ଆଗକୁ ପିତୃପକ୍ଷ, ଗଙ୍ଗା ଘାଟରେ ପଟୁ ଏବେ ପୁରୋହୀତ ଓ ପର୍ଯ୍ୟଟକଙ୍କ ଲାଗି ପାଲଟିଛି ସମସ୍ୟା
6/09/2022 at 7:44 PM

ବାରଣାସୀ ୬।୯: କାଶୀରେ ଏବେ ଗଙ୍ଗାନଦୀର ଜଳସ୍ତର ଦ୍ରୁତ ହ୍ରାସ ହେବାରେ ଲାଗିଛି। ଏଣୁ ଘାଟ ମାନଙ୍କରେ ପାଣିରେ ଭାସି ଆସିଥିବା ପଟୁ ଜମିବା ଏବେ ପୁରୋହିତ ଓ ପର୍ଯ୍ୟଟକଙ୍କ ଲାଗି ସମସ୍ୟା ପାଲଟିଛି। ବାରଣାସୀରେ ୮୪ଟି ଘାଟ ରହିଛି। ବନ୍ୟା ପରେ ସବୁ ଘାଟରେ ପଟୁ ଏବେ ମୁଖ୍ୟ ସମସ୍ୟା। ଗଙ୍ଗା ଘାଟ ଉପରେ ନିର୍ଭର କରି ପେଟ ପାଟଣା ଚଳାଉଥିବା ଲୋକେଏବେ ପଟୁ ଯୋଗୁ ହନ୍ତସନ୍ତ ହେଉଛନ୍ତି।

ଘାଟମାନଙ୍କରେ ପ୍ରାୟ ୫ ଫୁଟ ବହଳର ପଟୁ ମାଡି ଯାଇଛି। ଏଣୁ ଘାଟ କୂଳରେ ପୂଜାପାଠ କରୁଥିବା ପୁରୋହିତ ଓ ଡଙ୍ଗାଚାଳକ ସମସ୍ତେ ସମସ୍ୟାରେ ପଡିଛନ୍ତି। ଏଥିରେ ପ୍ରଶିଦ୍ଧ ଘାଟମାନଙ୍କରେ ପରିସ୍ଥିତି ଅଧିକ ଉତ୍କଟ ହୋଇଛି। ଦଶ୍ୱାସମେଧ ଘାଟ, ଶୀତଲା ଘାଟ, ରାଜେନ୍ଦ୍ର ପ୍ରସାଦ ଘାଟ, କେଦାରଘାଟ, ପୁରୁଣା ଅଶି ଘାଟ, ନୂଆ ଅଶି ଘାଟ, ରବିଦାସଘାଟ ଆଦିରେ ଲୋକେ ପଚପଚ ପଟୁ କାଦୁଅରେ ନିଜର କାମ କରୁଥିବା ଦେଖା ଯାଉଛି।

ଦିନ କେଇଟା ପରେ ଭାଦ୍ରବ ମାସ ସରିବ। ଆଶ୍ୱିନମାସ ପିତୃପକ୍ଷ ଲାଗି ଗଙ୍ଗା ଘାଟରେ ଶ୍ରାଦ୍ଧ ଦେବା ପାଇଁ ଦେଶବିଦେଶରୁ ଲୋକଙ୍କ ଭିଡ ଜମିବ। ଏଥିରେ ବନ୍ୟାରେ ଭାସିଆସିଥିବା ପଟୁ ଏବେ ଚିନ୍ତାର କାରଣ ପାଲଟିଲାଣି। ପଟୁ ଜମିବା ଯୋଗୁ ଲୋକେ ଘାଟ ପର୍ଯ୍ୟନ୍ତ ଆସୁଥିଲେ ବି ନୌକା ପର୍ଯ୍ୟନ୍ତ ଯାଉ ନାହାନ୍ତି। ଏଣୁ ନଦୀରେ ନୌକା ଚଳାଚଳ ଏକରକମ ଠପ ହୋଇଗଲାଣି। ପିତୃପକ୍ଷରେ ଲୋକେ ଅସ୍ତି ବିସର୍ଜନ ଲାଗି ନୌକାରେ ସଙ୍ଗମକୁ ଯିବେ। ତେବେ ଏବେଠୁ ପଟୁ ପିତୃପକ୍ଷ ଲାଗି ଚିନ୍ତାର ବିଷୟ ପାଲଟିଛି।