋଷମା ହେବା ପରେ ଛାତ୍ରଛାତ୍ରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ହଷ୍ଟେଲ୍ ଛାଡିଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ହଷ୍ଟେଲ୍ ରୁ ବସ୍‌ର ବ୍ୟବସ୍ଥା କରାଯାଇଥିଲା। କ୍ୟାମ୍ପସ୍ ସାରା ପୁଲିସ୍ ଛାଉଣୀ ହୋଇଛନ୍ତି। ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ସେପଟେ ଛାତ୍ରଛାତ୍ରୀ ମାନେ ହଷ୍ଟେଲ୍ ଛାଡି ବାହାରକୁ ଯାଇଛନ୍ତି। କଣ ପାଇଁ କ୍ୟାମ୍ପସ୍ ଛାଡୁଛୁ ଜାଣିନଥିବା କେତେକ ଛାତ୍ରଛାତ୍ରୀ କହିଥିବା ବେଳେ ସାଏନ୍ ଡାଏ ଘୋଷଣା ହେବା ଯୋଗୁଁ ତୁରନ୍ତ ହଷ୍ଟେଲ୍ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ମିଳିଥିବାରୁ ଛାଡି ଚାଲିଯାଉଥିବା କହିଛନ୍ତି ଅନ୍ୟ କେତେକ ଛାତ୍ରଛାତ୍ରୀ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି କରିବା ଉଚିତ୍ ନଥିଲା ବୋଲି କହିଛନ୍ତି। ବିଶ୍ବବିଦ୍ୟାଳୟରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିବା ବେଳେ ଅତିରିକ୍ତ ଏସ୍.ପି ଶାନ୍ତୁନୁ ଦାସ, ସଦର ଏସ୍.ଡି.ପି.ଓ ଅଶୋକ ମହାନ୍ତି, ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ସଦର ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର ପ୍ରମୁଖ ସ୍ଥିତି ନିୟନ୍ତ୍ରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.