ସିଲିକନ୍ ଭ୍ୟାଲି ପରେ ସିଗ୍ନେଚର ବ୍ୟାଙ୍କରେ ତାଲା; କ୍ରିପ୍ଟୋକରେନ୍ସି ଭୟାବହତା ଯୋଗୁ ଅସ୍ଥାୟୀ କାଳ
14/03/2023 at 8:42 AM

ନୂଆଦିଲ୍ଲୀ,୧୪/୦୩: ସିଲିକନ୍ ଭ୍ୟାଲି ବ୍ୟାଙ୍କ ପରେ ଏବେ ଆମେରିକା ସିଗ୍ନେଚର ବ୍ୟାଙ୍କରେ ବି ଝୁଲିଲା ତାଲା । ଅସ୍ଥାୟୀ କାଳ ପାଇଁ ଏହାକୁ ବ୍ୟାଙ୍କ ବନ୍ଦ ହୋଇଛି । ସିଗ୍ନେଚର ବ୍ୟାଙ୍କ ନିକଟରେ ପ୍ରଚୁର ପରିମାଣରେ କ୍ରିପ୍ଟୋକରେନ୍ସି ରହିଥିବାରୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ବ୍ୟାଙ୍କକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି ।
ସିଗ୍ନେଚର ବ୍ୟାଙ୍କ ନ୍ୟୁୟର୍କର ଏକ ବଡ଼ ବିତ୍ତୀୟ ପ୍ରତିଷ୍ଠାନ । ଏହି ବ୍ୟାଙ୍କ ବିଶେଷ ଭାବେ ରିଅଲ ଇଷ୍ଟେଟ୍ କମ୍ପାନିଗୁଡ଼ିକୁ ଋଣ ପ୍ରଦାନ କରିଥାଏ । ନିୟାମକ ନିର୍ଦ୍ଦେଶ ପରେ ବ୍ୟାଙ୍କ ପକ୍ଷରୁ ଏହାର ସେବା ବନ୍ଦ ରଖାଯାଇଛି ।
ନିୟାମକ ସଂସ୍ଥାର କହିବାନୁଯାୟୀ, ବ୍ୟାଙ୍କ ଖୋଲା ରହିଲେ ବିତ୍ତୀୟ ବ୍ୟବସ୍ଥା ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ । ନ୍ୟୁୟର୍କ ଷ୍ଟେଟ୍ର ଆର୍ଥିକ ସେବା ବିଭାଗ ଅନୁସାରେ, ଫେଡେରାଲ ଡିପୋଜିଟ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ସିଗ୍ନେଚର ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି ।
ବ୍ୟାଙ୍କ ନିକଟରେ ଗତବର୍ଷ ଶେଷ ସୁଦ୍ଧା ୧୧,୦୩୬ କୋଟି ଡଲାରର ସମ୍ପତ୍ତି ଥିଲା । ୟୁଏସ୍ ଟ୍ରେଜେରି ବିଭାଗ ଏବଂ ଅନ୍ୟ ବ୍ୟାଙ୍କ ନିୟାମକଗୁଡ଼ିକ ଏକ ଯୁଗ୍ମ ବିବୃତ୍ତିରେ କହିଛନ୍ତି, ସିଗ୍ନେଚର ବ୍ୟାଙ୍କ ଏବଂ ସିଲିକନ୍ ଭ୍ୟାଲି ବ୍ୟାଙ୍କ କୌଣସି କ୍ଷତିର ବୋଝ ଟିକସଦାତାଙ୍କ ମୁଣ୍ଡକୁ ଦେବେ ନାହିଁ । ଅନ୍ୟପକ୍ଷରେ, ବ୍ୟାଙ୍କ ବିଫଳ ହେବାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରହିବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ସିଲିକନ୍ ଭ୍ୟାଲି ବ୍ୟାଙ୍କ ନିକଟରେ ୨୦୨୧ରେ ୧୮,୯୦୦ କୋଟି ଡଲାରର ଜମା ରହିଥିଲା । ବ୍ୟାଙ୍କ ଗତ ଦୁଇ ବର୍ଷରେ ଗ୍ରାହକଙ୍କ ଟଙ୍କାରେ ବହୁ କୋଟି ଡଲାରର ବଣ୍ଡ୍ କିଣିଥିଲା । ହେଲେ ଏହି ନିବେଶରେ ବ୍ୟାଙ୍କକୁ ଆଶାନୁରୂପକ ରିଟର୍ଣ୍ଣ ମିଳି ନ ଥିଲା । ପରେ ଫେଡେରାଲ ରିଜର୍ଭ ଟେକ୍ କମ୍ପାନିଗୁଡ଼ିକ ପାଇଁ ସୁଧ ହାରରେ ବୃଦ୍ଧି କରିବା ଫଳରେ ସ୍ଥିତି ଅଧିକ ବିଗିଡ଼ିଗଲା । ଏସ୍ଭିବିର ଅଧିକାଂଶ ଗ୍ରାହକ ଷ୍ଟାର୍ଟଅପ୍ ଏବଂ ଟେକ୍ କମ୍ପାନି କର୍ମଚାରୀ ଥିଲେ, ଯେଉଁମାନଙ୍କୁ କାରବାର ପାଇଁ ଅର୍ଥର ଆବଶ୍ୟକତା ଥିଲା । ଏଭଳି ପରିସ୍ଥିତିରେ ସେମାନେ ବ୍ୟାଙ୍କରୁ ବାରମ୍ବାର ଟଙ୍କା ଉଠାଇଥିଲେ। ଫଳରେ ଏସ୍ଭିବିକୁ ଏହାର ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଲା । ଅତିରିକ୍ତ ଉଠାଣ ଯୋଗୁ ବ୍ୟାଙ୍କର ନଗଦ ବାଲାନ୍ସ ହ୍ରାସ ପାଇବା ଯୋଗୁ ଅସ୍ଥାୟୀ କାଳ ସୃଷ୍ଟି ହୋଇଛି ।