ନା ମେଲ୍‌ ନା ଫୋନ୍‌ କଲ୍‌: ଅନଲାଇନ୍‌ ମିଟିଂରେ ୯୦୦ କର୍ମଚାରୀଙ୍କ ଚାକିରି ଖାଇଲେ କମ୍ପାନୀର ସିଇଓ

Published By : Prameya-News7 Bureau | December 06, 2021 IST

ଓ୍ବାସିଂଟନ୍‌ ୦୬/୧୨: କରୋନା ମହାମାରୀ ପରଠୁ ଚାକିରି ଯିବା ଭୟ କର୍ମଚାରୀଙ୍କୁ ଘାରିଛି। ପୁଣି ଥରେ କରୋନା ରୂପ ବଦଳାଇ ଘାତକ ହେବାକୁ ଆରମ୍ଭ କରିଥିବା ବେଳେ  କର୍ମଚାରୀଙ୍କ ଛାତି ଧଡ଼ଧଡ଼ ହେଲାଣି। ହୃଦ ସ୍ପନ୍ଦନ ବଢ଼ିବା ବି ସ୍ବାଭାବିକ। କାରଣ ଏମିତି ଏକ ଖବର ଆମେରିକାରୁ ସାମ୍ନାକୁ ଆସିଛି। ଯାହା ଶୁଣିଲେ ଘରୋଇ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଝଟ୍‌କା ଲାଗିବ । ଆମେରିକାର ଏକ ବଡ଼ କମ୍ପାନୀ ଏକାଥରକେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କୌଣସି ମେଲ କିମ୍ବା କଲ ଯାଇନି, କିନ୍ତୁ କମ୍ପାନୀର ସିଇଓ ଜୁମ୍‌ ମିଟିଂ ମାଧ୍ୟମରେ ଚାକିରିରୁ ୯୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

ଆମେରିକାର ଷ୍ଟର୍ଟ ଅପ୍‌ କମ୍ପାନୀ ବେଟର ଡଟ କମ୍‌ ଏହି ପଦକ୍ଷେପ ଗ୍ରହଣ କରିଛି। ଅନଲାଇନ୍‌ରେ ଘର ଋଣ ଯୋଗାଇ ଦେଉଥିବା ଏହି ବେଟର ଡଟ୍‌ କମ୍‌ କର୍ମଚାରୀମାନଙ୍କୁ ବର୍ଷ ଶେଷରେ ବଡ଼ ଝଟ୍‌କା ଦେଇଛି। ଆମେରିକାରେ ଏହି ସମୟରେ କର୍ମଚାରୀମାନେ ଛୁଟି କାଟିବାକୁ ଯୋଜନା କରିଥାନ୍ତି। ଛଟେଇ ହୋଇଥିବା କର୍ମଚାରୀମାନେ ମଧ୍ୟ ସମାନ ପ୍ଲାନ୍‌ କରିଥିଲେ । କିନ୍ତୁ ହଠାତ ସବୁ କିଛି ବଦଳାଇ ଦେଲା ଜୁମ୍‌ କଲ ।

କମ୍ପାନୀର ସିଇଓ ବିଶାଲ ଗର୍ଗ ଜୁମ୍‌ କଲରେ କର୍ମଚାରୀଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇ ଏତେ ବଡ଼ ଝଟକା ଦେବେ​ ବୋଲି କେହି ଭାବିନଥିଲେ। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୯୦୦ କର୍ମଚାରୀଙ୍କ ଛଟେଇ ନେଇ ଖବର ପ୍ରସାରିତ ହୋଇଯିବା ପରେ ଅନ୍ୟ କମ୍ପାନୀ କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଜୁମ୍‌ କଲ୍‌ରେ ଗର୍ଗ କହିଥିଲେ, ଯେଉଁମାନେ କଲ୍‌ରେ ଯୋଡ଼ି ହୋଇଛନ୍ତି, ସେମାନଙ୍କ ଦୁଃର୍ଭାଗ୍ୟ ଯେ ସେମାନଙ୍କୁ ଏକା ସାଙ୍ଗେ ଚାକିରିରୁ ବିଦା କରାଯାଉଛି।

୯୦୦ କରମଚାରୀଙ୍କ ଚାକିରି ଖାଇବା ପରେ ଖୁବଶୀଘ୍ର ଏଚଆରଙ୍କ ପାଖରୁ ମେଲ୍‌ ମିଳିଯିବ ବୋଲି ଗର୍ଗ କହିଥିଲେ। କର୍ମଚାରୀମାନଙ୍କ ପାରଦର୍ଶିତା ଅଭାବ ଏବଂ ଅନ୍ୟ ଅନିୟମିତତା ନେଇ ଅଭିଯୋଗ କରିବା ସହ ସିଇଓ  ବିଶାଲ ଗର୍ଗ ବର୍ଷ ଶେଷରେ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରୁଥିବାରୁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.